ପୁରୀ: ଡିସେମ୍ବର ୧୬ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମାସେ ଧରି ଚାଲିବ ଏହି ସ୍ବତନ୍ତ୍ର ନୀତିକାନ୍ତି। ଆଜି ଛତିଶାନିଯୋଗ ବୈଠକରେ ଏହାର ନୀତି ଚୂଡ଼ାନ୍ତ ହୋଇଛି। ନୀତି ସବ୍କମିଟି ବୈଠକରେ ଚୂଡ଼ାନ୍ତ ନୀତି ଉପରେ ଛତିଶାନିଯୋଗ ମୋହର ମାରିଛି। ସେହିଭଳି ଜାନୁଆରି ୧୩ ତାରିଖ ଦୋବାଭିଷେକ ପୂର୍ଣ୍ଣିମା ଓ ଜାନୁଆରି ୧୪ ମକର ସଂକ୍ରାନ୍ତି ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଚାଲିବ।
ଚୂଡ଼ାନ୍ତ ନୀତି ଅନୁଯାୟୀ, ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ପ୍ରତିଦିନ ରାତି ୨ଟାରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବଢ଼ିବ। ସାଢ଼େ ୨ଟାରେ ଭିତରଶୋଧ, ୩ଟାରେ ମଙ୍ଗଳ ଆଳତି, ୫ଟା ବେଶଶେଷ ହେବ। ସକାଳ ୫ଟା ୩୦ରୁ ୬ଟା ଭିତରେ ଗୋପାଳବଲ୍ଲଭ ଓ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ପହିଲି ଭୋଗ ନୀତି ଶେଷ ପରେ ସାଢ଼େ ୬ଟାରୁ ସକାଳ ଧୂପ(କେବଳ କୋଠଭୋଗ) ଓ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ୭ଟା ୪୫ରୁ ସାଢ଼େ ୯ଟା ଭିତରେ ପ୍ରଥମ ଭୋଗମଣ୍ଡପ, ପୂର୍ବାହ୍ଣ ୧୧ଟା ୧୫ରୁ ଅପରାହ୍ଣ ସାଢ଼େ ୧ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବ। ଅପରାହ୍ଣ ୨ଟାରେ ଦିବା ପହୁଡ଼, ସାଢ଼େ ୪ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ବଡ଼ସିଂହାର ବେଶ, ସାଢ଼େ ୧୦ଟାରେ ବଡ଼ସିଂହାର ଭୋଗ, ୧୦ଟା ୪୫ରେ ଟୋପରଲାଗି, ୧୧ଟାରେ ରାତ୍ର ପହୁଡ଼ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/19/GRZ0kZd02dTazPHk6L7r.jpg)