ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ମୁଖ୍ୟ ସଚିବ, ଡିଜିପିଙ୍କ ତନାଘନା

ବିଜୟ ମହାପାତ୍ରଙ୍କ ପ୍ରଶ୍ନ, ବିଭ୍ରାଟ ଜାଣି ସମସ୍ତେ ଚୁପ୍

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଢେର୍ ଆଘାତ ଲାଗିଛି। ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ୁଥିବା ବେଳେ ଘଟଣା ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପୁଲିସ ଡିଜି ସୁନିଲ ବଂଶଲ ସନ୍ଧ୍ୟାରେ ପୁରୀ ଯାଇ ଘଟଣାର ସରଜମିନ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିରରେ ଉଭୟ ଅଧିକାରୀ ପହଞ୍ଚି ରୋଷଘର ସ୍ଥିତି ଦେଖିଥିଲେ ଓ ସମ୍ପୃକ୍ତ କର୍ମଚାରୀ ଏବଂ ସେବାୟତଙ୍କ ସାଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନ୍ୟପଟେ ଆଜି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଏସ. ଚନ୍ଦ୍ରଶେଖର ରାଓ ସିଂହଦ୍ବାର ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ତଦନ୍ତ ପାଇଁ ପୁଲିସର ଏକ ୫ଜଣିଆ ଟିମ୍‌ ଗଠନ କରାଯାଇଛି। ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଛି। ସିସିଟିଭିରୁ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର ଆହୁରି କହିଥିଲେ ଯେ ଆଜି ରୋଷଘର ସ୍ଥିତି ଅନୁଧ୍ୟାନ କରିଛୁ। ଯେଉଁ ସେବାୟତ ଓ ଅଧିକାରୀମାନେ ରୋଷଘର ସହ ସମ୍ପୃକ୍ତ ରହିଛନ୍ତି, ସେମାନଙ୍କ ସହ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ଭିତରେ ଯେଉଁ ସିସିଟିଭି ଲାଗିଛି, ତାର ଫୁଟେଜ୍‌ ଯାଞ୍ଚ ଚାଲିଛି। ଏଥିରୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ପ୍ରମାଣ ମିଳିସାରିଛି। ଜେଟିପିଙ୍କୁ ପଚରାଉଚରା କରାଯାଉଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଆଗକୁ ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ସହ ଓଡ଼ିଶା ପୁଲିସ ବି ରାତିରେ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ଏମାନେ ୨୪ ଘଣ୍ଟିଆ ଡ୍ୟୁଟି କରିବେ। ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ, ତାକୁ ଗୁରୁତ୍ବ ଦିଆଯିବ। ଯାହା ଜଣାପଡ଼ୁଛି, କେହି ରାତିରେ ରୋଷଘରେ ଲୁଚି ରହିବା ପରେ ଏଭଳି ଘଟଣା ଘଟାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ତେବେ ଏଭଳି ଘଟଣା ପଛରେ ସେବାୟତ ଗଣ୍ଡଗୋଳକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଗାମୀ ଦିନରେ ତାଲା, ସିସିଟିଭି ସହ ଅନ୍ୟାନ୍ୟ ଫୁଲ୍‌ପ୍ରୁଫ୍‌ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଡିଜିପି ଶ୍ରୀ ବଂଶଲ କହିଛନ୍ତି, ଘଟଣା ସମ୍ପର୍କରେ ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଛି। ସିସିଟିଭି ଫୁଟେଜ୍‌ରୁ ଯେଉଁ ପ୍ରମାଣ ମିଳିଛି, ତାହାର ଫରେନ୍‌ସିକ୍‌ ଯାଞ୍ଚ କରାଯିବ। ଜଣେ ଲୋକ ଏଭଳି କାଣ୍ଡ ଘଟାଇଥିବା ସିସିଟିଭିରୁ ଜଣାପଡ଼ୁଛି। ସମ୍ପୃକ୍ତ ଲୋକର ପରିଚୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟିଲା, ତାର ଅଧିକ ତଦନ୍ତ ଜାରି ରହିଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବଂଶଲ କହିଛନ୍ତି, ଆଗକୁ ଶ୍ରୀମନ୍ଦିରରେ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ସବୁ ଜାଗାରେ ଉଚ୍ଚ କ୍ଷମତାସଂପନ୍ନ ନୂଆ ସିସିଟିଭି ଲାଗିବ। ଦୈନିକ ପୁଲିସ ନଜରରେ ଶ୍ରୀମନ୍ଦିର ରହିବ। ନିଶ୍ଚିତପକ୍ଷେ ସୁରକ୍ଷାରେ କିଛିଟା ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଯାଇଛି। ଏହାକୁ ପ୍ରାଧାନ୍ୟ ଦେଇ ଆମେ ତଦନ୍ତ କରୁଛୁ ବୋଲି ଶ୍ରୀ ବଂଶଲ କହିଛନ୍ତି। ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଅଭିଯୋଗ ଆଧାରରେ ୪୨୭, ୨୯୫, ୨୯୫(ଏ), ସେକ୍ସନ୍‌-୩୦(ଏ) ଆଦି ଦଫା ଲଗାଯାଇଛି। ୫ଜଣିଆ ପୁଲିସ ଟିମ୍‌ ଗଠନ କରାଯାଇଛି। ଆଶା କରୁଛୁ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବୁ ଓ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡ. ସିଂହ କହିଛନ୍ତି।

ଗତକାଲି ସକାଳେ ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣା ଲୋକଲୋଚନକୁ ଆସିଥିଲା। କେହି ଦୁର୍ବୃତ୍ତ ଶାବଳରେ ରୋଷଘରର ୪୩ଟି ଚୁଲିକୁ ଭାଙ୍ଗି ଦେଇଥିଲା। ଦୁର୍ବୃତ୍ତମାନେ କୋଠଭୋଗ, ଅହିରା, ପିଠାଆଡ଼, ସାତପୁରୀ ଚୁଲିକୁ ଭାଙ୍ଗି ଦେଇଥିଲେ। ଶ୍ରୀମନ୍ଦିର ଇତିହାସରେ ଏହି ଘଟଣା ପ୍ରଥମ। ଶେଷରେ ରାଜ୍ୟ ସରକାର ମଧ୍ୟ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଗତକାଲି ସୁଆର ମହାସୁଆର ନିଯୋଗ ତରଫରୁ ଶ୍ରୀମନ୍ଦିର ସୁପରଭାଇଜରଙ୍କ ଜରିଆରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ଆଜି ସୁରକ୍ଷା ପ୍ରଶାସକ ଶ୍ରୀ ରାଓ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଥିବା କୁହାଯାଇଛି। ଏଥିସହ ଗତକାଲି ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଓ କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକଙ୍କ ତଦନ୍ତ ପରେ ଯେଉଁ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ ହୋଇଥିଲା, ତାହା ବି ପୁଲିସକୁ ପ୍ରଦାନ କରାଯାଇଛି। ପୁଲିସ ଅଭିଯୋଗ ଆଧାରରେ ୨୩/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଜି ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛନ୍ତି। ପୁଲିସ ସିଂହଦ୍ବାର ଫାଣ୍ଡି କଣ୍ଟ୍ରୋଲ ରୁମ୍‌ରେ ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ଓ ପୂର୍ବତନ ପଚରିଳାନା କମିଟି ସଦସ୍ୟ ବୈଦନାଥ ମହାସୁଆରଙ୍କ ଉପସ୍ଥିତିରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। ଅପରପକ୍ଷେ ଗତ ୨ ତାରିଖ ରାତିରେ ଯେଉଁ ୪ ଜଣ ଜେଟିପି ଡ୍ୟୁଟିରେ ଥିଲେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା
 ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଦୁଇ ଅଧିକାରୀଙ୍କ ତଦନ୍ତ
ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନର ଏତଲା
ଜେଟିପିଙ୍କୁ ପଚରାଉଚରା, ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠିତ

ଭୁବନେଶ୍ବର: ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଶ୍ରୀମନ୍ଦିରରେ ଜଣେ ସ୍ବତନ୍ତ୍ର ସୁରକ୍ଷା ପ୍ରଶାସକ ନିଯୁକ୍ତି ଦିଆଯିବା ଦରକାର। କାହିଁକି ଏଯାଏ ନିଯୁକ୍ତି ଦିଆଗଲା ନାହିଁ? ସେହି ନିର୍ଦେଶନାମାରେ ସୁପ୍ରିମକୋର୍ଟ ଆହୁରି ସ୍ପଷ୍ଟ କରି କହିଥିଲେ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାହାକୁ କାମଚଳା ବା ଅତିରିକ୍ତ ଭାବେ ନିଯୁକ୍ତି ଦିଆଯାଇପାରିବ ନାହିଁ। ବରଂ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଶ୍ଚୟ ନିଯୁକ୍ତି ପାଇବେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ରାଜ୍ୟ ସରକାର ବାଏଁ ବାଏଁ ଉଡ଼ାଇଦେବେ କେମିତି?
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋଷଘରେ ପଶି କିଛି ଦୁର୍ବୃତ୍ତ ଚୁଲି ଭାଙ୍ଗିବା ଘଟଣାରେ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ରାଜ୍ୟ ସରକାରଙ୍କୁ ଉତ୍ତରଦାୟୀ କରି ଆଜି ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ
ବିଜୟ ମହାପାତ୍ର। ଏଠାରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାପାତ୍ର କହିଛନ୍ତି ଯେ ଶ୍ରୀମନ୍ଦିର ଚୁଲି ଭଙ୍ଗା ଆଦୌ ଆକସ୍ମିକ ଭାବେ ଘଟିନାହିଁ। ମାର୍ଚ୍ଚ ୩୧ ତାରିଖରୁ ଲଗାତାର ତିନି ଦିନ ଧରି ମହାପ୍ରଭୁଙ୍କ ରୋଷ ଘରେ ବିଭ୍ରାଟ ଲାଗି ରହିଥିଲା। ୨ଲକ୍ଷରୁ ଅଧିକ ଟଙ୍କାର ମହାପ୍ରସାଦ ବିଭିନ୍ନ ଅନାଥାଶ୍ରମରେ ବଣ୍ଟାଯାଇଥିବା ସୂଚନା ମିଳିଲାଣି। ଏତେ କଥା ଘଟୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କେମିତି କିଛି ଜାଣିପାରିଲେ ନାହିଁ? ଦୁର୍ବୃତ୍ତ ମହାପ୍ରଭୁଙ୍କ ଚୁଲି ଭାଙ୍ଗିଦେଲା; ତା’ ପରେ ଯାଇ ଜିଲ୍ଲାପାଳ ଓ ଏସ୍‌ପି ଶ୍ରୀମନ୍ଦିର ଗଲେ। ଏଭଳି କଳଙ୍କିତ ଘଟଣା କେବେ ଘଟିନଥିଲା। ଏଥିରେ ଓଡ଼ିଆଙ୍କ ଭାବାବେଗକୁ ସାଂଘାତିକ ଆଘାତ ଲାଗିଛି। ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଯଦି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାନ୍ତା; ତେବେ ଏଭଳି ଅଘଟଣ ଘଟିନଥାନ୍ତା ବୋଲି ସେ କହିଥିଲେ।
ଯେଉଁଦିନ ରୋଷ ଘର ଚୁଲା ଭାଙ୍ଗିଲା ସେଦିନ ସମ୍ଭବତଃ ସୁରକ୍ଷା ଦାୟିତ୍ୱରେ କେହି ନଥିଲେ। ରୋଷ ଘର ଚୁଲି ଭାଙ୍ଗିଥିବା ବ୍ୟକ୍ତି, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାହାକୁ ସରକାର ସୁରକ୍ଷା ଦେବାକୁ ଚେଷ୍ଟା ନ କରନ୍ତୁ। ଅନ୍ୟଥା ଏହା ଆଗକୁ ଆହୁରି ଉଗ୍ର ରୂପ ନେବ। ଶ୍ରୀ ମହାପାତ୍ର ଆହୁରି କହିଥିଲେ, ରାଜ୍ୟ ସରକାର ବୀର ବିକ୍ରମ ଯାଦବଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇପାରିବେ ନାହିଁ। ସେ ଚାରି ପାଞ୍ଚଟି ଦାୟିତ୍ବରେ ଅଛନ୍ତି। ସରକାର ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ କରିଛନ୍ତି। ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇପାରିବ। କେବଳ ସେତିକି ନୁହେଁ, କାହିଁକି ପୂର୍ତ୍ତ ବିଭାଗର ସଚିବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇବେ? ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ବାରି ହେଉଛି। କାହାର ଜଣେ ଆର୍ଥିକ ସ୍ବାର୍ଥ ସାଧନ ପାଇଁ ଏଭଳି ବେଆଇନ କାମକୁ ସରକାର ପ୍ରଶୟ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ଶ୍ରୀ ମହାପାତ୍ର ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ସୁପ୍ରିମକୋର୍ଟ ଶ୍ରୀମନ୍ଦିର ବିକାଶ ନେଇ ମଧ୍ୟ ମତ ରଖିଥିଲେ। କହିଥିଲେ, ମୂଳ ଆଇନ ଉଲ୍ଲଂଘନ ନ ହୋଇ, ଯାହା ବିକାଶ ହେବ ସେଥିରେ ଏଏସଆଇ ସହଯୋଗ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ସେହିଭଳି ଭକ୍ତଙ୍କ ଭାବାବେଗକୁ ବାଧା ନ ଦେଇ ବିକାଶ ଲାଗି କୋର୍ଟ କହିଥିଲେ। ହେଲେ ପୂରା ଘଟଣାରେ ସମସ୍ତେ ସବୁକିଛି ମାଡ଼ିମକଚି ଦେଇଛନ୍ତି। ଶ୍ରୀମନ୍ଦିର ଚାରିପାଖେ ଚାଲିଥିବା ନିର୍ମାଣକୁ ନେଇ ଭକ୍ତଙ୍କ ଭିତରେ ଅସନ୍ତୋଷ ବଢୁଛି, ତା ପରେ ବି ସରକାର ନିର୍ମାଣ ଜାରି ରଖିଛନ୍ତି। ଏହି ପ୍ରସଙ୍ଗରେ ଏତେ କଥା ଘଟିଲାଣି; ଅଥଚ ଏଏସଆଇ ଏବଂ ଏନ୍ଏମ୍ଏ ଅଧିକାରୀ ଚୁପ୍ କାହିଁକି? ଏଯାଏ ସ୍ଥିତି ଅନୁଧ୍ୟାନ ଲାଗି ଏଏସ୍‌ଆଇ କାହିଁକି ଟିମ୍ ପଠାଉନାହାନ୍ତି? ସଂସଦକୁ ଏ ପ୍ରସଙ୍ଗ ଯିବା ପରେ ଏହି କେନ୍ଦ୍ରୀୟ ସଂସ୍ଥାମାନେ କିଭଳି ଚୁପ୍ ରହିବେ? ଏହାର ଜବାବ ସେମାନଙ୍କୁ ଦେବାକୁ ପଡ଼ିବ ଏବଂ ସେମାନେ ମଧ୍ୟ ଏହି ଅପରାଧରେ ଅପରାଧୀ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ସୁରକ୍ଷିତ ଅଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିପାରିବେ ନାହିଁ। ସରକାର କିମ୍ବା ମନ୍ତ୍ରୀ କେହି ବିଶେଷଜ୍ଞ ନୁହନ୍ତି। ସେଥିପାଇଁ ତୁରନ୍ତ ବିଶେଷଜ୍ଞମଣ୍ଡଳୀ ଗଠନ କରି ସ୍ଥିତି ଅନୁଧ୍ୟାନ କଥା କୁହାଯାଉଛି। ଏହା ସହିତ ଗୃହ କମିଟି ଗଠନରେ ଥିବା ଅସଙ୍ଗତି ନେଇ ମଧ୍ୟ ସେ ଠାରିଥିଲେ। ସରକାରଙ୍କ ଦାୟିତ୍ବହୀନତା ଯୋଗୁଁ ବିଶୃଙ୍ଖଳା ଏବେ ଚରମସୀମାରେ। ସମ୍ଭବତଃ ସମୁଦାୟ ପ୍ରସଙ୍ଗରେ ମହାପ୍ରଭୁଙ୍କ ଭକ୍ତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶଦ ଅନୁଧ୍ୟାନ କରିନାହାନ୍ତି। ସ୍ଥିତି ବିଗିଡିବା ପୂର୍ବରୁ ସେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଉଲ୍ଲେଖଥାଉକି, ଶ୍ରୀମନ୍ଦିର ପାଣ୍ଠି ଏଜିଙ୍କ ଦ୍ବାରା ଅଡିଟ୍ କଥା କୋର୍ଟ କହିଥିଲେ ବି ଏ ନେଇ ସରକାର ଅନୁମତି ନ େଦବା ଘଟଣା ନେଇ ଶ୍ରୀ ମହାପାତ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର