ପୁରୀ: ଶ୍ରୀମନ୍ଦିର ଭିତରେ ଗତକାଲିର ସିଂହାରୀ ନିଯୋଗ କଳି ଥାନାରେ ପହଞ୍ଚିଛି। ଦୋଳମଣ୍ଡପ ସାହି ଶଙ୍ଖମିତ୍ର ସିଂହାରୀ ଏସଂପର୍କରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ତାଙ୍କୁ ସମସ୍ତ ଭକ୍ତ ଓ ସେବାୟତଙ୍କ ଆଗରେ ନିଯୋଗର କିଛି ନିର୍ଦ୍ଦିଷ୍ଟ ସେବାୟତ ଗାଳିଗୁଲଜ କରିବା ସହ ତାଙ୍କ ଚରିତ୍ର ସଂହାର କରିଥିଲେ। ଏଣୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି ସେ।

Advertisment

ସିଂହାରୀ ସେବକ ଶଙ୍ଖମିତ୍ର ସିଂହାରୀଙ୍କୁ ନେଇ ଗତକାଲି ବିବାଦ ଦେଖା ଦେଇଥିଲା। ଶ୍ରୀମନ୍ଦିର ସିଂହାରୀ ନିଯୋଗର କିଛି କାର୍ଯ୍ୟକର୍ତ୍ତା ଅଜାତିରେ ବିବାହ କରିଥିବାରୁ ସେ ଶ୍ରୀମନ୍ଦିରରେ ପାଳି ଖଟିବାକୁ ଅଯୋଗ୍ୟ ବୋଲି ଯୁକ୍ତି ବାଢ଼ିଥିଲେ। ରତ୍ନ ସିଂହାସନରେ ମଙ୍ଗଳଆଳତି, ମଇଲମ ଆଦି କରିସାରିବା ପରେ ବି ସେ ରତ୍ନ ସିଂହାସନରୁ ଓହ୍ଲାଇଲେ ନୀତି ଆରମ୍ଭ ହେବ, ନ ହେଲେ ବନ୍ଦ ରହିବ ବୋଲି କହିଥିଲେ। ସେହିଭଳି ସିଂହାରୀ ନିଯୋଗ ତାଙ୍କୁ ନିଲମ୍ବିତ କରିଛି, ସେ ପାଳି ଖଟିବାକୁ ଅଯୋଗ୍ୟ ବୋଲି କଟାକ୍ଷ କରି କହିଥିଲେ। କିନ୍ତୁ ଶ୍ରୀ ସିଂହାରୀ ରତ୍ନ ସିଂହାସନ ତଳକୁ ଓହ୍ଲାଇ ନଥିଲେ। ଏହାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ସକାଳ ପ୍ରାୟ ୭ଟାରୁ ଅପରାହ୍ଣ ପ୍ରାୟ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ କୌଣସି ନୀତିକାନ୍ତି ହୋଇପାରିନଥିଲା। ପରେ ବଡ଼ ମହାସ୍ନାନ ହୋଇ ପୁଣିଥରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହି ବିବାଦ ପରେ ଶ୍ରୀ ସିଂହାରୀ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶାଢ଼ିବନ୍ଧା ପୁଷ୍ପାଳକ ସେବକ। ଗତକାଲି ସକାଳେ ଶ୍ରୀମନ୍ଦିର ଚର୍ଚ୍ଚା ଘରକୁ ଆସି ପାଳି ଥିବା ଜଣାଇବାରୁ ସେ ମହାପ୍ରଭୁଙ୍କ ପାଳି ଖଟିବାକୁ ଯାଇଥିଲେ।

ଏଣୁ ସେ ରତ୍ନ ସିଂହାସନକୁ ଉପରକୁ ଯାଇ ମଝି ବାଡ଼(ମା’ ସୁଭଦ୍ରା)ରେ ମଙ୍ଗଳଆଳତି ଓ ମଇଲମ କରିଥିଲେ। ଆଗାମୀ ନୀତି ପାଇଁ ତିନି ପାଳିଆ ପୁଷ୍ପାଳକ ରତ୍ନ ସିଂହାସନ ଉପରେ ଅପେକ୍ଷା କରି ରହିଥିଲେ। ଏହି ସମୟରେ ଜୟ-ବିଜୟ ଦ୍ବାର ପାଖରୁ କିଛି ସେବାୟତ ହୋହଲ୍ଲା କରିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିମନ୍ଦ କରିଥିଲେ। ଏହା ଦେଖି ଅନ୍ୟ ପାଳିଆ ସେବକମାନେ ଉଦ୍ଦେଶ୍ୟମୂଳକ ଭାବେ ଅସହଯୋଗ କରିଥିଲେ। ନିଜର ସ୍ବାର୍ଥ ସାଧନା ଓ ଅହଂକାର ଓ ବଡ଼ିମା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିକୁ ସେମାନେ ୫ ଘଣ୍ଟା ବିଳମ୍ବ କଲେ। ଅପରାହ୍ଣ ପ୍ରାୟ ୧ଟାରେ କିଛି ସେବାୟତ ଗୋଷ୍ଠୀ ରତ୍ନ ସିଂହାସନରୁ ଓହ୍ଲାଇ ଆସିବାକୁ କହିବାରୁ ସେ ଓହ୍ଲାଇ ଆସିଥିଲେ। କିନ୍ତୁ କିଛି ସେବାୟତ ଭକ୍ତ ଓ ଅନ୍ୟ ସେବାୟତଙ୍କ ଆଗରେ ତାଙ୍କ ଚରିତ୍ରକୁ ଯେଭଳି ବିକୃତ କରିଛନ୍ତି, ଏହା ତାଙ୍କର ସମ୍ମାନହାନୀ କରିଛି। ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ପାଇଁ ସଂପୃକ୍ତ ସେବାୟତମାନେ ସଂପୂର୍ଣ୍ଣ ଦାୟୀ ଓ ଦୋଷୀ । ଏହି ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ସିଂହାରୀ ନିବେଦନ କରିଛନ୍ତି।