ପୁରୀ : ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟର ପୂର୍ଣ୍ଣାଙ୍ଗ ବିକାଶ ଚାଲିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ କରି ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ବର ଅନନ୍ୟ ସହର କରି ଗଢ଼ି ତୋଳିବାକୁ ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଯେଉଁ ଶ୍ରୀମନ୍ଦିର ପାଇଁ ଏହି ବିକାଶର ନକ୍ସା ଅଙ୍କା ଯାଉଛି, ତାହାର କାର୍ଯ୍ୟାଳୟ କ୍ରମେ କୋମା ଅବସ୍ଥାକୁ ଚାଲିଗଲାଣି। ବର୍ଷ ବର୍ଷ ଧରି ଏଠାରେ ପ୍ରାୟ ୨ଶହ କର୍ମଚାରୀ ପଦବି ଖାଲି ପଡ଼ିଥିଲେ ବି ନୂ୍ଆ ନିଯୁକ୍ତି ଦିଆଯାଉନି। ଅପରପକ୍ଷେ ନୂଆ ନିଯୁକ୍ତି ବଦଳରେ ଯେଉଁ କର୍ମଚାରୀମାନେ ଏଠାରୁ ଅବସର ନେଉଛନ୍ତି, ସେମାନଙ୍କୁ ପୁନଃନିଯୁକ୍ତି ଦିଆଯାଉଛି। ଫଳରେ ଏହା ଏକ ଥଇଥାନ କେନ୍ଦ୍ର ପାଲଟିଛି। ‌ପଦବିର ମୋହ ‌ଏତେ ଗ୍ରାସିଛି ଯେ ବର୍ଷେ କି ଦୁଇ ବର୍ଷ ନୁହେଁ, ଜଣେ ଜଣେ କର୍ମଚାରୀ ଅବସର ପ‌ରେ ବି ୧୦ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। ରାଜ୍ୟ ସରକାରଙ୍କ ଚାକିରି ନିୟମକୁ ବି ଏଠାରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।

Advertisment

୬୫ ବର୍ଷ ପରେ ଅବସରପ୍ରାପ୍ତ କର୍ମଚାରୀ ଅବା ଅଧିକାରୀଙ୍କୁ ପୁନଃନିଯୁକ୍ତି ନିଷିଦ୍ଧ ଥିବାବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୭୫ ବର୍ଷ ପରେ ବି ଅନେକଙ୍କୁ ଥଇଥାନ କରାଯାଇଛି। ବଡ଼ କଥା ହେଉଛି, ଏମାନଙ୍କ ପାଇଁ ନୂଆ ପଦବି ସବୁ ସୃଷ୍ଟି କରାଯାଇଛି, ଯାହା ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ଥିବା ପଦବି ବର୍ହିଭୂତ। ସେପଟେ ଯେଉଁମାନେ ଅବସର ନେଇନାହାନ୍ତି, ସେମାନେ ବି ଗୋଟିଏ ପଦରେ ୧୫ରୁ ୨୦ ବର୍ଷ ଧରି ବସି ରହିବା ଦୁର୍ନୀତିର ବାଟକୁ ପ୍ରଶସ୍ତ କରୁଥିବା ଅଭିଯୋଗ ହୋଇଛି। ଫଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ମହଲରେ ବି ଅସନ୍ତୋଷ ବଢ଼ୁଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବି ଏହି ପ୍ରସଙ୍ଗକୁ ନେଇ ଅନେକ ଥର ତୁମ୍ବିତୋଫାନ ହୋଇଛି। ତଥାପି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅନ୍ୟମାନେ ଏ ଦିଗରେ ନିରବତା ଅବଲମ୍ବନ କରିବା ସେବାୟତ, ଭକ୍ତ ମହଲରେ ସନ୍ଦେହ ସୃଷ୍ଟି କରିଛି।

ଖାଲି ପଡ଼ିଛି ୨ଶହ ପଦ, ନୂଆ ନିଯୁକ୍ତି ପାଇଁ କୁନ୍ଥକୁନ୍ଥ
ଠିକା ସଂସ୍ଥା ଜରିଆରେ ଚାଲିଛି ଭିତିରିଆ ନିଯୁକ୍ତି
ପୂର୍ବ ମୁଖ୍ୟ ପ୍ରଶାସକ ଏସ୍‌ଏସ୍‌ସି ଜରିଆରେ ନୂଆ ନିଯୁକ୍ତି ପାଇଁ କରିଥିଲେ ଚିଠି

publive-image Wikimedia Commons

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଧିକାରୀ, କିରାଣି, କର୍ମଚାରୀଙ୍କୁ ମିଶାଇ ପ୍ରାୟ ୪ଶହ ପଦବି ରହିଛି। ଅଳ୍ପ କିଛି ଓଏଏସ୍‌, ଓପିଏସ୍‌, ଓଇଏସ୍‌ ପଦବିକୁ ଛାଡ଼ିଦେଲେ ବାକି ପଦବି ଗ୍ରୁପ-ସି ଓ ଗ୍ରୁପ-ଡ ବର୍ଗର। ଓଏଏସ୍‌, ଓପିଏସ, ଓଇଏସ୍‌ ପଦବି କଥା ଭିନ୍ନ କଥା, କିନ୍ତୁ ଅନ୍ୟ ଯେଉଁ କର୍ମଚାରୀମାନେ ରହୁଛନ୍ତି, ସେମାନେ ଯେଉଁ ଚାକିରିରେ ଯୋଗ ଦେଉଛନ୍ତି, ସେହି ଜାଗାରେ ବର୍ଷ ବର୍ଷ ଧରି ରହିବା ପରେ ସେହି ସେକ୍ସନ୍‌ରେ ଥାଇ ପଦୋନ୍ନତି ଦିଆଯାଇଛି। ଏଣୁ ଏହି କର୍ମଚାରୀଙ୍କ ମନମୁଖି ଶାସନ ଚାଲିବା ସ୍ବାଭାବିକ। ସେପଟେ ଦିନକୁ ଦିନ ବେକାରି ସମସ୍ୟା ବଢ଼ୁଥିବାବେଳେ ଯେଉଁ ପଦବି ଖାଲି ଅଛି, ଅତୀତରେ ପୂର୍ବତନ ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ଓଡ଼ିଶା ଷ୍ଟାଫ ସିଲେକ୍ସନ୍‌ କମିସନ ଜରିଆରେ ନୂଆ ନିଯୁକ୍ତି ପାଇଁ ଚିଠି କରିଥିଲେ। କିନ୍ତୁ କ୍ରିଷନ୍‌ କୁମାରଙ୍କ ବଦଳି ପରେ ଏହି ଚିଠିକୁ ଚାପି ଦିଆଯାଇଛି। ପ୍ରତି ବଦଳରେ ଏଷ୍ଟାବ୍ଲିସମେଣ୍ଟ, ନିଜାରତ, ରାଜସ୍ବ, ଅର୍ଥ, ଜମିଜମା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌ ଅଧିକାରୀଙ୍କ ଅବସର ପରେ ତାଙ୍କୁ ଓଏସ୍‌ଡି ଭାବେ ଏହି ପଦବିରେ ପୁନଃନିଯୁକ୍ତି ମିଳିଛି। ପୂର୍ବତନ କମାଣ୍ଡରଙ୍କ ଅବସର ପରେ ତାଙ୍କୁ ନୀତି ବିଭାଗ ଓଏସ୍‌ଡି ଭାବେ ପୁନଃନିଯୁକ୍ତି ମିଳିଛି। ସେହିଭଳି ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ନୀତି ଓଆଇସି ଭାବେ ନିଯୁକ୍ତି ମିଳିଛି। ରାଜସ୍ବ, ଅର୍ଥ, ଜମିଜମା ବିଭାଗ ପାଇଁ ବି ଅବସର ନେଇ ସାରିଥିବା ଅଧିକାରୀଙ୍କୁ ଓଏସ୍‌ଡି ଭାବେ ପୁନଃନିଯୁକ୍ତି ମିଳିଛି। ଏମାନେ ଅବସର ପରେ ପେନସନ୍‌ ପାଉଥିବା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ୩୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ବି ପାଉଛନ୍ତି। ଏଥିରୁ ଅଧିକାଂଶ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଅବସର ପରେ ପେନସନ୍‌ ସହ ଅବସର ପରବର୍ତ୍ତୀ ଚାକିରି ପାଇଁ ପୁଣି ଦରମା ବି ନେଉଛନ୍ତି।

publive-image

ସେପଟେ ଜେଟିପି, କିରାଣି, ଡାଟା ଏଣ୍ଟ୍ରି ଆଦି ପଦବିକୁ ମିଶାଇ ପ୍ରାୟ ୨ଶହ ପଦବି ଖାଲି ପଡ଼ିଥିବାବେଳେ ଏହି ପଦବିରେ ଷ୍ଟାଫ୍‌ ସିଲେକ୍ସନ କମିସନ ଜରିଆରେ ନୂଆ ନିଯୁକ୍ତି ବଦଳରେ ଆଉଟ୍‌ସୋର୍ସିଂ ଜରିଆରେ ପ୍ରାୟ ଶହେ ଜଣଙ୍କୁ ଥଇଥାନ କରାଯାଇଛି। ନା କୌଣସି ବିଜ୍ଞପ୍ତି ବାହାରୁଛି, ନା କୌଣସି ଘୋଷଣା କରାଯାଉଛି। ବିନା ବିଜ୍ଞପ୍ତିରେ ଏଭଳି ନିଯୁକ୍ତିକୁ ସେବାୟତ, ଭକ୍ତମାନେ ଖୋଲା ବିରୋଧ କରିବା ସହ ଏହି ଚଞ୍ଚକତାର ବିଧିବଦ୍ଧ ତଦନ୍ତ ହେବା ଦରକାର ବୋଲି ମତ ‌ରଖିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ବରିଷ୍ଠ ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ଖାଲି ପଦବି ପୂରଣ ପାଇଁ ପରିଚାଳନା କମିଟି ବୈଠକରେ ବହୁବାର ଆଲୋଚନା ହୋଇଛି। ଏପରିକି ଯେଉଁମାନେ ଅବସର ପରେ ଚାକିରି କରିଛନ୍ତି, ସେମାନଙ୍କୁ ବାହାର କରି ନୂଆ ନିଯୁକ୍ତି ଦେବାକୁ ପରିଚାଳନା କମିଟି ସଦସ୍ୟମାନେ ପ୍ରସ୍ତାବ ଦେଇଛନ୍ତି। ସେପଟେ ଯେଉଁ କର୍ମଚାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାକିରି କରିଛନ୍ତି, ସେମାନଙ୍କୁ ଯଦି ପ୍ରତି ବିଭାଗକୁ ନିର୍ଦ୍ଦିଷ୍ଟ ସମୟରେ ବଦଳି ହୁଅନ୍ତା, ସେମାନେ ଅନ୍ୟ ବିଭାଗ ସମ୍ପର୍କରେ ଜ୍ଞାନ ଆହରଣ କରି ପାରନ୍ତେ। ଫଳରେ କେହି ଯଦି ଅବସର ନେଲା, ଏମାନେ କାମ ଚଳାଇ ପାରନ୍ତେ। କିନ୍ତୁ ସେଭଳି କିଛି କରାଯାଉନି। ଏହା ଆଦୌ ଠିକ୍‌ ନୁହେଁ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌ ଅଧିକାରୀ ତଥା ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଶ୍ରୀମନ୍ଦିରରେ ବହୁ ପଦବି ଖାଲିପଡ଼ିଛି କଥାକୁ ସ୍ବୀକାର କରି ଅନ୍ୟ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି।