‘ଫେମିନା ମିସ୍‌ ଇଣ୍ଡିଆ’ ଫାଇନାଲରେ ଶ୍ରୁତିକ୍ଷା

ଭୁବନେଶ୍ୱର : ‘ଏଫ୍‌ବିବି କଲର୍ସ ଫେମିନା ମିସ୍‌ ଇଣ୍ଡିଆ’ରେ ଯୋଗ ଦେବେ ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। ଏହି ସୁନ୍ଦରୀ ମୁକୁଟ ଜିତିବା ପାଇଁ ସେ ଆଉ ଏକ ସୋପାନ ଆଗକୁ ଚଢ଼ିଛନ୍ତି। କୋଲ୍‌କାତାର ସ୍ୱିସୋଟେଲ୍‌ ହୋଟେଲ୍‌ରେ ଆୟୋଜିତ ‘ପୂର୍ବାଞ୍ଚଳ କ୍ରାଉନିଂ ସେରିମୋନି’ରେ ଆଉ ଦୁଇ ଜଣ ଓଡ଼ିଆ ଝିଅ ପ୍ରିୟା କୌସାଗାରା, ଐଶ୍ୱର୍ଯ୍ୟା ଜେନାଙ୍କୁ ପଛରେ ପକାଇ ଶ୍ରୁତିକ୍ଷା ଆସନ୍ତା ଜୁନ୍‌ରେ ମୁମ୍ବାଇରେ ଆୟୋଜିତ ଗ୍ରାଣ୍ଡ୍‌ ଫିନାଲେ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୁତିକ୍ଷାଙ୍କ ସହ ପୂର୍ବଞ୍ଚାଳର ୧୪ ଜଣ ପ୍ରତିଯୋଗୀ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଅଂଶଗ୍ରହଣ କରିବେ।

ଶ୍ରୁତିକ୍ଷା କିଟ୍‌ ବିଶ୍ୱବିଦ୍ୟାଳୟରେ ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ’ ବିଭାଗର ଛାତ୍ରୀ। ପିତା କରୁଣାକର ନାୟକ ଓ ମା’ ପୁନମ୍‌ ନାୟକଙ୍କ ସହ ସେ ଆଇଆର୍‌ସି ଭିଲେଜ ସ୍ଥିତ ଘରେ ରହନ୍ତି। ପିଲା ଦିନରୁ ନୃତ୍ୟରେ ବେଶ୍‌ ପ୍ରବୀଣା ଶ୍ରୁତିକ୍ଷା ଜି ଟିଭିରେ ପ୍ରସାରିତ ଡ୍ୟାନ୍ସ ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ରାନ୍ସରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶ୍ରୁତିକ୍ଷା ମୁମ୍ବାଇରେ ଗ୍ରାଣ୍ଡ୍‌ ଫିନାଲେରେ ଯୋଗ ଦେବାକୁ ଯାଉଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ସେଠାରେ ଆୟୋଜିତ ୭ ଦିନର ବିଭିନ୍ନ ରାଉଣ୍ଡ୍‌ରେ ବହୁତ କିଛି ଶିଖିବାକୁ ମିଳିଥିବା ବେଳେ ଫେମିନା ମିସ୍‌ ଇଣ୍ଡିଆ-୨୦୦୯ ପୂଜା ଚୋପ୍ରାଙ୍କ ତତ୍ତ୍ୱାବଧାନରେ ନିଜକୁ ଅଧିକ ମାର୍ଜିତ କରିବାର ସୁଯୋଗ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଗ୍ରାଣ୍ଡ ଫିନାଲେ ପୂର୍ବରୁ ମୁମ୍ବାଇରେ ତାଙ୍କ ଗ୍ରୁମିଂ କୋଚିଂ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର