ଭୁବନେଶ୍ବର: ମହିଳା ଟ୍ରାଫିକ୍‌ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ଆଜି କ୍ୟାପିଟାଲ୍‌ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ପୁଲିସ ସେବାଭବନ ଆକାଉଣ୍ଟସ୍‌ ସେକ୍ସନରେ କାମ କରୁଥିବା ପୂର୍ବତନ କନେଷ୍ଟବଳ ଦୀପକ ରାଉତ(୩୯)କୁ କୋର୍ଟ ଚାଲାଣ କରିଛି। ଏଥିସହିତ କିଛି ଟଙ୍କା ପାଇଁ ଲୋଭର ବଶବର୍ତ୍ତୀ ହୋଇ ଏକ ସଙ୍ଗିନ ହତ୍ୟା ମାମଲାକୁ ଚାପିଦେବା ଲାଗି ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ପୁଲିସ ଦୀପକର ମାଉସୀ ପୁଅ ଭାଇ ବିନୋଦ ଭୂୟାଁ ଓରଫ ପପୁ(୩୮) ଓ ଶମ୍ଭୁନାଥ ମହାନ୍ତ ଓରଫ ଜଟିଆ(୨୩)କୁ ମଧ୍ୟ କୋର୍ଟ ଚାଲାଣ କରିଛି। ପରେ ୩ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଆଜି ଡିସିପି ଜଗମୋହନ ମୀନା ଅଭିଯୁକ୍ତ କନେଷ୍ଟବଳ ଦୀପକକୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଦୀପକର ଘର ଯାଜପୁରଜିଲ୍ଲା ଟମକା ଥାନା ବାଙ୍ଗରପତାରେ, ମାଉସୀ ପୁଅ ପପୁର ଘର କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ କୁସୁନପୁରରେ ଏବଂ ଜଟିଆର ଘର କୁସୁନପୁର ନିକଟରେ।  

ରାତିସାରା ଗାଡ଼ିରେ ରଖିଥିଲା ଶବ
୩ ଜଣଙ୍କୁ ବାନ୍ଧିଲା ପୁଲିସ 
ଚାକିରିରୁ ନିଲମ୍ବିତ
Advertisment

ଜେରା ବେଳେ ଦୀପକ କହିଛି ଯେ ୨୦୨୪ ଜୁଲାଇ ୨୩ ତାରିଖରେ ସେ ଓ ଶୁଭମିତ୍ରା କୋର୍ଟ ମ୍ୟାରେଜ୍‌ କରିଥିଲେ। ରାଜଧାନୀରେ ଏକ ଜମି ଓ ଫ୍ଲାଟ୍‌ କିଣିବା ପାଇଁ ସେମାନେ ଯୋଜନା କରିଥିଲେ। ଏଥିପାଇଁ ସେ ଶୁଭମିତ୍ରାଙ୍କଠାରୁ ଅଗଷ୍ଟ ମାସରେ ୧୩ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ଜମି କି ଘର ନ କିଣିବାରୁ ଶୁଭମିତ୍ରା, ଦୀପକକୁ ଟଙ୍କା ଫେରସ୍ତ ମାଗିଥିଲେ। ୧୩ ଲକ୍ଷ ଟଙ୍କା ସହ ବାହାଘର ପ୍ରସ୍ତୁତି ପାଇଁ ୭ ଲକ୍ଷ ଏମିତି ସେ ୨୦ଲକ୍ଷ ଟଙ୍କା ମାଗିଥିଲେ। ଅଗଷ୍ଟ ୨୬ ତାରିଖରେ ଦୀପକ ୧୦ଲକ୍ଷ ଟଙ୍କା ଫେରସ୍ତ କରିଥିଲା। ବାକି ୧୦ଲକ୍ଷ ଟଙ୍କା ସେପ୍ଟେମ୍ବର ୧ରେ ଫେରାଇବାକୁ କହିଥିଲା। ତେବେ ୧ ତାରିଖରେ ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା। ଦୀପକ ବି ଆଉ ଟଙ୍କା ‌ନ ଫେରାଇବାକୁ ସ୍ଥିର କରିବା ସହ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ତାଙ୍କ ନାଁରେ ଥିବା କୋଟିଏ ଟଙ୍କାର ବୀମା ଉପରେ ବି ଦୀପକ ନଜର ପକାଇଥିଲା। ଯୋଜନା ମୁତାବକ ଗତ ୬ ତାରିଖ ଦିନ ଉଭୟେ ସାଢ଼େ ୨ଟା ସମୟରେ ଖାଇବା ପାଇଁ ଏକାଠି ଅଫିସ୍‌ରୁ ବାହାରିଥି‌ଲେ। ବାଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଥିଲା। ଦୀପକ ରାଜଭବନ ଛକ ନିକଟ ରାସ୍ତାକଡ଼ରେ ଏକ ଜାମୁଗଛ ନିକଟରେ ଗାଡ଼ିକୁ ଅଟକାଇ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ କାର୍‌କୁ ନେଇ ମହତାବ ରୋଡ୍‌ରେ ଥିବା ଭାଇ ଭାଉଜଙ୍କ ଘର ନିକଟରେ ରଖି ଘୋଡ଼ାଇ ଦେଇଥିଲା ଏବଂ ପପୁକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲା। ଘଟଗାଁରେ ଶବକୁ ଲୁଚାଇବାରେ ସହଯୋଗ କଲେ କିଛି ଟଙ୍କା ଦେବାକୁ କହିଥିଲା। ଯୋଜନା ମୁତାବକ ପପୁ ଓ ଜଟ ଘଟଗାଁରେ ପାଇଖାନା ଟାଙ୍କି ଖୋଳିବାକୁ କହି ଏକ ଜେସିବି ଡକାଇଥିଲେ। ରାତିରେ ଟାଙ୍କି ଖୋଳା ହୋଇଥିଲା। ଭୋର ୫ଟାରେ ଦୀପକ କାର୍‌ରେ ଶବକୁ ନେଇ ସାଢ଼େ ୮ଟା ସମୟରେ ଘଟଗାଁର ପହଞ୍ଚିବା ପରେ ୩ଜଣ ମିଶି ଶବକୁ ପୋତିଥିଲେ।

ଟ୍ରେନ୍‌ ଧକ୍କାରେ ଶୁଭମିତ୍ରାଙ୍କ ସମ୍ପର୍କୀୟ ମୃତ

ଭୁବନେଶ୍ବର: ପଟିଆ ରେଳ ଷ୍ଟେସନ୍ ପ୍ଲାଟ୍‌ଫର୍ମ-୧ରେ ଟ୍ରେନ୍‌ରୁ ଓହ୍ଲାଇବା ବେଳେ ଅସାବଧାନତାରୁ ଏକ ଦମ୍ପତି ଭୟାନକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ପତ୍ନୀଙ୍କର ଜୀବନ ଚାଲିଯାଇଥିଲା ବେଳେ ସ୍ବାମୀ ଗୁରୁତର ଅଛନ୍ତି। ଏହି ଦମ୍ପତ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ସମ୍ପର୍କୀୟ। ଶୁଭମିତ୍ରାଙ୍କୁ ଶେଷ ଦର୍ଶନ କରି ଫେରିବା ବେଳେ ଏହି ଅଘଟଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନ୍‌ ପଟିଆ ରେଳ ଷ୍ଟେସନରେ ଲାଗିଥିଲା। ଏଥିରୁ ପ୍ରଫୁଲ ପଟ୍ଟନାୟକ (୫୨) ଓ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକ(୫୦) ପ୍ଲାଟ୍‌ଫର୍ମର ଓହ୍ଲାଇ ଥିଲେ। ତେବେ ଅସାବଧାନତା କାରଣରୁ ସେମାନେ ପ୍ଲାଟଫର୍ମର ଭୁଲ ଦିଗରେ ଓହ୍ଲାଇ ପଡ଼ିଥିଲେ।  ଏହି ସମୟରେ କଟକ ଦିଗରୁ ଆସୁଥିବା ଖଡ଼ଗପୁର‌-ଭିଲିପୁରମ୍ ଏକ୍ସପ୍ରେସ୍ ସମ୍ମୁଖରେ ପଡ଼ିଯାଇଥିଲେ। ଏଥିରେ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀ ପ୍ରଫୁଲ୍ଲଙ୍କୁ ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଆର୍‌ପି ଓ ଇନ୍‌ଫୋସିଟି ଥାନା ପୁଲିସ୍  ଚିକିତ୍ସାପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆସନ୍ତାକାଲି କ୍ୟାପିଟାଲ୍‌ ହସପିଟାଲରେ ଅନ୍ନପୂର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ କରାଯିବ।

ପ୍ରଥମ ପତ୍ନୀଙ୍କ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି ଦୀପକର ପ୍ରଥମ ପତ୍ନୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବୀମା ଟଙ୍କା ହାତେଇବା ପାଇଁ ତାଙ୍କୁ ମଧ୍ୟ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୨୦୧୮ ଏପ୍ରିଲ୍‌ ୨୫ରେ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ପ୍ରେମବିବାହ କରିଥିଲା। ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ। ୨୦୨୨  ମାର୍ଚ୍ଚ ୧୭ରେ ସଡ଼କ ଦୁର୍ଘଟଣାରେ ତା‌ଙ୍କ ମୃତ୍ୟୁ ଘଟିଥିବା ଦୀପକ କହିଥିଲା। ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ନେଇ ଦୀପକ ଏକ କାହାଣୀ ରଚିଥିଲା ବୋଲି ଏବେ ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି। ଓଡି-୦୨-ଏସ୍‌-୩୪୮୬ ନମ୍ବର ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଦୀପକ ଷଡ୍‌ଯନ୍ତ୍ର କରି ଅପର୍ଣ୍ଣାଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅପର୍ଣ୍ଣାଙ୍କ ପରିବାର ଦାବି କରିଛନ୍ତି।