ସମ୍ବଲପୁର: ବିରୋଧୀ ଦଳର ନେତା ତଥା ସମ୍ବଲପୁରର ଚାରିଥରିଆ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ମିଶ୍ର ଏବେ ଚର୍ଚ୍ଚାରେ ରହିଛନ୍ତି। ସବୁବେଳେ ବିଭିନ୍ନ କାରଣ ଏବଂ ଶାଣିତ ସ୍ବର ପାଇଁ ଚର୍ଚ୍ଚାରେ ରହୁଥିବା ଜୟ ନାରୟଣଙ୍କ ଭଳି ତାଙ୍କ ଝିଅ ଶୁଭଶ୍ରୀ ମିଶ୍ର ମଧ୍ୟ ଗତ ୧୭ ତାରିଖ ଦିନ ଏକ ମାଷ୍ଟର ଷ୍ଟ୍ରୋକ୍ ମାରିଥିଲେ। ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିବାକୁ ବିରୋଧକରି ଜୟ ନାରୟଣଙ୍କ ବାସଭବନ ସମ୍ମୁଖରେ କିନ୍ନରମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଶୁଭଶ୍ରୀ ପିତା ଜୟ ନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା କିନ୍ନରମାନଙ୍କ ପାଖକୁ ଆସି ଅତ୍ୟନ୍ତ ନମ୍ର ଭାବରେ କଥା ହୋଇଥିଲେ। ଖରାରେ ବସିବା କାରଣରୁ ‌ଶୋଷିଲା ଥିବା କିନ୍ନରମାନଙ୍କୁ ଥଣ୍ଡା ପାଣି ପିଆଇଥିଲେ। ସେଦିନ ଜୟ ନାରାୟଣଙ୍କ ଜନ୍ମଦିନ ଥିବାରୁ କିନ୍ନରମାନଙ୍କୁ ମିଠା ବାଣ୍ଟି ସ୍ଥିତିକୁ ପୂରାପୂରି ବଦଳାଇ ଦେଇଥିଲେ। ଜୟ ନାରାୟଣଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା କିନ୍ନରମାନେ ପାଲଟା ତାଙ୍କ ଝିଅ ଶୁଭଶ୍ରୀଙ୍କୁ ଆଶୀର୍ବାଦ ଦେଇ ସେଠାରୁ ଚାଲି ଯାଇଥିଲେ। ଆଇନ ବିଷୟରେ ଅଧ୍ୟୟନ କରୁଥିବା ଶୁଭଶ୍ରୀ ସାମ୍ବାଦିକଙ୍କ ସହିତ କଥା ହେବା ସମୟରେ ରାଜନୀତିରେ ତାଙ୍କ ରୁଚି ରହିଥିବା ସୂଚନା ଦେଇଥିଲେ।

Advertisment

ତ‌େବେ, ଲୋକେ ଚାହିଲେ ସେ ରାଜନୀତିକୁ ଆସିବେ ବୋଲି ଜଣେ ଅନୁଭବୀ ବ୍ୟକ୍ତିଙ୍କ ଭଳି ଟିପ୍ପଣୀ ଦେଇଥିଲେ। ଅଧ୍ୟୟନ ନିମେନ୍ତ ପ୍ରାୟତଃ ରାଜଧାନୀରେ ରହୁଥିବା ଶୁଭଶ୍ରୀଙ୍କୁ ଏହା ପୂର୍ବରୁ କରୋନା କଟକଣା ହଟିବା ପରେ ସମ୍ବଲପୁର ଜିଲ୍ଲାର କେତେକ କାର୍ଯ୍ୟକ୍ରମରେ ତାଙ୍କ ପିତାଙ୍କ ସହିତ ଦେଖିବାକୁ ମିଳିଥିଲା। ୧୭ ତାରିଖର ଘଟଣାକୁ ନେଇ ଏବ‌େ ଚର୍ଚ୍ଚାରେ ରହିଥିବା ଶୁଭଶ୍ରୀ ଆଗାମୀ ଦିନରେ ରାଜନୀତିକୁ ଓହ୍ଲାଇବା ସମ୍ଭାବନା ଅଧିକ ରହିଛି। ଏବେ ପ୍ରାୟତଃ ନେତାମାନେ ନିଜ ପୁଅଝିଅମାନଙ୍କୁ ରାଜନୀତିରେ ଥଇଥାନ କରିବାକୁ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି। ବିଜେଡି ସହିତ ଅନ୍ୟ ଦଳଗୁଡ଼ିକ କ୍ଷେତ୍ରରେ ସେଭଳି ଉଦାହରଣ ଅଧିକ ରହିଛି। ଯଦିଓ, ବିଜେପି ପରିବାରବାଦ ରାଜନୀତି ବିରୋଧରେ କହିଥାଏ, ତଥାପି, କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଏଭଳି ସ୍ଥିତିରେ ଆଗାମୀ ଦିନରେ ଜୟ ନାରାୟଣଙ୍କ କ୍ଷେତ୍ରରେ ସେଭଳି ବ୍ୟତିକ୍ରମ ଘଟିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଚ‌ାଲିଛି।