‘ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର’ ପାଇବେ ଶୁଭଶ୍ରୀ, କିଶୋର ଓ ଲିପିକା

ବାଲେଶ୍ବର : କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର’ ବିଗତ ୩ ବର୍ଷ (୨୦୧୯, ୨୦୨୦ ଓ ୨୦୨୧) ପାଇଁ ଯଥାକ୍ରମେ କବି ଡ. ଶୁଭଶ୍ରୀ ଲେଙ୍କା, କିଶୋର ପାଣିଗ୍ରାହୀ ଓ ଲିପିକା ଦାସ ପାଇବେ ବୋଲି ଏକ ପ୍ରେସ୍‌ ବିବୃତିରେ ଘୋଷଣା କରାଯାଇଛି। ୨୦୧୯ ବର୍ଷ ପାଇଁ ମନୋନୀତ ହୋଇଥିବା କବି ଡ. ଶୁଭଶ୍ରୀ ଲେଙ୍କା ୬ଟି କବିତା ପୁସ୍ତକର ସ୍ରଷ୍ଟା ହୋଇଥିବା ବେଳେ ୨୦୨୦ ବର୍ଷରେ ଏହି ପୁରସ୍କାର ପାଉଥିବା କିଶୋର ପାଣିଗ୍ରାହୀଙ୍କର ୩ଟି କବିତା ପୁସ୍ତକ ପ୍ରକାଶିତ ହୋଇଛି।

ସେହିପରି ୨୦୨୧ ବର୍ଷ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କବି ଲିପିକା ଦାସଙ୍କ ଅଛି ୬ଟି କବିତା ସଂକଳନ। ଏହି ତିନିଜଣ କବି ଓଡ଼ିଆ କବିତା କ୍ଷେତ୍ରରେ ବେଶ୍ ପରିଚିତ ଏବଂ ନିରବଚ୍ଛିନ୍ନ ଭାବେ କବିତା ସର୍ଜନାରେ ସକ୍ରିୟ ଅଛନ୍ତି। ‘ଭଲ କବିତାର ଖୋଜ୍’ ପକ୍ଷରୁ ଆଗାମୀ ଅକ୍ଟୋବର ୧୦ ତାରିଖ ଦିନ ଆୟୋଜିତ ହେବାକୁ ଥିବା ୫ମ ବାର୍ଷିକ ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବକୁ ରେବତୀର ସଂପାଦିକା ସୁବାସିନୀ ଜେନା ଉଦ୍‌ଘାଟନ କରିବେ। ଉତ୍ସବ ପାଳନ ପରିପ୍ରେକ୍ଷୀରେ ଉକ୍ତ ତିନି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ କୃଷ୍ଣ କୁମାର ମହାନ୍ତି ଓ ଉତ୍ପଳ ମହାନ୍ତି ଜଣାଇଛନ୍ତି। ଏହି ସ୍ମୃତି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ତଥା ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ ଓ ଭୁବନେଶ୍ବର ସାହିତ୍ୟ ସମାଜର ସଭାପତି କବି ସୁର୍ଯ୍ୟ ମିଶ୍ର ଅତିଥି ଭାବେ ଯୋଗ ଦେବାକୁ ଏବଂ କବି ଶ୍ରୀଦେବ ସଭାପତିତ୍ବ କରିବାକୁ ସମ୍ମତି ଦେଇଛନ୍ତି।

ସୂଚନାଯୋଗ୍ୟ; ବାଲେଶ୍ବରର ବିଶିଷ୍ଟ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତିରକ୍ଷା ନିମନ୍ତେ ଗଠିତ ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ଏବଂ ରେମୁଣା ଡିଗ୍ରି କଲେଜର ମିଳିତ ପ୍ରଚେଷ୍ଟାରେ ୨୦୧୭ରୁ ଏହି ଉତ୍ସବ ପାଳନ ହେଉଛି। ପ୍ରତିବର୍ଷ ୪୫ରୁ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ କବିଙ୍କୁ ଚୟନ କରାଯାଇ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର