ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ଦେଓଗାଁ: ଆଦିବାସୀଙ୍କ ପରମ୍ପରା ଆଗରେ ହାର ମାନିଛି ସରକାରୀ କଟକଣା। ଧାର୍ମିକ ଭାବନା ସହ ଜଡ଼ିତ ଶୁଳିଆ ଯାତ୍ରାରେ ପଶୁରକ୍ତରେ ଲାଲ ହେଲା ଶୁଳିଆପୀଠ। ଗୋଟିଏପଟେ କୋଭିଡ୍‌ କଟକଣା ଥିବାବେଳେ ଅନ୍ୟପଟରେ ହଜାର ହଜାର ଲୋକଙ୍କ ଗହଳିରେ ଅନୁଷ୍ଠିତ ହୋଇଛି ଶୁଲିଆ ଯାତ୍ରା। ଦେଖଣାହାରୀ ସାଜି ଚୁପ୍‌ ରହିଥିଲା ଜିଲ୍ଲା ପ୍ରଶାସନ। ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ଚୁକ୍ତି ଅନୁସାରେ ସମସ୍ତେ ମାସ୍କ ପରିଧାନ କରିବେ, ସାମାଜିକ ଦୂରତା ବଜାୟ ରଖିବା ସହ ଯାତ୍ରା ପରିସରରେ ଦୋକାନ ବଜାର ବନ୍ଦ କରିବାକୁ ସିଦ୍ଧାନ୍ତ ହୋଇଥିଲା। ଏହାକୁ ଖିଲାପ କରି କେବଳ ଦୋକାନ ବନ୍ଦ ରହିଥିବାବେଳେ କରୋନା କଟକଣା ଉଲ୍ଲଂଘନ କରି ପାରମ୍ପରିକ ହିସାବରେ ଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ୍‌ର କୁଳୁତାପଡ଼ା ପଞ୍ଚାୟତର ଖଇରଗୁରା ଓ କୁମୁରିଆ ଦୁଇଟି ଖଳାରେ ଏହି ଯାତ୍ରା ହୋଇଥିଲା। ସୋମବାର ରାତିରେ ନିଶି ପୂଜା ଆରମ୍ଭ ହୋଇଥିଲା। ମଧ୍ୟରାତ୍ରିରୁ ମୁଖ୍ୟ ଦେହେରୀ ସୋମନାଥ ଦେହେରୀ ପୂଜା ସାମଗ୍ରୀ ଓ ପାଟଖଣ୍ଡା ଧରି ଖଳାକୁ ଯାଇଥିଲେ। ଭୋର ସକାଳରେ ସହଯୋଗୀ ଦେହେରୀମାନେ ଏକ ଶୋଭାଯାତ୍ରାରେ ବାଜା ଓ ପାଟବୋଦା ଧରି ପୂଜାସ୍ଥଳରେ ପହଞ୍ଚିବା ପରେ ମୁଖ୍ୟ ଦେହେରୀକୁ ପାରମ୍ପରିକ ରୀତିନୀତି ଅନୁସାରେ ଶିଆଳ ପତ୍ରରେ ତିଆରି କରାଯାଇଥିବା ଖଳିକୁ ପିନ୍ଧିବାକୁ ଦିଆଯାଇଥିଲା। ସର୍ବପ୍ରଥମେ ପୂଜା ସ୍ଥଳକୁ ନିଆଯାଇଥିବା ପାଟବୋଦାକୁ ବଳି ଦିଆଯାଇଥିଲା। ପରେ ପରେ ଯାତ୍ରା ଖଳାର ଚାରି ପଟରୁ ଲୋକଙ୍କ ସୁଅ ଛୁଟିଥିଲା। ନିମିଷକ ମଧ୍ୟରେ ଲୋକାରଣ୍ୟ ହୋଇଯାଇଥିଲା ଖଇରଗୁରା ଓ କୁମୁରିଆ ଶୁଲିଆ ପୀଠ।

ଶ୍ରଦ୍ଧାଳୁମାନେ ଗୋଟିଏ ପରେ ଗୋଟିଏ ପୋଢ଼, ବୋଦା, କୁକୁଡ଼ାକୁ ବଳି ଦେଇଚାଲିଥିଲେ। ଶୁଲିଆ ଖଳାର ଚାରି ପଟରୁ ଅର୍ଥାତ ‌ବଲାଙ୍ଗୀର ଜିଲ୍ଲା ସମେତ ସୁବର୍ଣ୍ଣପୁର, ବୌଦ୍ଧ, ଫୁଲବାଣୀ, କଳାହାଣ୍ଡି ଜିଳ୍ଲାର ବିଭିନ୍ନ ଗାଁର ବାଜା ବଜାଇ ପୋଢ଼ ନେଉଥିବା ଦେଖିବାକୁ ମିଳିଥିଲା। କେବଳ ଖଇରଗୁରା ନୁହେଁ, ଦେଓଗାଁ ବ୍ଲକ୍‌ ଜରାସିଂହା ପଞ୍ଚାୟତ ଚନ୍ଦ୍ରପୁର, ଗାଈବାହାଲ ପଞ୍ଚାୟତର ସାଗରପାଲି, ସିଂହାମୁଣ୍ଡା ପଞ୍ଚାୟତର ଘାଟୁଲ ଗାଁରେ ମଧ୍ୟ ଶୁଲିଆଯାତ୍ରା ହେଉଛି। ଏହି ଶୁଲିଆ ଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ୩ ମାଜିଷ୍ଟ୍ରେଟ ସହ ପୁଲିସ ପ୍ରଶାସନ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର