ଗଞ୍ଜାମରେ ଦିନ ୧୨ରୁ ସକାଳ ୭ ସଟ୍‌ଡାଉନ୍, ରାସ୍ତାରେ ବାଇକ୍‌ ମନା, ସ୍ବାସ୍ଥ୍ୟକେନ୍ଦ୍ର ଓପିଡି ବନ୍ଦ

ଚାଲି ଚାଲି ରାସନ ପରିବା କିଣିବାକୁ ୫ ଘଣ୍ଟା କୋହଳ, ସଟ୍‌ଡାଉନ୍‌ ବେଳେ ରାସ୍ତାକୁ ବାହାରିଲେ ବାଧ୍ୟତାମୂଳକ କ୍ବାରାଣ୍ଟିନ୍‌

ଛତ୍ରପୁର: କରୋନା ଭୂତାଣୁ ସଂକ୍ରମଣର ଶୃଙ୍ଖଳ ଉପରେ ରୋକ୍ ଲଗାଇବାକୁ ହେଲେ ସାମାଜିକ ଦୂରତ୍ବ ଅବଲମ୍ବନ ହିଁ ଏକ ମାତ୍ର ମାଧ୍ୟମ। ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବଢ଼ିଯିବା ପରେ ଏହାକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଉ ପାଦେ ଆଗେଇଛି। ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ଶୁକ୍ରବାର ରାତିରୁ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଲାଗୁ ହେବା ପରେ ଗଞ୍ଜାମରେ ମଧ୍ୟ ଆଜି ମଧ୍ୟାହ୍ନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୯ ଘଣ୍ଟା ସଟ୍‌ଡାଉନ୍ ନିୟମ କାର୍ଯ୍ୟକାରୀ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଲକ୍‌ଡାଉନ୍ ସତ୍ତ୍ବେ ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ହେଉ ଅଥବା କୌଣସି ଜରୁରୀ କାମର ଆଳ ଦେଖାଇ ଲୋକମାନେ ଭିଡ଼ ଜମାଉଥିଲେ। ବିଶେଷକରି ବିନା କାରଣରେ ବାଇକ୍ ଚାଳକମାନେ ଏଣେତେଣେ ବୁଲିବା ଗଞ୍ଜାମ ପୁଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଏଥିପାଇଁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଆଉ ମଧ୍ୟାହ୍ନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପରିବର୍ତ୍ତିତ ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ମଧ୍ୟାହ୍ନରୁ ପୂରା ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିଛି।
ତେବ‌େ ଲକ୍‌ଡାଉନ୍ ସମୟରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି ବାଇକ୍ ନେଇପାରିବେ ନାହିଁ। ଏହି ସମୟ ମଧ୍ୟରେ ସମସ୍ତେ ଚାଲି ଚାଲି ନିକଟ ବଜାରକୁ ଯାଇ ସଉଦା କରିବେ। ସେହିପରି ସଟ୍‌ଡାଉନ୍ ବେଳେ କୌଣସି ଲୋକ ଘରୁ ବାହାରି ପାରିବେନି। ବାଇକ୍‌ ଚଳାଚଳ ଉପରେ ୨୪ ଘଣ୍ଟିଆ କଟକଣା ଜାରି କରାଯାଇଛି। ଜରୁରୀ କାମ ଥିଲେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ଏଥିରେ ହ‌ସ୍ତକ୍ଷେପ କରିବେ। ସେହିପରି କେଉଁ ଔଷଧ ଦୋକାନ ଖୋଲିବ ଏଥିପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବେ। ୧୦୦ ମିଟର ଦୂରତ୍ବରେ ଗୋଟିଏ ମାତ୍ର ଔଷଧ ଦୋକାନ ଖୋଲିବ। ଡ୍ରଗ୍ ଇନ୍ସପେକ୍ଟର ଓ ପୌରସଂସ୍ଥା କର୍ତ୍ତୃପକ୍ଷ ଏଥିପାଇଁ ତାଲିକା ପ୍ରସ୍ତୁତ କରି ଜଣାଇବେ।

ଅନ୍ୟପକ୍ଷରେ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ବନ୍ଦ ରହିବ। କେବଳ ଜରୁରୀକାଳୀନ ୱାର୍ଡ଼ ଓ ‌କୋଭିଡ-୧୯ କର୍ଣ୍ଣର୍ ଖୋଲାରହିବ। ତହସିଲଦାରମାନେ ଏହାର ଅନୁଧ୍ୟାନ କରିବେ। ବରିଷ୍ଠ ନାଗରିକମାନେ ପ୍ରାତଃଭ୍ରମଣରେ ଯାଇପାରିବେ ନାହିଁ। ଯଦି ଯିବେ ସେମାନଙ୍କୁ ୧୪ଦିନିଆ ଘରୋଇ ସଙ୍ଗରୋଧ କକ୍ଷରେ ରଖାଯିବ। ଘରୋଇ ସଙ୍ଗରୋଧରେ ଥିବା କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କଲେ ତାଙ୍କୁ ବାଧ୍ୟତାମୂଳକ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ନିଆଯିବ। ଏଥିସହ ସଟ୍‌ଡାଉନ୍ ସମୟରେ ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାହି ଗଳିରେ ଠେଲା ଓ ଅଟୋ ଯୋଗେ ପନିପରିବା, ତେଜରାତି ସାମଗ୍ରୀ ଓ ଔଷଧ ପହଞ୍ଚାଇବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର