କରୋନା ପଜିଟିଭ୍ ଚିହ୍ନଟ ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନର ପଦକ୍ଷେପ, ଖମାର ହଳଦୀ ପଞ୍ଚାୟତକୁ ସଟଡାଉନ୍ କରାଗଲା

ଭବାନୀପାଟଣା: ଗତକାଲି କଳାହାଣ୍ଡି ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ତାହା ଅନୁଯାୟୀ, ଆଜି ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଞ୍ଚାୟତ ଅଞ୍ଚଳକୁ ସଟଡାଉନ୍ କରାଯାଇଛି। ଏହି ଅଞ୍ଚଳରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଲୋକଙ୍କ ବାହାରକୁ ଯିବା ଆସିବା ଉପରେ କଟକଣା ଜାରି କରିଛି ପ୍ରଶାସନ। କିନ୍ତୁ, ଆତଙ୍କିତ ନହେବାକୁ ଜନସାଧାରଣଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘର ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡ଼ା ଗାଁରେ | ସେ ବାହାରିନରେ ଜଣେ ଫିଟର ଭାବରେ କାର୍ଯ୍ୟ କରୁଛନ୍ତି।
ସଂପୃକ୍ତ ଯୁବକ ୧୭ ଦିନ ପୂର୍ବରୁ ବାହାରିନରୁ ନିଜ ଗାଁକୁ ଫେରିଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି।
ଆଜି ସକାଳେ ଉକ୍ତ କରୋନା ଆକ୍ରାନ୍ତଙ୍କ ଗୋଲାମୁଣ୍ଡା ବ୍ଲକର ବେହେରାଗୁଡା ଗାଁରେ ଥିବା ଘରେ ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚିଛି। ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ଅଣାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ପିପିଲି ବ୍ଲକ୍ ଅନ୍ତର୍ଗତ ଦାନଗହିର ଗ୍ରାମର ଜଣେ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତି କରୋନା ସଂକ୍ରମିତ ଜଣାପଡ଼ିବା ପରେ  ସମ୍ଭାବ୍ୟ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ କଡ଼ା ପଦ‌କ୍ଷେପ ଗ୍ରହଣ କରିଥିଲା ।ଦାନଗହିର ଛକ ସହିତ ଜୟପୁର ଛକ, ଜୟପୁର ଶାସନ ଛକ ଓ ଏହାର ଆଖପାଖ ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲା। ଏହି ଅବଧି ଏପ୍ରିଲ ୪ ତାରିଖରୁ ସକାଳ ୭ଟାରୁ ଏପ୍ରିଲ ୧୪ ତାରିଖ ମଧ୍ୟ ରାତି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୁରୀ ଜିଲ୍ଲ‌ା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ସଟ୍‌ଡାଉନ୍‌ ଅବଧି ମଧ୍ୟରେ ନିୟନ୍ତ୍ରଣ ଅଞ୍ଚଳରୁ କୌଣସି ବ୍ୟକ୍ତି ବାହାରକୁ ଯାଇ ପାରିବେ ନାହିଁ ଓ ବାହାରୁ କୌଣସି ବ୍ୟକ୍ତି ଗାଁକୁ ଆସିପାରିବେ ନାହିଁ। ନିୟନ୍ତ୍ରଣ ଅଞ୍ଚଳରେ ରହୁଥିବା ସମସ୍ତ ଲୋକ ଘରେ ରହିବେ, ସମସ୍ତ ଦୋକାନ ବଜାର ବନ୍ଦ ରହିବ।

ସମ୍ବନ୍ଧିତ ଖବର