ଯାଜପୁର/ଟାଉନ/ସଦର : କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ତାରିଖ ରାତି ୮ଟାରୁ ଜାରି ହୋଇଥିବା ୪୮ଘଣ୍ଟିଆ ସଟ୍ଡାଉନ୍ ଆଜି ରାତି ୮ଟାରେ ଶେଷ ହୋଇଛି। ହେଲେ, ଲକ୍ଡାଉନ୍ ବଳବତ୍ତର ରହିବ ଏବଂ ସାମାଜିକ କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଜିଲ୍ଲାର ଯାଜପୁର ଟାଉନ୍ ଓ ବ୍ୟାସନଗର ପୌରାଞ୍ଚଳ, ବ୍ୟବସାୟିକ କେନ୍ଦ୍ରସ୍ଥଳ ଚଣ୍ଡିଖୋଲ,ଚାରିନଙ୍ଗଳ ଓ ପାଣିକୋଇଲି ସମେତ ବ୍ଲକ୍ ସଦର ମହକୁମାଗୁଡ଼ିକ ସଟ୍ଡାଉନ୍ ପାଇଁ ବିଶେଷ ପ୍ରଭାବିତ ହୋଇଥିଲା। ୨ଦିନ ପାଇଁ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜୀବନଯାତ୍ରା ଠପ୍ ହୋଇଯାଇଥିଲା। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ଡାକ୍ତରଖାନାଗୁଡ଼ିକୁ କେବଳ ରୋଗୀ ଯିବାଆସିବା ଦେଖିବାକୁ ମିଳିଥିଲା। ପୁଲିସ ପକ୍ଷରୁ ଏହି ସମୟରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅମାନିଆଙ୍କୁ ସାବାଡ ମଧ୍ୟ କରାଯାଇଥିଲା। ଏପରି କଟକଣା ଜିଲ୍ଲାବାସୀଙ୍କ ସ୍ବାର୍ଥରେ ହୋଇଥିବା ସାଧାରଣ ଲୋକ ହୃଦୟଙ୍ଗମ କରି ସମର୍ଥନ ମଧ୍ୟ ଦେଇଥିଲେ।
ଅନ୍ୟପକ୍ଷରେ, ଏବେ ବି ଲକ୍ଡାଉନ୍କୁ ଆହୁରି ୮ ଦିନ ବାକି ରହିଛି। ଲକ୍ଡାଉନ୍ ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ଠାରୁ ପୂର୍ବ ପରି ଅତ୍ୟାବଶ୍ୟକୀୟ ସମାଗ୍ରୀ ଯେପରିକି ତେଜରାତି ଦୋକାନ, ପନିପରିବା, ମାଛମାଂସ ଦୋକାନ ସକାଳ ୬ରୁ ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ। ବେପାର ବେଳେ ସମାଜିକ ଦୂରତା ରକ୍ଷା କରିବା ଦାୟିତ୍ବ ସଂପୃକ୍ତ ଦୋକାନୀଙ୍କ ଉପରେ ନ୍ୟସ୍ତ କରିଛି ପ୍ରଶାସନ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଂପୃକ୍ତ ଦୋକାନୀ, ମଲ୍ ମାଲିକ କିମ୍ବା ହାଟ ପରିଚାଳକମାନେ ଆବଶ୍ୟକ ବ୍ୟବସ୍ଥା କରିବେ। ହାଟରେ ଆଉ ଅତ୍ୟଧିକ ଗହଳିକୁ ବରଦାସ୍ତ କରାଯିବନି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଚେତାବନୀ ଦେଇଛନ୍ତି।
ଯଦି କୌଣସି ବ୍ୟବସାୟୀ ବିକ୍ରି ସମୟରେ ସାମାଜିକ ଦୂରତାକୁ ବଜାୟ ନରଖନ୍ତି; ସେମାନଙ୍କ ଦୋକାନକୁ ସିଲ୍ ସହିତ ସରଞ୍ଜାମ ଓ ସାମଗ୍ରୀକୁ ଜବତ କରାଯିବାକୁ ନିଷ୍ପତ୍ତି ହୋଇଛି। ବ୍ୟକ୍ତିଗତ ହାଟ ଓ ମଲ ମାଲିକମାନଙ୍କ ଉପରେ ଏହି ନିୟମ ସମାନ ଭାବେ ଲାଗୁ କରାଯିବ। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ବିନା କାରଣରେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ନିହାତି ଆବଶ୍ୟକ ପଡ଼ିଲେ ମାସ୍କ ଓ ହାତରେ ଗ୍ଲୋବ୍ସ ପିନ୍ଧି ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି, ପରିବା କିମ୍ବା ଅନ୍ୟାନ୍ୟ ସଉଦା ପାଇଁ ଘରୁ ବାହାରୁଥିବା ଲୋକ ସାଙ୍ଗରେ ଗାଡ଼ି ନଆଣିବାକୁ କୁହାଯାଇଛି। ଏଭଳି କଲେ ଗାଡ଼ି ସିଜ୍ କରାଯିବ ବୋଲି ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଗାଡ଼ି ସିଜ୍ କରିବା ପାଇଁ ପ୍ରଶାସନ ପକ୍ଷରୁ କ୍ରେନ୍ ଓ ଟ୍ରକ ବ୍ୟବସ୍ଥା ହୋଇଛି। ଜବତ ଗାଡ଼ି ଓ ଗାଡ଼ି ମାଲିକଙ୍କ ବିରୋଧରେ କେସ୍ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଚେତାବନୀ ଦେଇଛନ୍ତି। ଜିଲ୍ଲାର ଅଧିକାଂଶ ଅଞ୍ଚଳ କୃଷି ବହୁଳ ହୋଇଥିବା ବେଳେ ଚାଷୀ କ୍ଷେତକୁ ଯାଇପାରୁନଥିବାରୁ ଫସଲ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ତେଣୁ କୃଷି କାର୍ଯ୍ୟରେ ଚାଷୀମାନେ ନିଜ ଭିତରେ ଦୂରତା ରଖି ଚାଷ କାର୍ଯ୍ୟ କରି ପାରିବେ ବୋଲି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ସୂଚନା ଦେଇଛନ୍ତି।