ଆଜି ସକାଳ ୫ରୁ ସଟ୍‌‌ଡାଉନ୍‌, ବ୍ୟାୟାମ ପାଇଁ ଘଣ୍ଟାଏ କୋହଳ

ଭୁବନେଶ୍ବର : କୋଭିଡ ମହମାରୀ ନିୟନ୍ତ୍ରଣ ପାଇଁ ଆଜିଠାରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରତି ଶନିବାର ସକାଳ ୫ଟାରୁ ଏହି ସଟ୍‌ଡାଉନ୍‌ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଅର୍ଥାତ୍‌ ଶୁକ୍ରବାରଠାରୁ ସହରାଞ୍ଚଳଗୁଡ଼ିକରେ ଜାରି ରାତ୍ରିକାଳୀନ କର୍ଫ୍ୟୁ ସମୟଠାରୁ ପରବର୍ତ୍ତୀ ସପ୍ତାହର ସୋମବାର ଭୋର ୫ଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲାଗୁ ରହିବ। ଆଜି ଏ ନେଇ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା। ସଟ୍‌ଡାଉନ୍‌ ସମୟରେ ଯାହାସବୁ କଟକଣା ରହିଛି, ସେସବୁ ପୂର୍ବରୁ ନିର୍ଦ୍ଦେଶ ଦିଆସରିଛି। କେବଳ ବ୍ୟାୟାମ, ଜଗିଂ, ସାଇକେଲିଂ ଓ ମର୍ଣ୍ଣିଂ ୱାକର୍‌ଙ୍କ ପାଇଁ ସଟ୍‌ଡାଉନ୍‌ ଦିନମାନଙ୍କରେ ସକାଳ ୫ଟାରୁ ୬ଟା ଗୋଟିଏ ଘଣ୍ଟା ପାଇଁ କଟକଣା କୋହଳ କରାଯିବ ବୋଲି ଶ୍ରୀ ଜେନା ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏହାସହିତ ଏସ୍‌ଆର୍‌ସି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି କି ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବାକୁ ଥିବା ବ୍ୟକ୍ତିମାନଙ୍କୁ ଆର୍‌ଟିପିସିଆର୍‌ ନେଗେଟିଭ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ ପୂର୍ବରୁ କହିସାରିଛନ୍ତି। ଏହାସହିତ ଓଡ଼ିଶାର ଲୋକ ପଶ୍ଚିମବଙ୍ଗ ଯାଇଥିଲେ ଫେରିବା ବେଳକୁ ଆର୍‌ଟିପିସିଆର୍‌ କିମ୍ବା କୋଭିଡ ଟିକାର ଦୁଇଟି ଡୋଜ୍‌ ନେଇଥିବା ପ୍ରମାଣପତ୍ର ଚେକିଂ ଫାଟକ ପାଖରେ ଯାଞ୍ଚ ଅଧିକାରୀଙ୍କୁ ଦେଖାଇବେ। ତା’ ନହେଲେ ସେମାନଙ୍କୁ ବି ୧୪ ଦିନ ପାଇଁ ସ୍ଥାନୀୟ ଟିଏମ୍‌ସି କେନ୍ଦ୍ରରେ ସଙ୍ଗରୋଧରେ ରହିବାକୁ ପଡ଼ିବ। ଏହାସହିତ ଯେଉଁ ବ୍ୟକ୍ତିମାନେ ପଶ୍ଚିମବଙ୍ଗରୁ ଆସିବେ କିମ୍ବା ଓଡ଼ିଶାର ଲୋକ ପଶ୍ଚିମବଙ୍ଗ ଯାଇ ଫେରିବେ ସେମାନଙ୍କର ଆର୍‌ଟିପିସିଆର୍‌ ନେଗେଟିଭ୍‌ କିମ୍ବା କୋଭିଡ ଟିକାର ଦୁଇଟି ଡୋଜ୍‌ ନେଇଥିବା ନେଇ ପ୍ରମାଣପତ୍ର ଥିଲେ ବି ୧୪ ଦିନ ପାଇଁ ଗୃହ ସଙ୍ଗରୋଧରେ ରହିବେ। ଏହି ସମୟ ଭିତରେ ସେମାନେ କୋଭିଡ ନିୟମର ପୂର୍ଣ୍ଣ ଅନୁପାଳନ କରିବେ। ଏଥିରେ ଉଲ୍ଲଂଘନ ହେଲେ ସେମାନଙ୍କୁ ପୁଣି ଥରେ ଧରିଆଣି ସରକାରଙ୍କ ଦ୍ବାରା ପରିଚାଳିତ ଟିଏମ୍‌ସି କେନ୍ଦ୍ରରେ ସଙ୍ଗରୋଧରେ ରଖାଯିବ। ଏ ନେଇ ସ୍ଥାନୀୟ ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର