ମଟନ ବ୍ୟବସାୟୀଙ୍କୁ ସଟ୍‌ଡାଉନ୍‌ ମାଡ଼ : ଉଚ୍ଚା ଦରରେ ଛେଳି କିଣି ଫସିଲେ

ରଜ ବେପାର ଆଶା ଫସରଫାଟିଲା

କଟକ-ମହାନଦୀବିହାର : ଆଶା ଥିଲା ରଜରେ ଏଥର ବେପାର ଜମି ଯିବ। ଶନିବାର, ରବିବାର ଦୁଇ ଦିନ ରଜରେ ଲକଡାଉନ୍ କ୍ଷତି ବି ଭରଣା ହେଇଯିବ। କିନ୍ତୁ ସରକାର ଶନି ଓ ରବିବାର ସଟଡାଉନ୍ ଘୋଷଣା କରି ଦେବା ପରେ ଏବେ ମାଂସ (ମଟନ) ବେପାରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୪ ମାସ ପୂର୍ବରୁ ବଇନା ଦେଇ ଯେଉଁ ଛେଳି କିଣିଥିଲେ ତାକୁ ନେଇ ଏବେ କ’ଣ କରିବେ, ତାହାକୁ ନେଇ ଚିନ୍ତାରେ ପଡିଲେଣି।

ସୂଚନା ଅନୁଯାୟୀ ସହରରେ ପ୍ରାୟ ଦୁଇ ଶହରୁ ଅଧିକ ମାଂସ ବେପାରୀ ଅଛନ୍ତି। ରଜରେ ଭଲ ବେପାର ପାଇଁ ସେମାନେ ଲକ୍ଷେ/ ଦୁଇ ଲକ୍ଷ ଟଙ୍କାର ଖାସି ଜଗତସିଂହପୁର, ବଡମ୍ବା, ଆଠଗଡ, ଭଦ୍ୟମ ଅଞ୍ଚଳରୁ ଆଣିଥାନ୍ତି। ସାଧାରଣ ସମୟରେ ସେମାନେ ଗୋଟିଏ ଗୋଟିଏ ଖାସି ୮/୧୦ ହଜାର ଟଙ୍କାରେ କିଣୁ ଥିବାବେଳେ ରଜ ବେଳେ ୨୦ ପ୍ରତିଶତ ଅଧିକ ଟଙ୍କା ଦେଇ କିଣନ୍ତି। ମାଂସ କିଲୋ ପିଛା ଦର ବଢାଇ ବି ସେମାନେ ଏହାକୁ ଭରଣା କରନ୍ତି। ଭଲ ଖାସି ମାଂସ ଏବେ ସହରରେ ୬ଶହରୁ ୬୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରଜବେଳେ ୭ଶହରୁ ୭୫୦ ଟଙ୍କା କିଲୋରେ ବିକିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେମାନଙ୍କର ସବୁ ଯୋଜନା ଏବେ ଫସରଫାଟିଛି। ଆଗୁଆ ଛେଳି ଆଣି ରଖିଥିବା ମାଂସ ଦୋକାନୀ ଏବେ ଏହାକୁ ନେଇ ଚିନ୍ତାରେ ପଡ଼ିଲେଣି। ଏମିତିରେ ବି ବାହାଘର କି ଭୋଜିଭାତ ନାହିଁ। ରଜରେ ଯାହା ବେପାର ହେବ ବୋଲି ଆଶା ଥିଲା, ତାହା ବି ମଉଳିଲା। ଏଭଳି ସ୍ଥିତିରେ ପ୍ରାୟ ଦେଢ ଲକ୍ଷ ଟଙ୍କାର ଖାସି କିଣି ଏବେ କଣ କରିବି ବୋଲି ପ୍ରଶ୍ନ କରିଛନ୍ତି ନୂଆ ବଜ଼ାର କଂସେଇ ଖାନାର ଶେଖ ହାସିମ କହିଛନ୍ତି। ସେ କହିଛନ୍ତି ଯେ କେବଳ ନୂଆବଜାର କଂସେଇ ଖାନାରେ ରଜ ଦିନରେ ପନ୍ଦରରୁ କୋଡିଏ କୁଇଣ୍ଟାଲ ଛେଳି ମାଂସ ବିକ୍ରି ହେଇଥାଏ। ସେହି ଦିନ ଦର ଉଚ୍ଚା ରହିଲେ ବି ଗରାଖ ଧାଡି ଲଗାନ୍ତି। ରଜକୁ ଆଖିରେ ରଖି ଗାଁ ଓ ଛେଳି ଫାର୍ମରୁ ଆଗୁଆ ବଇନା ଦେଇ ଛେଳି ଆଣିଛୁ। ସେମାନେ ବି ଉଚ୍ଚା ଦର ନେଇଛନ୍ତି। ଏବେ କିନ୍ତୁ ଆମେ ଫସିଗଲୁ ବୋଲି ହାସିମ୍ କହିଛନ୍ତି। ସେମିନାରି ଛକର ଅବଦୁର ରହିମ କହିବା ଅନୁଯାୟୀ ରଜରେ ଭଲ ମାଂସ ନେବା ପାଇଁ ଗରାଖ ତାଙ୍କୁ ପନ୍ଦର ଦିନ ଆଗରୁ କହି ରଖିଥାନ୍ତି। ଏଥର ରଜର ଠିକ ଶନିବାର ଓ ରବିବାର ସଟଡାଉନ। ସୋମବାର ତ ବେପାର ହେବନି। ତେଣୁ କେବଳ ବୁଧବାରକୁ ଯାହା ଆଶା। କିନ୍ତୁ ପୂର୍ବ କ୍ଷତି ଭରଣା ହେବ ବୋଲି ଯାହା ଆଶା ଥିଲା, ଏବେ ଆହୁରି ଅଧିକ କ୍ଷତି ହେବ ବୋଲି ଆଶଙ୍କା ହେଲାଣି ବୋଲି କହିଛନ୍ତି ରହିମ।

ସମ୍ବନ୍ଧିତ ଖବର