ବାଲେଶ୍ବର/ଭଦ୍ରକ : ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ର ଆଜି ଥିଲା ଦ୍ବିତୀୟ ଦିନ। ସକାଳେ ଭୁବନେଶ୍ବର ଆରଏମ୍ଆରସି (ରିଜିଓନାଲ ମେଡିକାଲ ରିସର୍ଚ ସେଣ୍ଟର)ର ଯୁଗ୍ମ ନିର୍ଦେଶକ ଡାକ୍ତର ଜେ.ଏସ.କ୍ଷେତ୍ରୀ ଓ ବରିଷ୍ଠ ଅଧିକାରୀ ଡାକ୍ତର ଆରୋଗ୍ୟ ପ୍ରଧାନ ବାଲେଶ୍ବର ସହରର ନୀଳିଆବାଗ ଓ ‌ନୀଳଗିରିସ୍ଥିତ ବରହମ୍‌ପୁର ରିଗିଡ଼ି କଣ୍ଟେନମେଣ୍ଟ ଜୋନ୍‌ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି।

Advertisment

ବାଲେଶ୍ବର ନୀଳିଆବାଗ ଅଂଚଳକୁ ୭ଦିନିଆ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିବାବେଳେ ଆଜି ମଧ୍ୟରାତ୍ରିରେ ଏହାର ଅବଧି ପୂରୁଛି। ତେବେ ଆସନ୍ତାକାଲି ଏହା ବଳବତ୍ତର ରହିବ କି କଟକଣା ଉଠିବ, ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ବାଲେଶ୍ବର ସହରରେ ୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଘନଘନ ପାଟ୍ରୋଲିଂ ଜାରି ରହିଛି। ଟାଉନ ଥାନାରୁ ଦଉଡ଼ିଭଙ୍ଗା, ସୁଏଲପୁର, ମାଣିଖମ୍ବ, ଟାଉନହଲ ଛକ, ମିର୍ଜାପୋଖରୀ ଆଦି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛନ୍ତି ସଶସ୍ତ୍ର ପୁଲିସ ବଳ। ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ସଟ୍‌ଡାଉନ୍‌ର ପ୍ରଥମ ଦିନରେ ୪୫୯ ଜଣଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି। ସେଥିରୁ ନୀଳିଆବାଗ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୧୦୮ ଓ ନୀଳଗିରି କଣ୍ଟେନ୍‌ମେଣ୍ଟ ଜୋନରୁ ୩୬ ନମୁନା ସଂଗ୍ରହ ହୋଇଛି।

ସେପଟେ ଭଦ୍ରକ ଜିଲ୍ଲାରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଏକପ୍ରକାର ଆତଙ୍କ ଖେଳିଯାଇଛି। ସଟ୍‌ଡାଉନ୍‌ର ଆଜି ଦ୍ବିତୀୟ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ବ୍ଲକିଂ ଓ ଯାଞ୍ଚକୁ ଜୋରଦାର କରାଯାଇଥିଲା। ଜିଲ୍ଲାର ବାସୁଦେବପୁର, ଭଣ୍ଡାରିପୋଖରୀ, ତିହିଡି ଓ ଧାମନଗର ବ୍ଲକର ମୋଟ ୧୮ଟି ପଞ୍ଚାୟତକୁ ଆବଦ୍ଧାଞ୍ଚଳ (କଣ୍ଟେନ୍‌ମେଣ୍ଟ ଜୋନ୍) ଘୋଷଣା କରାଯାଇଥିବାବେଳେ ଏସବୁ ଅଞ୍ଚଳର ୭୫ଟି ଗାଁ ରାସ୍ତାକୁ ସିଲ୍ କରାଯାଇଛି। କୋଲକାତା ଫେରନ୍ତା ଓ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କାମ ଚାଲୁ ରହିଥିବାରୁ ଲୋକେ ଯେଭଳି ଘରୁ ପଦାକୁ ନ ବାହାରିବେ ସେଥିପାଇଁ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କାଳବୈଶାଖୀ ବର୍ଷା ସତ୍ତ୍ବେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାସୁଦେବପୁର, ଭଣ୍ଡାରିପୋଖରୀ, ତିହିଡି ଓ ଧାମନଗର ବ୍ଲକ୍‌ର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବରିଷ୍ଠ ଅଧିକା‌ରୀମାନଙ୍କୁ ଦେଖିବାକୁ ମିଳିଥିଲା। ବର୍ଷା ପାଇଁ ଆବଦ୍ଧାଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ ଓ ରକ୍ତନମୁନା ସଂଗ୍ରହରେ ବିଳମ୍ବ ହୋଇଛି। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅବକାରୀ ବିଭାଗର ସ୍ବତନ୍ତ୍ର ସଚିବ ସୁଶୀଲ କୁମାର ଲୋହାନୀ ଭଦ୍ରକରେ ଡେରା ପକାଇ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି।