୪୮ ଘଣ୍ଟିଆ ସଟ୍‌ଡାଉନ୍‌କୁ ମାନିଲେ ଭଦ୍ରକବାସୀ, ୭ ବ୍ଲକ୍‌ରେ ଦିଆଯାଉଛି ରନ୍ଧାଖାଦ୍ୟ

ଭଦ୍ରକ : ମହାମାରୀ କରୋନାର ପ୍ରତିରୋଧ ପାଇଁ ଭଦ୍ରକ ସହରକୁ ଦୁଇ ଦିନ ପାଇଁ ସଟ୍‌ଡାଉନ୍ ଘୋଷିତ କରାଯାଇଥିଲା। ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇଥିବା ଏହି ୪୮ ଘଣ୍ଟିଆ କର୍ଫ୍ୟୁ ଆଜି ରାତି ୮ଟାରେ ଶେଷହୋଇଛି। ତେବେ କର୍ଫ୍ୟୁ ଭଳି ପରିସ୍ଥିତିର ଅବଧି ସରିଲେ ମଧ୍ୟ ୨୧ ଦିନିଆ ଲକଡାଉନ୍ କଟକଣା ଆସନ୍ତା ୧୪ ତାରିଖ ଯାଏ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ କହିଛନ୍ତି।

ସଟ୍‌ଡାଉନ୍ ଯୋଗୁଁ ଦୁଇ ଦିନ ହେଲା ଭଦ୍ରକ ସହର ଏକପ୍ରକାର ଶୂନଶାନ୍‌। ଅଳ୍ପ କେଇଜଣଙ୍କୁ ଛାଡ଼ିଦେଲେ ଘରୁ ପଦାକୁ କେହି ବାହାରିନାହାନ୍ତି। ସେପଟେ ନିର୍ଦ୍ଦିଷ୍ଟ କେତୋଟି ଔଷଧ ଦୋକାନ ବ୍ୟତୀତ ମାଛମାଂସ, ପରିବା, ଫଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ସମସ୍ତ ଦୋକାନ ବନ୍ଦ ରହିଛି। ସହରର ବିଭିନ୍ନ ସ୍ଥାନରେ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ବିଶୁଦ୍ଧିକରଣ ପ୍ରକ୍ରିୟା ଚାଲୁ ରହିଛି। କର୍ଫ୍ୟୁ ସମୟ ସରିବା ପରେ ରବିବାର ରାତି ୮ରୁ ୧୦ଟା ପର୍ଯ୍ୟନ୍ତ କେବଳ ଦୁଇ ଘଣ୍ଟା ପାଇଁ ଜିଲ୍ଲାପାଳଙ୍କ ଛକଠାରୁ ଡାହାଣୀଗଡ଼ିଆ ଛକ ପର୍ଯ୍ୟନ୍ତ ଫଳ, ଔଷଧ ଓ କ୍ଷୀର ଦୋକାନ ଖୋଲାରହିବ।

ସେହିପରି ଲକ୍‌ଡାଉନ୍ କଟକଣା ଅନୁସାରେ, ଆସନ୍ତାକାଲି ସକାଳ ୬ରୁ ଦିନ ୧୦ଟା ଯାଏ ଫଳ, ଔଷଧ, କ୍ଷୀର, ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲୋକେ ଘରୁ ପଦାକୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଜିଲ୍ଲାର ସମସ୍ତ ୭ଟି ଯାକ ବ୍ଳକରେ ଗରିବ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଭଦ୍ରକ ବ୍ଳକରେ ୫,୩୭୯ ବାସୁଦେବପୁରରେ ୯୭୦, ବନ୍ତରେ ୯୯୯, ଭଣ୍ଡାରିପୋଖରୀରେ ୨୭୨୯, ଚାନ୍ଦବାଲିରେ ୨୯୩୬, ଧାମନଗରରେ ୨୬୭୬ ଓ ତିହିଡି ବ୍ଳକରେ ୧୫୬୪ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ସେହିପରି ଜିଲ୍ଲାରେ ମୋଟ୍‌ ୯୬ ହଜାର ୩୭୯ ଜଣ ହିତାଧିକାରୀଙ୍କୁ ୬୪.୭୮୯ କ୍ବିଣ୍ଟାଲ ଚାଉଳ ବଣ୍ଟନ କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ୧୮ ହଜାର ୩୨୫ ଜଣ ଶ୍ରମିକ ପରିବାରକୁ ୧ ହଜାର ଟଙ୍କା ଲେଖା ସହାୟତା ରାଶି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର