ଭଦ୍ରକ: ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌କୁ ବେଖାତିର୍‌ କରି ଗିରଫ ହୋଇଛନ୍ତି ୧୩ ଜଣ। ବାରମ୍ବାର ସଚେତନତା, ଚେତାବନୀ, କାର୍ଯ୍ୟାନୁଷ୍ଠାନ ପରେ ବି ଏମାନେ କଟକଣାକୁ ମାନିନଥିଲେ। ବାହାରେ ବୁଲିଥିଲେ। ଫଳରେ, ପୁଲିସ୍‌ ଭଦ୍ରକ ସହରାଞ୍ଚଳର ଏହି ୧୩ ଜଣଙ୍କୁ ଗିରଫ କରି ସରକାରୀ ସଙ୍ଗରୋଧକୁ ପଠାଇ ଦେଇଛନ୍ତି। ଏହାସହ କରୋନା ସମ୍ପର୍କିତ ମିଥ୍ୟା ପ୍ରଚାର କରିଥିବାରୁ ପୁଲିସ ଜଣଙ୍କୁ ଗିରଫ କରିଛି। ଭଦ୍ରକରେ ଆଜି ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଓ ଭଦ୍ରକ ଏସପି ରାଜେଶ ପଣ୍ଡିତ ଆଜି ପାଟ୍ରୋଲିଂର ନେତୃତ୍ବ ନେଇଥିଲେ। ତାଙ୍କୁ ସହଯୋଗ କରିଥିଲେ ୪୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ କର୍ମଚାରୀ। ୧୨ ପ୍ଲାଟୁନ ପୁଲିସ ଫୋର୍ସ ବିଭିନ୍ନ ଗଳିକନ୍ଦିରେ ଛାଇଯାଇଛନ୍ତି। ୩୧ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ତନାଘନା ଆରମ୍ଭ ହୋଇଥିଲା।

Advertisment

ଅନ୍ୟପକ୍ଷରେ, କାଲି ଆଉ ୨ଜଣ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଚିହ୍ନଟ ରୋଗୀମାନେ କାହାକାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜୁଛି ପ୍ରଶାସନ। ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ପ୍ରମୁଖ କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ବୈଠକ କରି ବିଭିନ୍ନ ଟିମକୁ ବିଭିନ୍ନ ଅଞ୍ଚଳର ଦାୟିତ୍ବ ଦେଇଛନ୍ତି। ପୌରାଞ୍ଚଳରେ ସଟ୍‌ଡାଉନ ରବିବାର ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ପୌରାଞ୍ଚଳ ପରେ ଏରେଇ, ଚରମ୍ପା, ଗେଲପୁର ପଞ୍ଚାୟତର ସାମରାଇପୁର ଅଞ୍ଚଳକୁ ସଟଡାଉନ କରାଯାଇଛି। ସହରର ୩୦ଟି ୱାର୍ଡକୁ ସାନିଟାଇଜେସନ କରିବା ପାଇଁ ଗତକାଲି ରାତି ଠାରୁ ଦମକଳ ବାହିନୀ ସହାୟତାରେ ରାସାୟନିକ ଜଳ ସିଞ୍ଚନ କରାଯାଉଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ପ୍ରତି ଗାଁ ଓ ଛକ ମୁଣ୍ଡରେ ଯୁବକମାନେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି। ଗୋଟିଏ ଗାଁର ଲୋକଙ୍କୁ ଅନ୍ୟ ଗାଁକୁ ଛଡା ନ ଯିବା ସହ ବାହାରୁ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ।