ଗଞ୍ଜାମରେ ବି ଲାଗୁ ହେଲା ସଟଡାଉନ,ରାସ୍ତାରେ ଗଡିବନି ଗୋଟିଏ ବି ବାଇକ

ବ୍ରହ୍ମପୁର: ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟଡାଉନ ଲାଗୁ ହୋଇଥିବାବେଳେ ଗଞ୍ଜାମରେ ମଧ୍ୟ ସଟଡାଉନ ଲାଗୁ କରାଯାଇଛି | ଦିନ ୧୨ଟାରୁ ପର ଦିନ ସକାଳ ୭ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି | ତେବେ କେତେ ଦିନ ଧରି ଏହି ସଟଡାଉନ ରହିବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ | ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏହି ସଟ ଡାଉନ ଆଜିଠାରୁ ଜାରି କରାଯାଇଥିବାବେଳେ କିଛି ନିୟମ ରଖାଯାଇଛି | ସଟଡାଉନ ସମୟରେ କୌଣସି ବାଇକ ରାସ୍ତାରେ ଯାତାୟତ ମନା କରାଯାଇଥିବାବେଳେ ପନିପରିବା ଦୋକାନ ଓ ରାସନ ଦୋକାନକୁ ବିକେନ୍ଦ୍ରୀକରଣ କରାଯିବ |

ଉଭୟ ପରିବା ଓ ରାସନ ସାମଗ୍ରୀ ଶତ ପ୍ରତିଶତ ଡୋର ଟୁ ଡୋର ଡେଲିଭରି ହେବ | ସେହିପରି ଯିଏ ବି କୌଣସି ଅତ୍ୟାବଶ୍ୟକ ସାମଗ୍ରୀ କିଣିବେ ସେମାନେ ଚାଲି ଚାଲି ଯାଇ କିଣିବେ | ସବୁ ମେଡ଼ିସିନ ଷ୍ଟୋର ଖୋଲିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି |୧୦୦ ମିଟରରେ ଗୋଟିଏ ମେଡ଼ିସିନ ଦୋକାନ ଖୋଲାରହିବ |

ମେଡିକାଲ ଓପିଡ଼ି ବନ୍ଦ ରଖାଯାଇଥିବାବେଳେ ଯାହାକୁ ଡାକ୍ତରୀ ପରାମର୍ଶ ଆବଶ୍ୟକ ସେମାନେ ପ୍ରଶାସନ ପକ୍ଷରୁ ଜାରି ଟେଲିଫୋନ ନମ୍ବରରୁ ଡାକ୍ତରୀ ସହାୟତା ପାଇପାରିବେ | ସମସ୍ତ ଘରୋଇ ମେଡିକାଲକୁ କୋଭିଡ ୧୯ ରୋଗୀଙ୍କ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି | ବିଶେଷ କରି ସରକାରୀ ନିର୍ଦ୍ଦେଶ ଉଲଙ୍ଘନ କରି ଯେଉଁ ବରିଷ୍ଠ ନାଗରିକମାନେ ଯାଉଛନ୍ତି ସେମାନଙ୍କୁ ସରକରୀ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି | ସେହିପରି ଯେଉଁମାନେ ଅମାନିଆ ଭାବେ ବାହାରେ ବୁଲୁଛନ୍ତି ଅବା କ୍ୱାରାଣ୍ଟାଇନ ନିୟମ ଭାଙ୍ଗୁଛନ୍ତି ସେମାନଙ୍କୁ ସରକାରୀ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର