ଗଞ୍ଜାମ ଜିଲ୍ଲାକୁ ଘାରିଲାଣି ଗୋଷ୍ଠୀ ସଂକ୍ରମଣ ଆଶଙ୍କା : ୩୦ ଯାଏ ଦିନ ୧୨ରୁ ସକାଳ ୭ ସଟ୍‌ଡାଉନ୍

ବାଇକ୍‌ ମନା, ଚାଲିବନି ଅଟୋ ଓ ଟ୍ୟାକ୍ସି, ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ୫ ଘଣ୍ଟା କୋହଳ

ବ୍ରହ୍ମପୁର/ଛତ୍ରପୁର : ଗଞ୍ଜାମ ଜିଲ୍ଲାକୁ ପ୍ରାୟ ୨ ଲକ୍ଷ ପ୍ରବାସୀ ସୁରତ, ମୁମ୍ବାଇ, କେରଳ ଓ ତାମିଲନାଡ଼ୁ ଭଳି ହଟ୍‌ସ୍ପଟ୍‌ ଇଲାକାରୁ ଫେରିଛନ୍ତି। ପ୍ରାୟ ୧ ଲକ୍ଷ ପ୍ରବାସୀ ଘରୋଇ ସଙ୍ଗରୋଧରେ ରହିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୮୦ରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ହେଁ, ଗୋଷ୍ଠୀ ସଂକ୍ରମଣ ‌ ହୋଇ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ତଥାପି ଦିନକୁ ଦିନ ହୁ ହୁ ହୋଇ ପଜିଟିଭ୍ ସଂଖ୍ୟା ବଢ଼ୁଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ କରୋନା ଭୂତାଣୁ ସଂକ୍ରମଣର ଶୃଙ୍ଖଳ ଉପରେ ରୋକ୍ ଲଗାଇବା ଲାଗି ପ୍ରତିକାରମୂଳକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏହି କ୍ରମରେ ଆଜିଠୁ (ଜୁନ୍ ୧୪) ଆସନ୍ତା ୩୦ ତାରିଖ ଯାଏ ମଧ୍ୟାହ୍ନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୯ ଘଣ୍ଟା ଜିଲ୍ଲା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ରହିବ ବୋଲି ଘୋଷଣା କରାଯାଇଛି। ପ୍ରତି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେବ। ଏହାସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁ୍ତାବକ ସପ୍ତାହର ଦୁଇ ଦିନ ଅର୍ଥାତ୍ ଶନିବାର ଓ ରବିବାର ଜିଲ୍ଲା ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଲକ୍‌ଡାଉନ୍ ଲାଗି ଜିଲ୍ଲାପାଳ ଆଜି ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ମର୍ମରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ, ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। କିନ୍ତୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି ବାଇକ୍ ନେଇପାରିବେ ନାହିଁ। ସମସ୍ତେ ଚାଲି ଚାଲି ନିକଟ ବଜାରକୁ ଯାଇ ସଉଦା କରିବେ। ସେହିପରି କୌଣସି ଲୋକ ବିନା କାରଣରେ ଘରୁ ବାହାରି ପାରିବେନି। ବାଇକ୍‌ ଚଳାଚଳ ଉପରେ ୨୪ ଘଣ୍ଟିଆ କଟକଣା ଜାରି କରାଯାଇଛି। ଜରୁରୀ କାମ ଥିଲେ ସ୍ଥାନୀୟ ତହସିଲଦାର ଓ ଥାନାଧିକାରୀ ଏଥିରେ ହ‌ସ୍ତକ୍ଷେପ କରିବେ। ସେହିପରି କେଉଁ ଔଷଧ ଦୋକାନ ଖୋଲିବ ଏଥିପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବେ। ୧୦୦ ମିଟର ଦୂରତ୍ବରେ ଗୋଟିଏ ମାତ୍ର ଔଷଧ ଦୋକାନ ଖୋଲିବ। ‌ଡ୍ରଗ୍ ଇନସପେକ୍ଟର୍ ଓ ପୌରସଂସ୍ଥା କର୍ତ୍ତୃପକ୍ଷ ଏଥିପାଇଁ ତାଲିକା ପ୍ରସ୍ତୁତ କରି ଜଣାଇବେ। ୫ ଜଣରୁ ଅଧିକ ଲୋକ କୌଣସି ସ୍ଥାନରେ ଏକାଠି ହୋଇପାରିବେ ନାହିଁ।

ଜିଲ୍ଲାରେ ବସ୍, ଅଟୋ ଓ କାର୍ ଆଦି ଚଳାଚଳ କରିପାରିବ ନାହିଁ। ସ୍ବାସ୍ଥ୍ୟସେବା ଭଳି ଜରୁରୀ କାର୍ଯ୍ୟ, ବିମାନବନ୍ଦର ଓ ରେଳଷ୍ଟେସନ୍ ଆଦି ଯିବା କ୍ଷେତ୍ରରେ ଯାନବାହନର ବ୍ୟବହାର ହୋଇପାରିବ। ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ ଓ ପରିବହନ କ୍ଷେତ୍ରରେ ଜିଲ୍ଲା ସାରା କୌଣସି କଟକଣା ନାହିଁ। ଲକ୍‌ଡାଉନ୍‌ ସମୟରେ ଘରୋଇ ଯାନବାହାନ ଚଳାଚଳକୁ ଅନୁମତି ନାହିଁ। କିନ୍ତୁ ବିଭିନ୍ନ ସଂସ୍ଥା ଓ ସଂଗଠନରେ ନିୟୋଜିତ ଯାନବାହନ ଚଳାଚଳ ନିମନ୍ତେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ। ଏଥିସହ ନିଜର ପରିଚୟପତ୍ର ସାଥିରେ ନେଇ ଯିବାକୁ ହେବ। ତେଜରାତି ସାମଗ୍ରୀ ଓ ପରିବାର ଦୋକାନ‌ ସମ୍ମୁଖରେ ବ୍ୟାରିକେଡ୍ ସହ ସାମାଜିକ ଦୂରତ୍ବ ଅବଲମ୍ବନ ପାଇଁ ଜିଲ୍ଲା ପ୍ରଶାସନ ନି‌‌ର୍ଦ୍ଦେଶ ଦେଇଛି।

ଅନ୍ୟପକ୍ଷରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ କାର୍ଯ୍ୟାଳୟ ପୂର୍ବ ଭଳି ଚାଲିବ। ସ୍ବାସ୍ଥ୍ୟସେବା, ଡାକସେବା, ଅଗ୍ନିଶମ, ଏନ୍‌ଏସି ଓ ପୌରସଂସ୍ଥାର କାର୍ଯ୍ୟଧାରା, ବିଜୁଳି ଓ ପାନୀୟ ଜଳ ଯୋଗାଣକାରୀ ସଂସ୍ଥା, ବ୍ୟାଙ୍କ ଓ ଏଟିଏମ୍‌ ସେବା, ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ, ଇ-କର୍ମସ, ରେଷ୍ଟୁରାଣ୍ଟରୁ ଖାଦ୍ୟ ଯୋଗାଣ, ପେଟ୍ରୋଲ୍ ପମ୍ପ, ଏଲପିଜି ଗ୍ୟାସ୍‌ ଓ ଅଏଲ୍ ଏଜେନ୍ସି କାର୍ଯଧାରା ସ୍ବାଭାବିକ ରହିବ। ଲକ୍‌ଡାଉନ୍‌ର କୌଣସି ପ୍ରଭାବ ଏହାର ଉପରେ ପଡ଼ିବ ନାହିଁ। ଗ୍ରାମାଞ୍ଚଳରେ ମନରେଗା ଓ କୃଷିକାର୍ଯ୍ୟ ଏବଂ ସହରାଞ୍ଚଳରେ ଶ୍ରମଭିତ୍ତିକ ନିଯୁକ୍ତି କାର୍ଯ୍ୟକ୍ରମ ସ୍ବାଭାବିକ ଭାବେ ଚାଲୁ ରହିବ।

ଅନ୍ୟପକ୍ଷରେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ। କିନ୍ତୁ ଏଥିସହ ସମ୍ପୃକ୍ତ ଲୋକମାନେ ଜିଲ୍ଲା ପ୍ରଶାସନଠାରୁ ଅନୁମତିପତ୍ର (ପାସ୍‌) ନେବେ। ନଦୀ ଓ ପୋଖରୀ ଆଦିରେ ଜନସାଧାରଣ ସ୍ନାନ କରିପାରିବେ ନାହିଁ। କୌଣସି ସ୍ଥାନରେ ସାମାଜିକ ଦୂରତ୍ବ ଅବଲମ୍ବନର ଉଲଂଘନ ହେଲେ ସ୍ଥାନୀୟ ଅଞ୍ଚଳରେ ରହିଥିବା ରେସିଡେଣ୍ଟ୍ ୱେଲଫେୟାର ଆସୋସିଏସନ୍‌ ତଦାରଖ କରିବା ସହ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବରିଷ୍ଠ ନାଗରିକ, ଗର୍ଭବତୀ, ଶିଶୁ, ମଧୁମେହ ଓ ରକ୍ତଚାପ ଆଦି ରୋଗରେ ପୀଡ଼ିତ ବ୍ୟକ୍ତି ବିନା କାରଣରେ ବାହାରକୁ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର