ଗାଁ ରୁ ସହର ସବୁ ଠପ୍ : ଯାଜପୁରରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ

ଯାଜପୁର/ଟାଉନ/ସଦର : କୋଲକାତା ଫେରନ୍ତା କରୋନା ଆକ୍ରାନ୍ତଙ୍କ ପାଇଁ ଯାଜପୁର ଜିଲ୍ଲାର ସ୍ଥିତି ବିଗିଡ଼ିଯାଇଛି। ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗତକାଲି ରାତିରୁ ୬୦ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ଆଜି ସହର ଠାରୁ ଗାଁ ସବୁକିଛି ଠପ୍‌ ହୋଇଯାଇଥିଲା। ଆଜି ସକାଳୁ ପରିବା ଓ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଦୋକାନ ଖୋଲିନଥିଲା। କେବଳ ଔଷଧ ଦୋକାନ ଖୋଲା ଯାଇଥିଲା। ଯାଜପୁର ସହର, ବ୍ୟାସନଗର ସହର ସମେତ ସମଗ୍ର ଜିଲ୍ଲାର ଗାଁ ଗହଳି ରାସ୍ତାଘାଟ ଓ ଜାତୀୟ ରାଜପଥ ମଧ୍ୟ ଜନଶୂନ୍ୟ ହୋଇପଡ଼ିଥିଲା। ଆଜି ଯାଜପୁର ଜିଲ୍ଲାର କ‌ରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହୋଇନଥିଲେ ହେଁ ପଡ଼ୋଶୀ ଭଦ୍ରକ ଜିଲ୍ଲାରେ ୪ଜଣ ନୂତନଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏମାନେ ସମସ୍ତେ କୋଲକାତା ଫେରନ୍ତା। ଜିଲ୍ଲାର ସଟ୍‌ଡାଉନ୍‌କୁ ସଫଳ କରିବା ପାଇଁ ୧୨ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

ସରକାରୀ କ୍ବାରାଣ୍ଟିନ୍‌କୁ ସୁବ୍ୟବସ୍ଥିତ କରିବା ସହିତ ବାହାରୁ ଆସିଥିବା ଲୋକଙ୍କୁ ସେଠାରେ ରଖିବାକୁ କରୋନା ନିୟନ୍ତ୍ରଣ ପାଇଁ ପର୍ଯ୍ୟବେକ୍ଷକ ଥିବା ରାଜ୍ୟପାଳଙ୍କ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ମେହେର୍ଦ୍ଦା ଟାଟା ମେଡିକା କୋଭିଡ୍-୧୯ ହସ୍ପିଟାଲ,ଏନ୍‌ସି କଲେଜ କୋଭିଡ କେୟାର କେନ୍ଦ୍ର, ଅବରୋଧ ଅଞ୍ଚଳ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ ବୁଲି ଦେଖିବା ସହିତ ରୋଗୀମାନଙ୍କ ସ୍ଥିତି ପଚାରି ବୁଝିଥିଲେ। ଟାଟା ମେଡ଼ିକା କୋଭିଡ ହସ୍‌ପିଟାଲରେ ପହଞ୍ଚି ସେଠାରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସମ୍ପର୍କରେ ସୁପରିଟେଣ୍ଡେଣ୍ଟ ଡ.ସୁଧାଂଶୁ ଶେଖର ସୂତାରଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଏନ୍‌ସି କଲେଜ କୋଭିଡ କେୟାର ସେଣ୍ଟରରେ ପହଞ୍ଚି ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ଜିଲ୍ଲାପାଳଙ୍କ ନିୟନ୍ତ୍ରଣ କକ୍ଷ ଅନୁଧ୍ୟାନ କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଡିଆରଡିଏ ପିଡ଼ି ଇନ୍ଦ୍ରମଣି ନାୟକ, ସିଡିଏମ୍‌ଓ ସୁଧାଂଶୁ ଶେଖର ବଳ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଡ. ମେହେର୍ଦ୍ଦା ଅବରୋଧ ଅଞ୍ଚଳର ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଗସ୍ତ କରି ସ୍ଥିତି ପରଖିଥିଲେ। ଅପରାହ୍‌ଣରେ ଅତିରିକ୍ତ ପୁଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ , କେନ୍ଦ୍ରାଞ୍ଚଳ ଡିଆଇଜି ଅଶିଷ ସିଂ ଏବଂ ଯାଜପୁର ଏସ୍‌ପି ଚରଣ ସିଂ ମୀନା ଅବରୋଧ ଅଞ୍ଚଳ କୋଦେଇବାଟି ଓ ବିରଜାପୁର ଗସ୍ତ କରି ପରିସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର