ଯାଜପୁର : ଅଦିନିଆ ବର୍ଷାରେ ସୁରକ୍ଷା କର୍ମୀ ନୟାନ୍ତ

ଯାଜପୁର/ପାଣିକୋଇଲି : ଯାଜପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ୬୦ଘଣ୍ଟିଆ ସଟ୍‌ଡାଉନ୍‌ ବଳବତ୍ତର ରହିଛି। ଗତ ୨୩ତାରିଖ ରାତି ୧୦ଟାରୁ ଆରମ୍ଭ ହୋଇଥିବା ସଟ୍‌ଡାଉନ୍ ଆସନ୍ତାକାଲି ସକାଳ ୧୦ରେ ଶେଷ ହେବ। ଆଜି ସକାଳେ କାଳବୈଶାଖୀ ବର୍ଷା ଯୋଗୁଁ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲାରେ ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଡ଼ୋଶୀ ଭଦ୍ରକ ଜିଲ୍ଲାରେ ୧୬ଜଣ କରୋନାରେ ଆକ୍ରାନ୍ତ ହେବା ଖବର ଜିଲ୍ଲାବାସୀଙ୍କ ଆଖିରୁ ଦିନ ହଜାଇ ଦେଇଛି। ଲୋକମାନେ ଭୟରେ ଘରୁ ବାହାରିବାରୁ ନାହାନ୍ତି। ତଥାପି କେତେକ ଅମାନିଆ ବିଭ୍ରାଟ କରୁଛନ୍ତି। ଯେଉଁଥିପାଇଁ ପୁଲିସ କର୍ମଚାରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ସକାଳେ ବର୍ଷା ଯୋଗୁଁ ପ୍ରାୟ କେ‌ହି ପଦାକୁ ବାହାରିନଥିବା ଦେଖିବାକୁ ମିଳିଥିଲା। କୋଲକାତା ଫେରନ୍ତାଙ୍କ ପାଇଁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଛି। ଲକ୍‌ଡାଉନ୍ ସତ୍ତ୍ବେ ବିଭିନ୍ନ ଗଳା ବାଟଦେଇ ସନ୍ଧିଗ୍ଧମାନେ କୋଲକାତାରୁ ଏହି ୩ ଜିଲ୍ଲାକୁ ପ୍ରବେଶ କରୁଛନ୍ତି। ସଟ୍‌ଡାଉନ୍ ସମୟରେ ଏନ୍ଏଚ୍‌‌ରେ ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ଗାଡି, ଆମ୍ବୁଲାନ୍ସ ବ୍ୟତୀତ ରୋଗୀମାନେ ଅନୁମତିପତ୍ର ଦେଖାଇ ଘରୋଇ ଗାଡିରେ ଯାଇପାରିବେ ବୋଲି ସରକାର ନିଦେର୍ଶନାମା ଜାରି କରିଛନ୍ତି। ଯାଜପୁର ପୁଲିସ ପକ୍ଷରୁ ଭଦ୍ରକ ଓ ଯାଜପୁର ଜିଲ୍ଲା ସୀମାନ୍ତ ଏନଏଚ ୧୬ର ବ୍ରଜନଗର ନିକଟରେ ଗାଡ଼ିଗୁଡିକୁ ୨୪ ଘଣ୍ଟିଆ ଯାଞ୍ଚ କରାଯାଉଛି। ବାଲେଶ୍ବର ଓ ଭଦ୍ରକରୁ ଆସୁଥିବା ଗାଡ଼ିଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। କଣ୍ଟେନର ଟ୍ରକ ଗୁଡିକର ଚାବି ଖୋଲି ଭିତରେ କଣ ଅଛି ତନଖି କରାଯାଉଛି। ପଶ୍ଚିମବଙ୍ଗରୁ କଣ୍ଟେନରରେ ‌ଲୋକେ ପଳାଇ ଆସୁଥିବା ଖବର ଏସ୍‌ପିଙ୍କ ନିକଟରେ ଥିବାରୁ ସେହି ଗାଡ଼ିଗୁଡିକୁ ନିୟମିତ ଯାଞ୍ଚ କରାଯାଉଛି।

ଅନ୍ୟପକ୍ଷରେ ଘରୋଇ ଆମ୍ବୁଲାନ୍ସ ଓ କାରରେ ଆସୁଥିବା ବ୍ୟକ୍ତି ମାନଙ୍କର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି। ଯେଉଁମାନେ ଆବଶ୍ୟକ କାଗଜପତ୍ର ଦେଖାଇପାରୁ ନାହାନ୍ତି ସେମାନଙ୍କୁ ସେଠାରୁ ଫେରାଇ ଦିଆଯାଉଛି। ଜାତୀୟ ରାଜପଥରେ ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ବରେ ଥାନା କର୍ମଚାରୀ ଓ ତୃତୀୟ ଇଣ୍ତିଆନ ରିଜର୍ଭ ବାଟାଲିୟନକୁ ମୁତୟନ କରାଯାଇ ଯାଞ୍ଚ କାମ ଚ‌ାଲିଛି। ସେହିପରି ଭଦ୍ରକ ସୀମାନ୍ତକୁ ଲାଗିଥିବା ଯାଜପୁର ଓ ଦଶରଥପୁର ବ୍ଲକ୍ ପୋଲ ସିଲ କରାଯାଇଥିବା ବେଳେ ଗଳାବାଟଗୁଡ଼ିକୁ ମଧ୍ୟ ତନଖି କରାଯାଉଛି। ବିଶେଷ କରି ଏବେ ବୈତରଣୀ ନଦୀ ଶୁଖିଯାଇଥିବାରୁ ଲୋକମାନେ ନଦୀ ଭିତରେ ଯିବା ଆସିବା କରୁଛନ୍ତି। ତେବେ ବାହାରୁ ଆସିଥିବା ଲୋକମାନଙ୍କୁ ଗ୍ରାମବାସୀ ଆକଟ କରିବା ଆରମ୍ଭ କରିଛନ୍ତି। ଏପରିକି ପୁଲିସ, ତହସିଲ ଓ ବିଡ଼ିଓଙ୍କୁ ଖବର ଦେଉଛନ୍ତି। ବାହାରୁ ଆସିଥିବା ଲୋକଙ୍କୁ ସରକାରୀ ସଂଗରୋଧ କେନ୍ଦ୍ରରେ ରଖିବା କାର୍ଯ୍ୟକ୍ରମ ବ୍ୟାପକ କରାଯାଉଛି।

ସମ୍ବନ୍ଧିତ ଖବର