ସଟ୍‌ଡାଉନ୍ ବେଳେ ଯାଜପୁର ପୁଲିସର କଡ଼ା ପହରା : ୧୪ ଜଣଙ୍କ ନାମରେ ୧୨ ମାମଲା

ସ୍ଥିତି ସମୀକ୍ଷା କଲେ ଡିଜିପି

ଯାଜପୁର/ଟାଉନ/ସଦର : ଯାଜପୁର ଜିଲ୍ଲାର ପ୍ରମୁଖ ସହର, ବ୍ଲକଗୁଡ଼ିକର ସଦର ମହକୁମା ଓ କରୋନା ବ୍ୟାପିବାର ଆଶଙ୍କା ଥିବା କେତେକ ଅଞ୍ଚଳରେ ଗତକାଲି ରାତି ୮ଟାରୁ ୪୮ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି। ସାରାଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜନସାଧାରଣ ସଟ୍‌ଡାଉନ୍‌କୁ ସ୍ବତଃପ୍ରବୃତ୍ତ ସମର୍ଥନ କରୁଥିବାବେଳେ ୧୪ ଜଣ ଅମାନିଆ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କ ନାମରେ ୧୨ଟି ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଯାଜପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପୁଲିସ ପ୍ରଶାସନ ଆଜି ଯାଜପୁର ଏବଂ ବ୍ୟାସନଗର ସହରରେ ଫ୍ଲାଗମାର୍ଚ କରିଥିଲା। ଏହି ସମୟ ମଧ୍ୟରେ ୫୭ଟି ଗାଡ଼ି ଜବତ କରାଯାଇଥିବା ବେଳେ ସେମାନଙ୍କଠାରୁ ପ୍ରାୟ ୧ଲକ୍ଷ ୧୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ସଟଡାଉନ ପାଇଁ କେବଳ ‌ଔଷଧ ଦୋକାନ ଖୋଲା ରହିଥିଲା। କାଁ ଭାଁ ଲୋକ ‌ଔଷଧ ଓ ଡାକ୍ତରଖାନାକୁ ଯାତାୟାତ କରିଥିଲେ। ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଲକ୍ଷ୍ୟ କରାଯାଇଥିଲା।

ପୁଲିସ ଡିଜି ଅଭୟ ଓ ତାଙ୍କ ସହିତ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ସଟଡାଉନ୍ କାର୍ଯ୍ୟକାରିତା ତଥା ଜିଲ୍ଲାର ବିଭିନ୍ନ ସ୍ଥାନର ସ୍ଥିତି ପରଖିଥିଲେ। ପୁଲିସ ହେଲପ୍ ଲାଇନ୍, ଡାଏଲ୍ ୧୦୦ ଏବଂ ପୁଲିସ କର୍ମଚାରୀଙ୍କ କଲ୍ୟାଣ ବିଷୟରେ ସମୀକ୍ଷା କରିଥିଲେ । କୁଆଖିଆ ପୁଲିସ୍ ଷ୍ଟେସନ୍ ପରିଦର୍ଶନ କରି ଥାନା କର୍ମଚାରୀଙ୍କ ସହ ସୁବିଧା ଓ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ସହ ଅନ୍ୟାନ୍ୟ ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସଟ୍‌ଡାଉନ୍‌ ସମୟରେ ପୌରସଂସ୍ଥା ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ମାତ୍ର ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବଣ୍ଟନ ହେଉଥିବା ରନ୍ଧାଖାଦ୍ୟ ଆଜି ବନ୍ଦ ହୋଇଯିବା ଫଳରେ କେତେକ ଭିକାରି ଓ ଅଟକ ରହିଥିବା ବାହାର ଶ୍ରମିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ଆଜି ସୁଦ୍ଧା ଜିଲ୍ଲାର ମୋଟ ୧୦ଟି ବ୍ଲକ୍‌ର ୩୧୧ ପଞ୍ଚାୟତରେ ୩୨୧ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୩୦୭ଟି ସମ୍ପୂର୍ଣ୍ଣ ହୋଇଛି। ଏଥିରେ ୩ହଜାର ୯୨୯ଜଣ ରହିବା ପାଇଁ ଶଯ୍ୟା ପ୍ରସ୍ତୁତ ହୋଇଛି। ସେହିପରି ୧୪୬ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ୩୭ହଜାର ୭୭ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଲକଡାଉନ ଗାଇଡଲାଇନକୁ ୧୪ ଜଣ ଉଲ୍ଲଂଘନ କରିଛନ୍ତି। ସେମାନଙ୍କ ନାମରେ ୧୨ଟି ମାମଲା ଜିଲ୍ଲାର ବିଭିନ୍ନ ଥାନାରେ ରୁଜୁ କରାଯାଇଛି। ସେମାନଙ୍କ ପାଖରୁ ୫୭ଟି ଗାଡି ଜବତ କରାଯାଇଥିବା ବେଳେ ୧ଲକ୍ଷ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି। ସରକାରୀ ନିୟମକୁ ମାନି ଲକଡାଉନ ଓ ସଟ୍ ଡାଉନ ସମୟରେ ସାଧାରଣ ଲୋକ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଯାଜପୁର ଏସପି ଚରଣ ସିଂ ମୀନା ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଏସପି ଶ୍ରୀ ମୀନା ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରେ ଯାଜପୁର ଜିଲ୍ଲାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ କରାଯିବା ସହିତ ସାନିଟାଇଜ କରାଯାଇଥିଲା। ‌ପରେ ୪୮ ଘଣ୍ଟିଆ ସଟଡାଉନ ନିଷ୍ପତ୍ତି ହୋଇଥିଲା। ଗତକାଲି ରାତି ୮ ଟା ଠାରୁ ଜିଲ୍ଲା ପ୍ରଶାସନ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୋମବାର ରାତି ୮ ଟା ପର୍ଯ୍ୟନ୍ତ ଯାଜପୁର ସହର ଓ ବ୍ୟାସନଗର ପୌରାଞ୍ଚଳ, ବ୍ୟବସାୟିକ ପେଣ୍ଠସ୍ଥଳୀ ଚଣ୍ଡିଖୋଲ, ପାଣିକୋଇଲି, ଚାରିନଙ୍ଗଳ ଓ ପ୍ରତି ବ୍ଲକର ମୁଖ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ଏହି ସଟ୍‌ଡାଉନ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର