ସାରା ଓଡ଼ିଶାରେ ଲାଗୁ ହେଲା ଶନିବାର-ରବିବାର ସଟଡାଉନ

ଭୁବନେଶ୍ଵର: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ରାଜ୍ୟକୁ ପୁଣି ଫେରିଛି ସପ୍ତାହନ୍ତ ସଟଡାଉନ୍ । ରାଜ୍ୟ ସରକାର ଆଜି ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ଶନିବାର ଓ ରବିବାରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ୍ କଟକଣା ଜାରି ରହିବ। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଆଜି ସପ୍ତାହନ୍ତ ସଟଡାଉନ୍ ସହ କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଜାରି କରିଛନ୍ତି। ଏକ ସ୍ବତନ୍ତ୍ର ଆଦେଶ ବଳରେ ଏହାକୁ କାର୍ଯ୍ୟକାରୀ କରାଯାଇଛି।

ଏସଆରସିଙ୍କ ଘୋଷଣା ମୁତାବକ ସଟଡାଉନ୍ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏଥିସହ ଜରୁରୀ ସେବା ଯୋଗାଉଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ। ସ୍ବାସ୍ଥ୍ୟସେବା, ବିଦ୍ୟୁତ ସେବା, ଜଳଯୋଗାଣ, ପରିମଳ, ଏଲପିଜି ଯୋଗାଣ, ମାଲ ପରିବହନ, ଜରୁରୀ ପରିବହନ, ବ୍ୟାଙ୍କ ଏଟିଏମ୍, ଔଷଧ ଦୋକାନ ଏବଂ ଗଣମାଧ୍ୟମ ଆଦି ସଂସ୍ଥା ସଟଡାଉନ୍ ସମୟରେ କାର୍ଯ୍ୟ କରିବ। ତେବେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ବତନ୍ତ୍ର ପାସ ମିଳିବ ନାହିଁ, ସେମାନେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତ କରିବ।

ଏହି ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ଏସଆରସି ପ୍ରଦୀପ ଜେନା ଅନୁରୋଧ କରିଛନ୍ତି । ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ହେଲେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି।

ସେହିପରି ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି । ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି, ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର