ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ: ପିସିସି ସଭାପତି

ବିଭାଘର ଓ ଶବବୁହା ଗାଡ଼ିକୁ ବନ୍ଦବେଳେ ବାଧା ଦିଆଯିବନି

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ସୋମବାର କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ଅନୁଷ୍ଠିତ ହେବ। ଏ ନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି କି ଏହି ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ବନ୍ଦବେଳେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବିଭାଘର ଗାଡ଼ି, ଶବବୁହା ଗାଡ଼ି, କ୍ଷୀର ଗାଡ଼ି, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଗାଡ଼ି, ରୋଗୀ, ଡାକ୍ତର, ସ୍ବାସ୍ଥ୍ୟସେବା କର୍ମୀମାନଙ୍କୁ କୌଣସି ବାଧା ଦିଆଯିବନାହିଁ।

ଶ୍ରୀ ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି ଯେ, କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ ଦୀର୍ଘ ୭ ବର୍ଷ ଧରି ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ପେଟ୍ରୋଲ ଓ ଡିଜେଲ ଦର ଏବେ ୯୦ ଟଙ୍କା ଡେଇଁଲାଣି। ଅହେତୁକ ଦରଦାମ ବୃଦ୍ଧି ଯୋଗୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। ୟୁପିଏ ସରକାର ସମୟରେ ତୈଳଦର ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ୟାରେଲ ପିଛା ୧୦୭ ଡଲାରରୁ ୧୩୦ ଡଲାର ଥିଲା। ସେତେବଳେ ପେଟ୍ରୋଲ ୭୨ ଓ ଡିଜେଲ ୬୭ ଟଙ୍କାରେ ମିଳୁଥିଲା। ସେ ସମୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ପଇସାରୁ ୭ ପଇସା ବଢ଼ିଲେ ବିଜେଡି ଦଳ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲା। କିନ୍ତୁ ଏବେ ପୁରା ଚୁପ୍‌। ଅନ୍ତରାଷ୍ଟ୍ରୀୟ ବଜାରରେ ଏବେ ତୈଳ ଦର ବ୍ୟାରେଲ ପିଛା ୫୫ ଡଲାରରେ ପହଞ୍ଚିଲାଣି। ଅର୍ଥାତ୍‌ ୟୁପିଏ ସରକାର ସମୟରେ ଥିବା ଅଶୋଧିତ ତୈଳଦରରେ ହ୍ରାସ ଘଟି ଏକ ତୃତୀୟାଂଶରେ ପହଞ୍ଚିଲାଣି। ତଥାପି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଟିକସ ବ୍ୟବସ୍ଥା ଯୋଗୁଁ ଦର ବଢ଼ିଚାଲିଛି। ତୈଳ ଦର କମାଇବାକୁ କେନ୍ଦ୍ର ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଗଲା। ଏହାସହିତ ରାଜ୍ୟ ନେଉଥିବା ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ଟିକସକୁ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଗଲା। କିନ୍ତୁ କୌଣସି ଗୋଟିଏ ବି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଲେନାହିଁ। ଯଦି ରାଜ୍ୟ ସରକାର ଭାଟ କମାଉଛନ୍ତି, ତାହେଲେ ବାହାର ରାଜ୍ୟର ଗାଡ଼ି ଆମ ରାଜ୍ୟକୁ ଆସି ପେଟ୍ରୋଲ ଓ ଡିଜେଲ କିଣିବେ। ଫଳରେ ରାଜ୍ୟକୁ ଅଧିକ ରାଜସ୍ବ ମିଳିବ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ମୋଦୀ ସରକାରଙ୍କ ଶାସନ ସମୟରେ ଦେଶରେ କେବଳ ୧ ପ୍ରତିଶତ ଲୋକମାନଙ୍କ ଆୟ ବଢ଼ିଛି। ଆଉ ସେମାନେ ସମସ୍ତେ କର୍ପୋରେଟ୍‌ ଜଗତର। ଏବେ କର୍ପୋରେଟ୍‌ ଟିକସ ପରିମାଣକୁ ୩୨ ପ୍ରତିଶତରୁ ୨୫ ପ୍ରତିଶତକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ଫଳରେ ଦେଶ ୧ ଲକ୍ଷ ୪୪ ହଜାର କୋଟି ଟଙ୍କା ରାଜସ୍ବ ହରାଉଛି। ଧନୀ ଲୋକ ଅଧିକ ଧନୀ ହେଉଥିବାବେଳେ ଗରିବ ଓ ମଧ୍ୟବିତ୍ତ ଲୋକ ଦିନକୁ ଦିନ ଅଧିକ ଗରିବ ହୋଇଚାଲିଛନ୍ତି। ଏହା ବିରୋଧରେ ଆଗାମୀ ୧୫ ତାରିଖରେ ଜନସଚେତନତା ସୃଷ୍ଟି ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର