ପୁରୀ : ପଞ୍ଚତୀର୍ଥ ପୁଷ୍କରିଣୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରୀରର ପଞ୍ଚଭୂତ ବିବେଚନା କରାଯାଏ। ଏଥିପାଇଁ ଦୂରଦୂରାନ୍ତରରୁ ଆସୁଥିବା ପର୍ଯ୍ୟଟକମାନେ ଏହି ପୁଷ୍କରିଣୀର ଜଳକୁ ସାଙ୍ଗରେ ନେଇ ଘରକୁ ଫେରନ୍ତି। ଏହାକୁ ସିଞ୍ଚି ହେଲେ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି। ବିଶେଷକରି ଶ୍ବେତଗଙ୍ଗା ପୁଷ୍କରିଣୀ ପବିତ୍ର ଗଙ୍ଗା ନଦୀ ସହ ସଂଯୋଗ ଥିବା ବିଶ୍ବାସ ରହିଛି। ତେଣୁ ଏହାର ଜଳକୁ ନିର୍ମଳ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ବିଶୋଧନ ପ୍ଲାଣ୍ଟ ସ୍ଥାପନ ହୋଇଥିଲା। କିନ୍ତୁ ୧୫ ବର୍ଷ ତଳୁ ସ୍ଥାପନ ହୋଇଥିବା ଏହି ମୂଲ୍ୟବାନ ମେସିନ ଏବେ ଖତ ହେଉଛି। ଅଚଳ ହୋଇ ଦୀର୍ଘ ବର୍ଷ ପଡ଼ି ରହିଥିଲେ ବି ଶ୍ରୀମନ୍ଦିର ପ୍ରଶାସନର ନିଘା ନାହିଁ। ତେଣୁ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ସୁଦୂରପ୍ରସାରୀ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି।
ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ଯେବେ ପୁରୀର ଜିଲ୍ଲାପାଳ ଥିଲେ, ସେଇ ସମୟରେ ଏଇ ପ୍ରକଳ୍ପର ପରିକଳ୍ପନା ହୋଇଥିଲା। ତେଣୁ ନ୍ୟାସ୍ନାଲ ଥର୍ମାଲ ପାୱାର କର୍ପୋରେସନ (ଏନ୍ଟିପିସି) ଜରିଆରେ ଏହା ଶ୍ବେତଗଙ୍ଗାରେ ସ୍ଥାପନ ହୋଇଥିଲା। ଏଥିପାଇଁ ସେତେବେଳେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ଆଧୁନିକ ଜ୍ଞାନ କୌଶଳର ଉପଯୋଗ ପୂର୍ବକ ପୁଷ୍କରିଣୀ ଜଳରାଶିକୁ ବିଶୋଧନ କରାଯାଉଥିଲା। ତେବେ ଦୁଇ ତିନିମାସ ଚାଲିବା ପରେ ଏହା ଅକାମୀ ହୋଇଗଲା। ଏନେଇ ସ୍ଥାନୀୟ ବାସିନ୍ଦା ଆଇନଜୀବୀ ବିଶ୍ବଜିତ ମହାପାତ୍ର କହିଛନ୍ତି, ଏହା ଏକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଥିଲା। ତେବେ ଏହାକୁ ବଜାୟ ରଖିବା ପାଇଁ ଶ୍ରୀ ମହାପାତ୍ର ଯେତିକି ଉଦ୍ୟମ କରିଥିଲେ, ତାଙ୍କ ପରବର୍ତ୍ତୀ ଅଧିକାରୀମାନେ ସେତିକି ଆନ୍ତରିକତା ଦେଖାଇଲେ ନାହିଁ। ଶ୍ରୀ ମହାପାତ୍ର ପୁନର୍ବାର ଯେବେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ସେତେବେଳେ ସେ ପୁନଃ ଏନ୍ଟିପିସିର ଯନ୍ତ୍ରୀମାନଙ୍କୁ ଡକାଇ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ କରିଥିଲେ। କାମ ହେବା ପରେ ଏହା କିଛିଦିନ ଚାଲିଥିଲା। କିନ୍ତୁ ପୁଣି ୧୫ ଦିନ ପରେ ତ୍ରୁଟି ଦେଖାଗଲା। ଏହା ପରବର୍ତ୍ତୀ ସମୟରେ ପ୍ରଦୀପ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଥିବା ସମୟରେ ଏହାକୁ କାର୍ଯ୍ୟକ୍ଷମ କରାଇବା ସହ କିଛି କର୍ମଚାରୀଙ୍କୁ ଏହାର ପରିଚାଳନା ଦାୟିତ୍ବ ଦେଇଥିଲେ। କିନ୍ତୁ ପୁନର୍ବାର କିଛିଦିନ ପରେ ଏହା ଅଚଳ ହୋଇଗଲା। ତା’ପରଠୁ ଏହି ଜଳ ବିଶୋଧନ ପ୍ଲାଣ୍ଟ ଖତ ହେଉଥିଲେ ହେଁ କେହି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ତରିକତା ଦେଖାଇନାହାନ୍ତି।