ପୂର୍ବତନ ଏସ୍‌ପିଜି ନିର୍ଦ୍ଦେଶକ ତଥା ଓଡ଼ିଶା ପୁଲିସର ପୂର୍ବତନ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀ‌ଙ୍କ ପରଲୋକ

ଭୁବନେଶ୍ୱର : ଗୋଟିଏ ଦିନ ପରେ ପାଳିତ ହୋଇଥାନ୍ତା ୮୨ ତମ ଜନ୍ମ ଦିବସ। ତାଙ୍କର ଅତି ଘନିଷ୍ଠ ବନ୍ଧୁମାନେ ପ୍ରସ୍ତୁତି କରିଥିଲେ। ଦେହ ଖରାପ ହେଲା। ମେଡିକାଲ ଗଲେ। ହେଲେ ଆଉ ଫେରିଲେନି। ସେ ହେଉଛନ୍ତି ପୂର୍ବତନ ଏସ୍‌ପିଜି ନିର୍ଦ୍ଦେଶକ ତଥା ଓଡ଼ିଶା ପୁଲିସର ପୂର୍ବତନ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀ। ୮୧ ବର୍ଷ ବୟସରେ ଆମ୍ରି ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। କିଛି ଦିନ ତଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁ ଖବର ପାଇ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏହି ଦିବଙ୍ଗତ ଆଇପିଏସ୍‌ ଅଫିସରଙ୍କ ବିୟୋଗରେ ପୁଲିସ ଡିଜି ଅଭୟ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଟୁଇଟ୍ କରି ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଜଣେ ଭଲ ମଣିଷ ଭାବରେ ଶ୍ରୀ ତିୱାରୀ ଚିର ସ୍ମରଣୀୟ ହୋଇ ରହିବେ ବୋଲି ସେ ଲେଖିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ପୁଅ ଓ ବୋହୂ ରହିଥିଲେ। ଅନ୍ୟ ଜଣେ ପୁଅ ବାହାରେ ରହୁଥିବାରୁ ପହଞ୍ଚି ପାରି ନାହାନ୍ତି।

ନୂଆପଡ଼ା ରାଜଖରିଆରର ମୂଳ ବାସିନ୍ଦା ଦିବଙ୍ଗତ ତିୱାରୀ ଭୁବନେଶ୍ବର ଫରେଷ୍ଟ ପାର୍କରେ ରହୁଥିଲେ। ୧୯୩୯ ମସିହା ଅଗଷ୍ଟ ମାସ ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପରେ ୧୯୬୩ ମସିହାରେ ଆଇପିଏସ୍‌ ପାଇ ପୁଲିସ ବିଭାଗରେ ଯୋଗ ଦେଇଥିଲେ। ୧୯୯୭ ମସିହାରେ ସେ ପୁଲିସ ଡିଜି ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ କେନ୍ଦ୍ରାଞ୍ଚଳ ଡିଆଇଜି, ଗୁଇନ୍ଦା ନିର୍ଦ୍ଦେଶକ, ନିର୍ଦ୍ଦେଶକ (କାରାଗାର) ଭାବରେ କାମ କରିଥିଲେ। କେନ୍ଦ୍ରୀୟ ଡେପୁଟେସନ୍‌ରେ ଗୁଇନ୍ଦା ବ୍ୟୁରୋର ଯୁଗ୍ମ ସଚିବ ଭାବରେ ମଧ୍ୟ ସଫଳତା‌ର ସହ କାମ କରି ଓଡ଼ିଶା ଫେରିଥିଲେ। କେବଳ ସେତିକି ନୁହେଁ, ଆଭ୍ୟନ୍ତରୀଣ ସୁରକ୍ଷା ସହ ନକ୍ସଲ ବିରୋଧୀ ଅପରେସନ୍‌ରେ ସେ ବେଶ୍‌ ସଫଳତା ପାଇଥିଲେ।

ଏହି ଦିବଙ୍ଗତ ଆଇପିଏସ୍‌ ଅଫିସର ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଏସପିଜି (ସ୍ପେଶାଲ ପ୍ରୋ‌ଟେକ୍ସନ ଗ୍ରୁପ୍)ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ବରେ ଏସ୍‌ପିଜି ଉଲ୍ଲେଖନୀୟ ସଫଳତା ପାଇଥିଲା। ତାଙ୍କ ପରେ ଏ ପର୍ଯ୍ୟନ୍ତ କିମ୍ବା ତାଙ୍କ ପୂର୍ବରୁ କୌଣସି ଓଡ଼ିଆ ଏଭଳି ପଦରେ ଅଧିଷ୍ଠିତ ହେବାର ଗୌରବ ଲାଭ କରି ନାହାନ୍ତି। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଅବସର ପରେ ସେ ବିଭିନ୍ନ ସାମାଜିକ ସଂଗଠନ ସହ ଯୋଡ଼ି ହୋଇ ସମାଜସେବାରେ ବ୍ରତୀ ଥିଲେ। ସମାଜରେ ହେଉଥିବା ଦୁର୍ନୀତି ଓ ଅମାନବିକତା ବିରୋଧରେ ବିଭିନ୍ନ ପ୍ୟାନେଲ୍‌ ଚର୍ଚ୍ଚାରେ ସ୍ବର ଉଠାଉଥିଲେ।

ସମ୍ବନ୍ଧିତ ଖବର