୨ଟି ଲୋକସଭା ଆସନରୁ ଲଢ଼ିବେ ଶ୍ୟାମବାବୁ ସୁବୁଦ୍ଧି

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ ):-ସାଧାରଣ ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସନ୍ତି ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ଡା.କେ.ଶ୍ୟାମବାବୁ ସୁବୁଦ୍ଧି। କେ.ଶ୍ୟାମବାବୁ ଏଥର କେଉଁ ଆସନରୁ ନିର୍ବାଚନ ଲଢିବେ ତାହାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା। ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ଦ୍ବୟରୁ ସ୍ବାଧୀନ ପ୍ରାର୍ଥୀ ହେବା ଲାଗି ନିଷ୍ପତ୍ତି ନେଇ ପ୍ରଚାର ଆରମ୍ଭ କରିଥିବା ‘ସମ୍ବାଦ’କୁ କହିଛନ୍ତି ଡା.କେ. ଶ୍ୟାମବାବୁ ସୁବୁଦ୍ଧି। ଆସନ୍ତା ୧୯ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କହିଛନ୍ତି।

ଶ୍ୟାମବାବୁ ପେସାରେ ଜଣେ ହୋମିଓପ୍ୟାଥି ଡାକ୍ତର ହୋଇଥିବା ବେଳେ ନିଶା ରାଜନୀତି। ୧୯୫୭ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ୧୯୬୨ ମସିହାରେ ସେ ପ୍ରଥମେ ନିର୍ବାଚନ ଲଢିଥିଲେ। ହିଞ୍ଜିଳି ନିର୍ବାଚନ ମଣ୍ତଳୀରୁ ବୃନ୍ଦାବନ ନାୟକଙ୍କ ସହ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ। ୬୧ ବର୍ଷର ରାଜନୈତିକ ଜୀବନ ମଧ୍ୟରେ ବ୍ରହ୍ମପୁର ଓ ଆସିକା ଲୋକସଭା ଆସନରୁ ୧୦ ଥର ଲେଖାଏଁ ପ୍ରାର୍ଥୀ ହୋଇଛନ୍ତି। ଏହାସହିତ ବ୍ରହ୍ମପୁର, ହିଞ୍ଜିଳି, କବିସୂର୍ଯ୍ୟନଗର ଓ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନମଣ୍ତଳୀରୁ ସମୁଦାୟ ୮ଥର ପ୍ରାର୍ଥୀ ହୋଇଛନ୍ତି। ସମୁଦାୟ ୨୮ଥର ପ୍ରାର୍ଥୀ ହୋଇଥିଲେ ଏ ପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖି ନାହାନ୍ତି। ପ୍ରାକ୍ତନ ପ୍ରଧାନମନ୍ତ୍ରୀ ପି.ଭି.ନିରସି˚ହ ରାଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବ˚ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ପ୍ରତିଦ୍ବନ୍ଦିତା କରିଛନ୍ତି। ଲୋକଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ତାଙ୍କର ମୂଳ ଲକ୍ଷ୍ୟ। ବିଭିନ୍ନ ଦଳରୁ ଲଢିବା ପାଇଁ ତାଙ୍କୁ ବିଭିନ୍ନ ସମୟରେ ସୁଯୋଗ ମିଳିଥିଲେ ହେଁ ସ୍ବାଧୀନ ପ୍ରାର୍ଥୀ ଭାବେ ସବୁ ବେଳେ ଲଢିବା ପାଇଁ ଲକ୍ଷ୍ୟ ରହିଥିବା କହିଛନ୍ତି। ତାଙ୍କ ନିର୍ବାଚନ ପ୍ରଚାରର ତରିକା ଭିନ୍ନ। ରାଜନେତାମାନେ ନିର୍ବାଚନ ସମୟରେ ପ୍ରଚାର କରନ୍ତି, ହେଲେ ଶ୍ୟାମବାବୁ ବର୍ଷତମାମ ନିଜର ଏକ ସାଇକେଲରେ ବୁଲି ପ୍ରଚାର ଚଳାଇଥାନ୍ତି। କୌଣସି ରେକର୍ଡ ସୃଷ୍ଟି ଲକ୍ଷ୍ୟରେ ନିର୍ବାଚନ ଲଢୁ ନ ଥିବା କହିଛନ୍ତି। ତେବେ ସେ କ୍ରମାଗତ ଭାବେ ନିର୍ବାଚନ ଲଢି ଆସୁଥିବାରୁ ତାହା ଗ୍ରିନିଜ ବୁକ୍‌ ଅଫ ଵାଲର୍ଡରେ ରେକର୍ଡ ହେବାକୁ ଯାଉଛି ବୋଲି କହିଛନ୍ତି। ସେ ନିର୍ବାଚନ ଜିତିଲେ ଆସିକାକୁ ବନ୍ୟା ଦାଉରୁ ରକ୍ଷା ଲାଗି ରିଙ୍ଗ ବନ୍ଧ ନିର୍ମାଣ, ସା˚ସଦ ହାତପାଣ୍ଠିରେ ବୃକ୍ଷରୋପଣ , ଛେଳଗଡ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି ଡାକ୍ତର ସୁବୁଦ୍ଧି କହିଛନ୍ତି।

ସମ୍ବନ୍ଧିତ ଖବର