ଭୁବନେଶ୍ବର: ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଥିଲେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ। ଜଣେ ଶିକ୍ଷାବିତ୍, ସଂସ୍କୃତି ଗବେଷକ ଓ ଦୂରଦୃଷ୍ଟିସମ୍ପନ୍ନ ତଥା ପ୍ରତିବଦ୍ଧ ରାଜନେତା ଭାବରେ ସ୍ବର୍ଗତ ମୁଖାର୍ଜୀ ଭାରତବର୍ଷର ଇତିହାସରେ ଅବିସ୍ମରଣୀୟ ହୋଇରହିଛନ୍ତି। ଆଜି ଜୟଦେବ ଭବନରେ ତାଙ୍କ ବଳିଦାନ ଦିବସ ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଚସ୍ପତି ସୁରମା ପାଢ଼ୀ ଏଭଳି ମତବ୍ୟକ୍ତ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପାଢ଼ୀ ଆହୁରି କହିଥିଲେ ଯେ ଶ୍ୟାମାପ୍ରସାଦ ଇତିହାସ, ସଂସ୍କୃତି ଓ ପୁରାତତ୍ତ୍ୱ ଉପରେ ଗଭୀର ନିଷ୍ଠା ରଖୁଥିଲେ। ସେ ଥିଲେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି। ସେ ପଶ୍ଚିମବଙ୍ଗ ରାଜ୍ୟ ପ୍ରତିଷ୍ଠାର ଜନକ ଭାବରେ ପରିଚିତି ଲାଭ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଭାଷାରେ ମଦନମୋହନ ମାଲବ୍ୟଙ୍କ ପରେ ହିନ୍ଦୁମାନଙ୍କର ନେତୃତ୍ୱ ନେବାରେ ଶ୍ୟାମାପ୍ରସାଦ ଥିଲେ ଅଗ୍ରଗଣ୍ୟ। ୧୯୨୯ରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ୟାମାପ୍ରସାଦ କେନ୍ଦ୍ରରେ ମନ୍ତ୍ରୀ ଥିବା ବେଳେ ଜାତୀୟ ଶିଳ୍ପନୀତିର କର୍ଣ୍ଣଧାର ଥିଲେ। ଶ୍ରମ ଓ ପୁଞ୍ଜି ମଧ୍ୟରେ ଲାଭାଂଶର ସମବଣ୍ଟନ, ଗ୍ରାମାଞ୍ଚଳର ଅର୍ଥନୀତି ଓ ଭିତ୍ତିଭୂମିର ଦୃଢ଼ୀକରଣ, ସହର ଓ ଗ୍ରାମ ମଧ୍ୟରେ ଦୂରତ୍ୱ ହ୍ରାସ ନିମନ୍ତେ ସେ ଆନ୍ତରିକ ଉଦ୍ୟମ କରିଥିଲେ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ।

Advertisment

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶ୍ୟାମାପ୍ରସାଦଙ୍କୁ ସାଂସ୍କୃତିକ ରାଷ୍ଟ୍ରବାଦ ଓ ଜାତୀୟତାର ଉଦ୍‌ଘୋଷକ ଭାବରେ ବର୍ଣ୍ଣନା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ କାଶ୍ମୀର ପରିପ୍ରେକ୍ଷୀରେ ଦେଶରେ ଦୁଇଟି ବିଧାନ ଚଳିବ ନାହିଁ ବୋଲି ଘୋଷଣା କରି ଶ୍ୟାମାପ୍ରସାଦ ଦେଶର ଏକତା ଓ ସାର୍ବଭୌମତ୍ୱ ପାଇଁ ବିଶାଳ ଅଭିଯାନ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଗବେଷକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଲେ ଯେ ଉତ୍କଳଗୌରବ ମଧୁସୂଦନ ଦାସ ଶ୍ୟାମାପ୍ରସାଦଙ୍କ ପିତା ସାର୍‌ ଆଶୁତୋଷ ମୁଖାର୍ଜୀଙ୍କ ଗୃହ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ୧୯୪୮ରେ ମଧୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ସମୟରେ ତତ୍‌କାଳୀନ କେନ୍ଦ୍ର ମନ୍ତ୍ରୀ ଶ୍ୟାମାପ୍ରସାଦ ମଧୁବାବୁଙ୍କ ସ୍ମୃତିରେ ‘ମାଇଁ ଇମ୍ପ୍ରେସନ୍’ ଶୀର୍ଷକ ଆଲେଖ୍ୟ ଲେଖିଥିଲେ ଏବଂ ତାହା ସେତେବେଳେ ‘ଉତ୍କଳ ପ୍ରସଙ୍ଗ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିବା ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ଦେବା ଅବସରରେ ଶ୍ୟାମାପ୍ରସାଦଙ୍କ ବ୍ୟକ୍ତିତ୍ୱ ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ତନୟା ଦାସ ଗୋସ୍ୱାମୀଙ୍କ ନେତୃତ୍ୱରେ ‘ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ର’ର ଶିଳ୍ପୀମାନେ ଶ୍ୟାମାପ୍ରସାଦଙ୍କ ଜୀବନୀ ଆଧାରିତ ସ୍ୱାଗତ ଗୀତିକା ପରିବେଷଣ କରିଥିଲେ। ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍‌ର ସଭାପତି ଭୁବନାନନ୍ଦ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ବିଭାଗର ଉପନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।