ସାବାସ୍ ଶ୍ୟାମଧର…ଗାଁର ଦୁଃଖ ବୁଝି ନଦୀ ଉପରେ ନିର୍ମାଣ କଲେ କାଠ ପୋଲ, ଖର୍ଚ୍ଚ କଲେ ନିଜ ଅର୍ଜିତ ଧନ

ଭୁବନେଶ୍ବର: ଗାଁ ଲୋକଙ୍କ ଦୁଃଖ ବୁଝିଲେ ଆଦିବାସୀ ଯୁବକ ଶ୍ୟାମଧର ମାଝୀ । ରାୟଗଡ଼ା ଜିଲ୍ଲା କାଶିପୁର ଓ କଲ୍ୟାଣସିଂହପୁର ସୀମାନ୍ତରେ ଥିବା ପଣସପୁଟ ଓ ପୁଷଘାଟି ଗାଁ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହୋଇ ରହିଥିଲା । ବଜାରରେ କିଣାବିକା ହେଉ ଅବା ମେଡ଼ିକାଲ ଲୋକେ ଯାତାୟତ ପାଇଁ ଏକ ନଦୀ ପାର ହେବାକୁ ପଡ଼ୁଥିଲା । ନଦୀରେ ଏକ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲେ । ଶେଷରେ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ଗାଁ ଲୋକଙ୍କ ପାଇଁ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି ଗାଁର ଜଣେ ଶିକ୍ଷିତ ଯୁବକ ଶ୍ୟାମଧର ମାଝୀ ।

ନିଜ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ପୋଲ ନିର୍ମାଣର ଦାୟିତ୍ୱ ସେ ନିଜ ମୁଣ୍ଡକୁ ନେଇଥିଲେ । ଏହା ପରେ ଗାଁ ଲୋକଙ୍କୁ ନେଇ ଏକ ଗ୍ରାମସଭା କରିଥିଲେ । ଏଥିରେ ଅଞ୍ଚଳବାସୀ ରାଜି ହେବା ପରେ ଶ୍ୟାମଧର ତାଙ୍କର ନିଜ କଷ୍ଟ ଅର୍ଜିତ ଧନ ଏବଂ କିଛି ଟଙ୍କା ଧାର କରଜ କରି ନିର୍ମାଣ କାମ ଆରମ୍ଭ କରିଥିଲେ । ଗାଁ ଲୋକଙ୍କ ସହଯୋଗରେ ଅନେକ ଦିନର ପରିଶ୍ରମ ପରେ ପୋଲ ନିର୍ମାଣ କାମ ଶେଷ ହୋଇଥିଲା । ଏହା ପରେ ଗତ ଡ଼ିସେମ୍ବର ୨୬ ତାରିଖରେ ପୋଲର ଶୁଭ ଉଦଘାଟନ ହୋଇଥିଲା ।

ସବୁଠାରୁ ବଡ଼ କଥା ହେଉଛି ଏହାର ଉଦଘାଟନ କୌଣସି ନେତା ମନ୍ତ୍ରୀଙ୍କ ବଦଳରେ ଜଣେ ଚାଷୀ ଜଗାମ୍ ନାୟକ ଏହାର ଉଦଘାଟନ କରିଥିଲେ । ଆଖପାଖ ଅଞ୍ଚଳର ପ୍ରାୟ ୫୦୦ ଲୋକ ଏହି ଉଦଘାଟନ ଉତ୍ସବରେ ସାମିଲ ହୋଇଥିଲେ । ଶ୍ୟାମଧର ମାଝୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକେ ଖୁବ୍ ପ୍ରଶଂସା କରିଛନ୍ତି । ଶ୍ୟାମଧର ମାଣ୍ଡିବିସି ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର