ରାଉରକେଲା : ଗତ ୩୦ ସେପ୍ଟେମ୍ବରରେ ରାଉରକେଲା ପୁଲିସ ଜିଲ୍ଲାର ୨୮ ଏସ୍ଆଇଙ୍କର ବିଭିନ୍ନ ଥାନାକୁ ବଦଳି ହୋଇଛି। ତୁରନ୍ତ ବଦଳି ହୋଇଥିବା ଥାନାରେ ଯୋଗ ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା। ବଦଳି ଅର୍ଡରକୁ ଇତି ମଧ୍ୟରେ ମାସେ ପୁରିଛି। ରାଉରକେଲା ପୁଲିସ ମୁଖ୍ୟାଳୟ, ଉଦିତନଗର, ବ୍ରାହ୍ମଣୀତରଙ୍ଗ, ଟାଙ୍ଗରପାଲି ଆଦି ଥାନାର ଏସ୍ଆଇମାନେ ବଦଳି ହୋଇଥିବା ଥାନାରେ ଯୋଗଦେଇ ସାରିଲେଣି। କେବଳ ଏତିକି ନୁହେଁ ଦ୍ୱିତୀୟ ପର୍ଯ୍ୟାୟରେ ବଦଳି ହୋଇଥିବା ୬ ଇନ୍ସପେକ୍ଟର ଓ ଅନ୍ୟ କିଛି ଫାଣ୍ଡି ଅଧିକାରୀ ଥାନା ଛାଡି ବଦଳି ହୋଇଥିବା ଥାନାରେ ଯୋଗଦେଇ ସାରିଲେଣି। ବିଶ୍ରା ଥାନାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଏହି ଥାନାରେ ଏସ୍ଆଇଙ୍କୁ ବଣାଇଁ ଥାନାକୁ ବଦଳି କରାଯାଇଛି। ମାସେ ପରେ ମଧ୍ୟ ସେ ଥାନା ଛାଡୁ ନାହାନ୍ତି। ଯାହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ଏସ୍ଆଇ ନାଁରେ ସ୍ଥାନୀୟ ଲୋକ ବଦଳି କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ରାଉରକେଲା ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପରେ ୨୮ ଏସ୍ଆଇ ବଦଳି ତାଲିକାରେ ତାଙ୍କର ନାମ ବାହାରି ଥିଲା। ବଦଳି ପରେ ଏବେ କାହିଁକି ଥାନା ଛାଡୁ ନାହାନ୍ତି ? ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ଅଧିକାରୀ ଖବର ଅଛି କି ନାହିଁ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଠିବା ସ୍ବାଭାବିକ। ଅନୁରୂପ ଭାବେ ପୂର୍ବରୁ କୁଆଡେ ଏସ୍ଆଇଙ୍କ ଦୁଇ ଦୁଇ ଥର ଅନ୍ୟତ୍ର ବଦଳି ହୋଇଥିଲା। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଥାନା ଛାଡି ନଥିଲେ।
ଏବେ ବିଶ୍ରା ସନ୍ତୋଷପୁର ମୁଖ୍ୟରୋଡରେ ଏକ ଘରେ ମାସ ମାସ ଧରି ଜୁଆ ଖେଳ ଚାଲିଛି। ସ୍ଥାନୀୟ ଲୋକ ଜୁଆ ଖେଳକୁ ତୁରନ୍ତ ବନ୍ଦ କରିବାକୁ ବାରମ୍ବାର ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ଯାଏ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। କାରଣ ହେଉଛି ଜୁଆ ବେପାରୀମାନେ ଥାନାର କିଛି ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରିଥିବାରୁ ଜୁଆ ଖେଳ ବନ୍ଦ ହେଉ ନଥିବା ଅଭିଯୋଗ ହେଉଛି। ଏସ୍ଆଇ ଜଣକ ସାଧାରଣ ଲୋକଙ୍କ ଉପରେ ଯେତିକି ଜୁଲମ୍ କରୁଛନ୍ତି, କାଠ ଓ ବାଲି ମାଫିଆ ସହ ବେଆଇନ ମଦ କାରବାରକୁ ସେତିକି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି।
ସୀମାନ୍ତରେ କୁକୁଡା ଲଢ଼େଇ, ବେଆଇନ ଗୋରୁ ଏବଂ ଝାଡ଼ଖଣ୍ଡକୁ କାଠ ଓ ବାଲି ଚାଲାଣରେ ଏସ୍ଆଇଙ୍କ ସମ୍ପୃକ୍ତି ରହିଥିବା ସ୍ଥାନୀୟ ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନୂଆଗାଁ ଓ ବିଶ୍ରା ଅଞ୍ଚଳରେ ହୋଟେଲ, ଢ଼ାବା ଓ ରାସନ ଦୋକାନଗୁଡ଼ିକରେ ବେଆଇନ ଭାବେ ଚାଲିଥିବା ବିଦେଶୀ ମଦ କାରବାରକୁ ବନ୍ଦ କରିବା ପରିପର୍ତ୍ତେ ପ୍ରୋତ୍ସାହନ ଦେଉଛନ୍ତି। ଏମାନଙ୍କ ଠାରୁ ମାସିକିଆ ବଟି ଆଦାୟ କରାଯାଉଛି। ଯେଉଁମାନେ ମାସିକିଆ ବଟି ଦେବାକୁ ଅରାଜି ହେଉଛନ୍ତି ସେ ସବୁ ଢ଼ାବା ଓ ହୋଟେଲଗୁଡ଼ିକ ଉପରେ ଚଢ଼ଉ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ତେବେ ବଦଳି ଅର୍ଡରକୁ ବେଖାତିର କରି ବିଶ୍ରା ଥାନା ଛାଡୁ ନଥିବା ଏସ୍ଆଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ରାଉରକେଲା ଏସ୍ପିଙ୍କୁ ଅନୁରୋଧ କରିଛନ୍ତି।