ଭୁବନେଶ୍ୱର: ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହିତ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ଛାତ୍ର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି। ଆଜି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରା‌ ବାହାରି ଲୋୟର ପିଏମ୍‌ଜିରେ ସମାବେଶ କରାଯାଇଥିଲା। ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ ବେଳେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀଙ୍କୁ ରାବଣ ସଦୃଶ ସଜାଇ ସେମାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଉଠାଇ ନେଇଥିଲା। 

Advertisment

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି 
ପୁଲିସ ସହ ଧସ୍ତାଧସ୍ତି 

ଦଳ ପକ୍ଷରୁ କୁହାଯାଇଛି ଯେ ଗତ ପନ୍ଦର ମାସରେ ୧୬ଟି ନିଯୁକ୍ତି ପରୀକ୍ଷା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି। ପୁଲିସ ଏସ୍‌ଆଇ ପରୀକ୍ଷା ଚଳିତ ବର୍ଷ ଦୁଇଥର ବାତିଲ କରାଗଲାଣି। ଜାଲିଆତିରେ ସମ୍ପୃକ୍ତ ଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରୀକ୍ଷାର୍ଥୀମାନେ ମୋଟା ଅଙ୍କର ଲାଞ୍ଚ ଦେଇ ଏହି ଚାକିରି ହାତେଇବା ପାଇଁ ଉଦ୍ୟମ କରୁଥିଲେ। ପ୍ରାୟ ୨୦୦ କୋଟି ଟଙ୍କାର ଏହି ଜାଲିଆତି ହୋଇଥିବା କୁହାଯାଉଛି। ଲାଞ୍ଚ ଦେବା ଅଭିଯୋଗରେ ପରୀକ୍ଷାର୍ଥୀମାନେ ଯଦି ଗିରଫ ହେଲେ, ତାହେଲେ ଲାଞ୍ଚ ଗ୍ରହଣ କରିଥିବା ବ୍ୟକ୍ତିମାନେ ଗିରଫ ହେଉ ନାହାନ୍ତି କାହିଁକି?  

କେଉଁ ପରିସ୍ଥିତିରେ ଏକ ଅନଭିଜ୍ଞ କମ୍ପାନିକୁ ପରୀକ୍ଷା ଦାୟିତ୍ୱ ଦିଆଯାଇଥିଲା ବୋଲି ବିଜୁ ଯୁବ ଛାତ୍ର ଜନତା ଦଳ ପ୍ରଶ୍ନ କରିଛି। ଏବେ ଘଟଣାର ତଦନ୍ତ ପୁଲିସ କରୁଛି, ଯିଏ ନିଜେ ଏହି ସ୍କାମ୍‌ରେ ସମ୍ପୃକ୍ତ ରହିଛି। ତେଣୁ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜୁ ଯୁବ ଛାତ୍ର ଜନତା ଦଳ। ଏହି ଆନ୍ଦୋଳନରେ ବିଜୁ ଯୁବ ଜନତା ଦଳର ସଭାପତି  ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍‌ସିତା ସାହୁଙ୍କ ନେତୃତ୍ବରେ ଆୟୋଜିତ ଏହି ଆନ୍ଦୋଳନରେ ଦଳର ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ଘଡ଼େଇ, ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସାଂସଦ ସୁଲତା ଦେଓ, ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ମନ୍ମଥ ରାଉତରାୟ ଓ ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।