ଭୁବନେଶ୍ୱର: ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏହା ଉପରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୌଣସି ପରିସ୍ଥିତିରେ ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେବା ସହିତ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଯିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ଼ୁଅର (ଏସ‌୍ଓପି) ବା ମାର୍ଗଦର୍ଶିକା ଜାରି କରାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାର ୨୦୨୪ ଜୁନରୁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତିଭିତ୍ତିକ ପରୀକ୍ଷା ସଂକ୍ରାନ୍ତ ଅନିୟମିତତା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ମାଗିଛନ୍ତି। ଏହା ସହିତ ପୂର୍ବ ସରକାର ଅମଳରୁ କ୍ରମାଗତ ଭାବେ ଚାଲିଥିବା ପରୀକ୍ଷା ଦୁର୍ନୀତି ଉପରୁ ପରଦା ହଟାଇବା ପାଇଁ ପ୍ରକ୍ରିୟ‌ା ଆରମ୍ଭ ହୋଇଯାଇଛି। 

Advertisment

ଏସ୍‌ଆଇ ପରୀକ୍ଷା ବାତିଲ ହେବା ପରେ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ, ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା, ଦାୟିତ୍ୱ ହସ୍ତାନ୍ତରିତ ହୋଇଥିବା ଆଉଟ୍‌ସୋର୍ସିଂ ସଂସ୍ଥା ଏବେ ସନ୍ଦେହ ଘେରରେ ଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାର ତଦନ୍ତ ଚାଲିଛି। ଓଡ଼ିଶାରେ ୨୦୨୧ରୁ କାୟାବିସ୍ତାର କରିଥିବା ଏକ ସଂସ୍ଥା ଏକାଧିକ ପରୀକ୍ଷା ଦାୟିତ୍ୱ ନେଇଥିବାବେଳେ ଏଥିରୁ ଅନେକ ଅନିୟମିତତା କାରଣରୁ ବାତିଲ ହୋଇଥିଲା, ସେସବୁର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଏହା ଛଡ଼ା ପରୀକ୍ଷା ଅନିୟମିତତା କାରବାରରେ ଲିପ୍ତ ଥିବା କିଛି ପ୍ରଭାବଶାଳୀଙ୍କ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ଘଟଣା ସହିତ ଜଡ଼ିତ ୧୧୯ ଜଣଙ୍କ ଗିରଫ ପରେ ଏଥିରେ ସଂପୃକ୍ତ କିଛି  ପ୍ରଭାବଶାଳୀଙ୍କୁ ଖୋଜା ଚାଲିଛି।  

ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଜାରି ହେଲା ଏସ୍‌ଓପି
ଆଗକୁ ପୂରଣ ହେବ ଦେଢ଼ ଲକ୍ଷ ପଦ

ଏପରି ସ୍ଥିତିରେ ଆର୍‌ଆଇ, ଅମିନ, ଓଟିଇଟିଠାରୁ ଆରମ୍ଭ କରି ପୁଲିସ, ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ଅନ୍ୟାନ୍ୟ ବିଭାଗରେ ଖାଲି ପଦ ପୂରଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ଲିଖିତ ଓ ମୌଖିକ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଏଣିକି କଡ଼ାକଡ଼ି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏସ୍‌ଆଇ ପରୀକ୍ଷା ଦୁର୍ନୀତି ପ୍ରସଙ୍ଗ ଓଡ଼ିଶା ପୁଲିସ ଠାବ କରିବାର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନସାଧାରଣଙ୍କ ମତାମତ ଓ ପରାମର୍ଶକୁ ଭିତ୍ତି କରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା, ତ୍ରୁଟିବିଚ୍ୟୁତି ସମ୍ପୂର୍ଣ୍ଣ ଦୂର କରିବା ନିମନ୍ତେ ଏସ୍‌ଓପି ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ସବୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ପରୀକ୍ଷାରେ କୌଣସି ତ୍ରୁଟି ବା ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଭିନ୍ନ ସମୟରେ ସାଧାରଣ ଜନତା, ବୁଦ୍ଧିଜୀବୀ, ବିଶେଷଜ୍ଞଙ୍କ ମତାମତ ଓ ପରାମର୍ଶକୁ ଆଧାର କରି ପରୀକ୍ଷାକୁ ସ୍ୱଚ୍ଛ ଓ ଦକ୍ଷତାର ସହିତ କିପରି ପରିଚାଳନା କରାଯାଇପାରିବ ସେଥିନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟସଚିବଙ୍କୁ ଦେଇଥିବା ନୋଟ୍‌ ସିଟ୍‌ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଏସ୍‌ଓପିର ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ଏଣିକି ପରୀକ୍ଷା ପ୍ରଶ୍ନପତ୍ର କେବଳ ସବଜେକ୍ଟ ଏକ୍ସପର୍ଟ (ବିଷୟ ବିଶେଷଜ୍ଞ)ଙ୍କ ଦ୍ୱାରା କରାଯିବ, ଯିଏକି ସବୁ ବିଷୟ ଗୁପ୍ତ ରଖିବା ନିମନ୍ତେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍‌ ରକ୍ଷା କରିବେ। ଚୂଡ଼ାନ୍ତ ପ୍ରଶ୍ନପତ୍ର ଓ ଉତ୍ତର ପୃଥକ୍‌ ଲଫାଫାରେ ଭିନ୍ନ ଭିନ୍ନ ସେଟ୍‌ରେ ସିଲ୍‌ କରାଯାଇ କଡ଼ା ନିରାପତ୍ତା ବଳୟରେ ପ୍ରେସ୍‌କୁ ଯିବ। ଛାପା କାର୍ଯ୍ୟ ବିଭାଗର ପ୍ରାଧିକୃତ ବରିଷ୍ଠ ଅଧିକାରୀ ଏବଂ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହେବ। ପରୀକ୍ଷା ଆୟୋଜନ ପାଇଁ ଏଜେନ୍ସି ମନୋନୟନ ବେଳେ ମଧ୍ୟ ଯଥାସାଧ୍ୟ ସତର୍କତା ଅବଲମ୍ବନ କରାଯିବ। ପରୀକ୍ଷା କ୍ଷେତ୍ରରେ ଆଉଟ୍‌ସୋର୍ସିଂକୁ ଅନୁମତି ଦିଆଯିବ ନାହିଁ। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ। କୌଣସି ଘଟଣାର ଅଡିଟ୍‌ ପାଇଁ  ବ୍ୟବସ୍ଥା ସମ୍ପର୍କରେ ଓକାକ/ଏନ୍‌ଆଇସିକୁ ତଥ୍ୟ ଦିଆଯିବ। ଓଏମ୍‌ଆର ସିଟ୍‌ର ସ୍କାନିଂ କେବଳ ସରକାରୀ ସଂସ୍ଥାରେ ବରିଷ୍ଠ ଅଧିକାରୀଙ୍କ ତଦାରଖରେ କରାଯିବ। ଅନ୍‌ଲାଇନ୍‌ ପରୀକ୍ଷା କ୍ଷେତ୍ରରେ ବାୟୋମେଟ୍ରିକ ତଥା ପରିଚୟ ଯାଞ୍ଚକୁ କଡ଼ାକଡ଼ି କରାଯିବ। 

ଆଗାମୀ ବର୍ଷଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ପରିଚାଳନା ପାଇଁ ମଧ୍ୟ ଏସ୍‌ଓପିରେ କିଛି ପରାମର୍ଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ କିମ୍ବା ଅନ୍ୟାନ୍ୟ ପ୍ରମୁଖ କଲେଜରେ ଓଏମ୍‌ଆର ପରୀକ୍ଷା ପରିଚାଳନା ପାଇଁ ଉଭୟ କମ୍ପ୍ୟୁଟର ଥିବା ପରୀକ୍ଷା କେନ୍ଦ୍ର ଓ ସାଧାରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ। ପରୀକ୍ଷା ପାଇଁ ଆବଣ୍ଟିତ ପ୍ରକୋଷ୍ଠ କେବଳ ଏହି କାମରେ ବିନିଯୋଗ ହେବ ଏବଂ ଏଠାରେ ଆଇଟି ଓ ସାଇବର ନିରାପତ୍ତା ବ୍ୟବସ୍ଥା ରହିବ। ସିସିଟିଭିକୁ ଏକ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ୍‌ ସହିତ ସଂଯୋଜିତ କରାଯିବ। ଉଚ୍ଚଶିକ୍ଷା ବିଭାଗ, ଓକାକ୍‌, ଏନ୍‌ଆଇସି ଓ ପରୀକ୍ଷା ପରିଷଦ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇ ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ କରାଯିବ। ଏହା ଛଡ଼ା ସରକାର ପ୍ରଶ୍ନପତ୍ର ଛାପିବା ପାଇଁ ଏକ ହାଇ ସିକ୍ୟୁରିଟି ପ୍ରିଣ୍ଟିଂ ପ୍ରେସ୍‌ ପ୍ରତିଷ୍ଠା ପାଇଁ ଯୋଜନା କରିବା ଉଚିତ କିମ୍ବା ସରକାରୀ ପ୍ରିଣ୍ଟିଂ ପ୍ରେସର ଏକ ଅଂଶ ବିକଶିତ କରିବା ଉଚିତ, ଯେଉଁଠି ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛପାଯାଇପାରିବ। ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳା ବଜାୟ ରଖିବାକୁ ପର୍ଯ୍ୟାପ୍ତ ପୁଲିସ ବାହିନୀ ମୁତୟନ କରାଯିବା ଆବଶ୍ୟକ ବୋଲି ଏସ୍‌ଓପିରେ କୁହାଯାଇଛି।