ଭୁବନେଶ୍ବର: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବ ସିବିଆଇ। ଏନେଇ ସିବିଆଇ ଭୁବନେଶ୍ବର ଶାଖା ଆଜି ମାମଲା ରୁଜୁ କରିଛି। ଜଣେ ଡିଏସ୍ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ତଦନ୍ତ କରିବେ। ଆଜି ସିବିଆଇର ଏକ ଟିମ୍ କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇ ସେଠାରେ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେଠାରୁ ଅନେକ ଦସ୍ତାବିଜ୍ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଛି।
ଏପଟେ ରାଜନେତା, ବରିଷ୍ଠ ଅଧିକାରୀଙ୍କ ଚିନ୍ତା ବଢ଼ିଲାଣି। ଏହି ବଡ଼ ରୢାକେଟ୍ରେ ୫ ରାଜ୍ୟର ପ୍ରଭାବଶାଳୀଙ୍କ ଲିଙ୍କ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା। ତାକୁ ନେଇ ମଧ୍ୟ ସିବିଆଇ ଖୋଳତାଡ଼ କରିବ।
ପୁଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା। ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା। ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦାୟିତ୍ବ ଦେଇଥିଲା। ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା। ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ। ଏହି ଅପରାଧ ସିଣ୍ଡିକେଟ୍ରେ ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲା। ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ। ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ।
ଆଶାୟୀଙ୍କଠାରୁ ମୁନା ଆଗୁଆ ଅରିଜିନାଲ୍ ସାର୍ଟିଫିକେଟ ହାତେଇବା ସହ ଶଙ୍କର ସହ ଯୋଗାଯୋଗ କରି ଏହାକୁ ସେ ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା। ମୁନା ୧୧୪ ଜଣ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ପରେ ସେମାନଙ୍କୁ ହାଇଦ୍ରାବାଦର ଏକ ସଂସ୍ଥାରେ ପ୍ରଶ୍ନପତ୍ର ସମ୍ପର୍କରେ ତାଲିମ ଦେଇଥାନ୍ତା। ଯୋଜନା ମୁତାବକ ଆଶାୟୀମାନେ ପ୍ରଥମେ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ରହିଥିଲେ। ଅକ୍ଟୋବର ୨୭ ତାରିଖରେ ମୁନା ଭୁବନେଶ୍ବରରେ ବସ୍ ବୁକିଂ କରିଥିଲା। ଏଥିପାଇଁ ୨ ଲକ୍ଷ ୩୦ ହଜାର ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟ ଓ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଇଥିଲା। ୨୯ ତାରିଖରେ ଖଣ୍ଡଗିରିରୁ ୧୧୪ ଆଶାୟୀଙ୍କୁ ବସ୍ରେ ବିଜୟନଗରମ୍ ନିଆଯାଇଥିଲା। ୩୦ ତାରିଖରେ ବ୍ରହ୍ମପୁର ପୁଲିସ ଏହି ବସ୍ଗୁଡ଼ିକୁ ଜବତ କରିବା ସହ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା। ଏହା ପରେ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇଯାଇଥିଲେ। ତଦନ୍ତ ସମୟରେ ଏହି ସିଣ୍ଡିକେଟ୍ ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଗୁଜୁରାଟର ପ୍ରଶ୍ନପତ୍ର କେଳେଙ୍କାରୀରେ ବି ସାମିଲ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାସ ୨୨ ତାରିଖରେ ସୁପାରିସ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/20/rampur-sub-area-manager-caught-by-cbi-while-taking-bribe-of-rs-20000-2025-08-20-21-51-35.jpg)