ଭୁବନେଶ୍ବର: ବହୁଚର୍ଚ୍ଚିତ ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ କରିବ। ଏହି ନିଯୁକ୍ତି ରୢାକେଟ୍‌ ଓଡ଼ିଶା ବ୍ୟତୀତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବାରୁ ଏହାର ତଦନ୍ତ ଭାର ସିବିଆଇକୁ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଏ ନେଇ ସିବିଆଇକୁ ସୁପାରିସ କରିବେ ବୋଲି ଜଣାପଡ଼ିଛି।

Advertisment

ଏବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ସିଆଇଡି ତଦନ୍ତ କରୁଥିବାବେଳେ ଏହାର ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଥିବା ଜାଣିବାକୁ ମିଳିଛି। ଏପରିକି ଏହି ଘଟଣାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଏ ପର୍ଯ୍ୟନ୍ତ ଧରାପଡ଼ିନଥିବାବେଳେ ଏହି ନିଯୁକ୍ତି ରୢାକେଟ୍‌ରେ ଅନ୍ତଃରାଜ୍ୟ ସଂଗଠିତ ଅପରାଧୀ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି। ବିଭିନ୍ନ ରାଜ୍ୟକୁ ଯାଇ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିବା ସମ୍ଭବପର ନୁହେଁ। ତେଣୁ ଏହି ରୢାକେଟ୍‌ର ସଂପୂର୍ଣ୍ଣ ପର୍ଦ୍ଦାଫାସ ପାଇଁ ଏବଂ ଏଥିରେ ସଂପୃକ୍ତ ଅପରାଧୀଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ଅନ୍ତଃରାଜ୍ୟ ଅପରାଧୀ ସଂଗଠନଙ୍କ ସଂପୃକ୍ତି ସନ୍ଦେହ
ବହୁ ରାଜ୍ୟକୁ ନିଯୁକ୍ତି ରୢାକେଟ୍‌ ଚେର ଲମ୍ବିଛି
ପୁଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ ନିଯୁକ୍ତି ପାଇଁ ହେବ ସ୍ଥାୟୀ ଆୟୋଗ

ଆଗକୁ ଯେପରି ଏହିଭଳି ଘଟଣା ନ ଘଟିବ ସେଥିପାଇଁ ପୁଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଗତ ୮ମାସ ମଧ୍ୟରେ ଏହି ଏସ୍‌ଆଇ ନିଯୁକ୍ତି ପରୀକ୍ଷା  ଦୁଇ ଥର ବାତିଲ୍ ହୋଇଥିବାବେଳେ ଏହି ଘଟଣାରେ ଏବେ ସୁଦ୍ଧା ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀ ଏବଂ ଅନ୍ୟ ୯ଜଣ ଦଲାଲଙ୍କୁ ମିଶାଇ ମୋଟ ୧୨୩ଜଣ ଗିରଫ ହୋଇଛନ୍ତି। ସଂପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ଏହି ରୢାକେଟ୍ କାର୍ଯ୍ୟ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି। ଆଶାୟୀ ପରୀକ୍ଷାର୍ଥୀଙ୍କୁ ସ୍ବତନ୍ତ୍ର ବସ୍‌ରେ ଭୁବନେଶ୍ବରରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ନେବାବେଳେ ପୁଲିସ ୧୧୭ଜଣଙ୍କୁ ଗିରଫ କରିଥିଲା। ଆଶାୟୀମାନେ ବିଜୟନଗରମ୍‌ରେ ପ୍ରସ୍ତୁତି ସାରି ପଶ୍ଚିମବଙ୍ଗର ଦୀଘା ଯାଇଥା’ନ୍ତେ। ଏହି ସମୟରେ ଆଉ ଏକ ଗ୍ରୁପ୍‌ରେ  ୧୧୦ ଜଣ ଆଶାୟୀ ଦୀଘା ଯାଉଥିବାବେଳେ ନିଯୁକ୍ତି ରୢାକେଟ୍‌କୁ ପୁଲିସ ଧରିଥିବା ଜାଣି ସମସ୍ତେ ଫେରାର୍ ହୋଇ ଯାଇଥିଲେ। 

ପୁଲିସ ଏସ୍‌ଆଇ ନିଯୁକ୍ତି ଦେବା ପାଇଁ ଆଶାୟୀଙ୍କଠାରୁ ୨୦ରୁ ୨୫ ଲକ୍ଷ ଟଙ୍କା ଆଦାୟ କରିବାକୁ ଡିଲ୍ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇଛି, ଟଙ୍କା କାହା ପାଖକୁ ଯାଇଛି, ପ୍ରଶ୍ନପତ୍ର କିଏ ଆଗୁଅା ଦେଇଥା’ନ୍ତା, ଲିଖିତ ପରୀକ୍ଷା ପାସ୍‌ କଲେ ବି ଶାରୀରିକ ପରୀକ୍ଷା, ମୌଖିକ ପରୀକ୍ଷାରେ କେମିତି ଅଧିକ ମାର୍କ ଦିଆଯାଇଥାନ୍ତା ତାହା ବି ତଦନ୍ତରୁ ଜଣାପଡ଼ିନି। ଯାହା ସିିବିଆଇ ତଦନ୍ତରେ ପର୍ଦ୍ଦାଫାସ ହୋଇପାରେ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ, ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରୁଥିବାବେଳେ ଶାସକ ଦଳ ଅଭିଯୋଗ କରୁଛି ଯେ ଏହି ରୢାକେଟ୍ ପଛରେ ବିଜେଡିର କିଛି ବରିଷ୍ଠ ନେତାଙ୍କ ହାତ ଅଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ବଣିକ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚଢ଼ଉ କରିଥିଲା। ବଣିକ ଇନ୍‌ଷ୍ଟିଚ୍ୟୁଟ୍‌ ମାଲିକଙ୍କର ବିଜେଡିର କୋର୍‌ ଗ୍ରୁପ୍ ସହିତ ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ସିବିଆଇ ତଦନ୍ତ କଲେ ‌ଏହି ରୢାକେଟ୍‌ରେ ଓଡ଼ିଶାର ଯେଉଁମାନେ ସଂପୃକ୍ତ ଅଛନ୍ତି, ବାହାର ରାଜ୍ୟରେ ସେମାନଙ୍କୁ କିଏ ସହଯୋଗ କରୁଥିଲେ, ବାହାର ରାଜ୍ୟର ଆଉ କେଉଁ ସରକାରୀ ନିଯୁକ୍ତିରେ ଏହି ରୢାକେଟ୍‌ର ସଂପୃକ୍ତି ଅଛି ତାହାର ଉନ୍ମୋଚନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।