ଭୁବନେଶ୍ବର/ବ୍ରହ୍ମପୁର/କଟକ: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି। ଏହି ସମ୍ବେଦନଶୀଳ  ଘଟଣା ପଦାକୁ ଆସିବା ପରେ ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି। ଏହି କେ‌େଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି। ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା। ଏଭଳି ଘଟଣା ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବ୍ରହ୍ମପୁରରେ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି। କ୍ରାଇମବ୍ରାଞ୍ଚର ଜଣେ ଏସ୍‌ପିଙ୍କ ନେତୃତ୍ବରେ ୫ ଜଣ ଅଧିକାରୀଙ୍କୁ ନେଇ ତଦନ୍ତକାରୀ ଟିମ୍‌ ବାଲେଶ୍ବର ଓ ବ୍ରହ୍ମପୁରରେ ତଦନ୍ତ କରୁଥିବା ବେଳେ ସେମାନଙ୍କୁ ଉକ୍ତ ଜିଲ୍ଲା ପୁଲିସର ଆଉ ଏକ ଟିମ୍ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି। 

Advertisment

ସୂଚନା ଅନୁଯାୟୀ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ପକ୍ଷରୁ ପୁଲିସ ଏସ୍‌ଆଇ ସମେତ ପୁଲିସ ଏସ୍‌ଆଇ(ଆର୍ମଡ), ଅଗ୍ନିଶମ ଷ୍ଟେସନ ଅଫିସର, ସହକାରୀ ଜେଲର୍ ପାଇଁ ଯୁଗ୍ମ ପୁଲିସ ସେବା ପରୀକ୍ଷା(ସିପିଏସ୍‌ଇ-୨୦୨୪)ରେ ମୋଟ ୧ ଲକ୍ଷ ୫୩ ହଜାର ୫୦୦ ପ୍ରାର୍ଥୀ ଆବେଦନ କରିଥିଲେ। ୯୩୩ ପଦବି ପୂରଣ ପାଇଁ ଏହି ପରୀକ୍ଷା ଓପିଆର୍‌ବି ପକ୍ଷରୁ କରାଯାଇଥାନ୍ତା। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାରେ କେବଳ ପୁଲିସ ଏସ୍‌ଆଇ ପଦବି ପାଇଁ ୬୦୦ ପାଖାପାଖି ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ସୋମବାର ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ସଂକ୍ରାନ୍ତରେ ଏକ ଗୁଇନ୍ଦା ସୂଚନା ଓପିଆର୍‌ବିର ହସ୍ତଗତ ହୋଇଥିଲା। ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା। ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି। ଅଧ୍ୟକ୍ଷଙ୍କ ପକ୍ଷରୁ ଏ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରାଯାଇଛି। ଯେଉଁ ସୂତ୍ରରୁ ଏ ପ୍ରକାର ତଥ୍ୟ ହସ୍ତଗତ ହୋଇଥିଲା, ସେ ସମ୍ପର୍କିତ ତଥ୍ୟ ଏବଂ ଯୋଗାଯୋଗ ନମ୍ବର କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଛି।

କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ: ୧୧୭ ପରୀକ୍ଷାର୍ଥୀ, ୨ ଦଲାଲ ଗିରଫ

ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କଠାରୁ ନିଆଯାଇଥିଲା 
୧୦ ଲକ୍ଷ, ଆଉ ଦେଇଥାନ୍ତେ ୧୫ ଲକ୍ଷ
କୋଚିଂ ଆଳରେ ପ୍ରଶ୍ନପତ୍ର ଦେଇଥାନ୍ତା ଆନ୍ଧ୍ର ସଂସ୍ଥା
ପୂର୍ବରୁ ବି ଥରେ ରଦ୍ଦ ହୋଇଥିଲା

ଭବିଷ୍ୟତରେ ଯେଭଳି ଏ ପ୍ରକାର ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରାଯାଇଛି। ଏହା ସହିତ ବିଭାଗରେ ବି ଯଦି କେହି ସମ୍ପୃକ୍ତ ଅଛନ୍ତି, ତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚକୁ ଜଣାଇ ଦିଆଯାଇଛି। ପରୀକ୍ଷା ପରିଚାଳନାରେ ଯେଭଳି କୌଣସି ପ୍ରକାର ତ୍ରୁଟି ନ ରୁହେ ସେଥିପାଇଁ ଓପିଆର୍‌ବି ପକ୍ଷରୁ ସମସ୍ତ ଏସ୍‌ପିଙ୍କ ସହିତ ତିନି ଥର ବୈଠକ ବସିଥିଲା। ଏହାସତ୍ତ୍ବେ ଆନ୍ଧ୍ରପ୍ରଦେଶ ସଂସ୍ଥା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଯୋଗାଇବାକୁ କହି ପ୍ରାର୍ଥୀଙ୍କୁ ନେଇଥିବା ଘଟଣା ଏବେ ଚିନ୍ତାର କାରଣ ହୋଇଛି।
ପୁଲିସ ଡିଜି ଵାଇ.ବି. ଖୁରାନିଆଙ୍କ କହିବା ଅନୁଯାୟୀ, ପୁଲିସ ଏସ୍‌ଆଇ ପରୀକ୍ଷାକୁ ନେଇ ଆସିଥିବା ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୂରା ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ପାଇଁ ତ୍ବରାନ୍ବିତ ଭିତ୍ତିରେ ପଦକ୍ଷେପ ନିଆଯାଉଛି। 

ଅନ୍ୟପଟେ ଘଟଣା ପ୍ରଘଟ ହେବା ପରେ ପୁଲିସ ନିଯୁକ୍ତି ବୋର୍ଡ ପରୀକ୍ଷାକୁ ବାତିଲ କରିବା ସହ ସୂଚନା ଓ ଅଭିଯୋଗ ପାଇଁ ଏକ ହେଲ୍‌ପଲାଇନ୍‌ ନମ୍ବର (୯୦୪୦୪ ୯୩୨୨୩) ଜାରି କରିଛି। ଯଦି କେହି  କିଛି ଅଭିଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଏହି ନମ୍ୱରରେ ଯୋଗାଯୋଗ କରିପାରିବେ। ସେମାନଙ୍କ ତଥ୍ୟ ଗୋପନ ରଖାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ଏକ ବଡ଼ଧରଣର ଜାଲିଆତି ପ୍ରଘଟ ହେବା ପରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ସରକାରଙ୍କୁ କଡ଼ା ସମାଲୋଚନା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରକାଶଥାଉକି, ପୁଲିସ ନିଯୁକ୍ତି ପରୀକ୍ଷା ପୂର୍ବରୁ ମଧ୍ୟ ବାତିଲ ହୋଇଥିଲା। ଏହି ପଦବି ନିମନ୍ତେ ୨୦୨୫ ଜାନୁଆରି ମାସରେ ଆବେଦନ ଆହ୍ୱାନ କରାଯାଇଥିଲା। ମାର୍ଚ୍ଚ ୮ ଓ ୯ ତାରିଖ ଦୁଇଦିନ ଧରି ଲିଖିତ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଦିନକ ଆଗରୁ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଥିଲା।