କରୋନା ମୁକାବିଲା ବେଳେ ଏସ୍ଆଇ ପଦୋନ୍ନତି ପରୀକ୍ଷା, ୩ ଶହରୁ ଅଧିକ ପ୍ରଶିକ୍ଷାର୍ଥୀଙ୍କୁ ଅନୁଗୁଳ ପିଟିସିକୁ ଡାକରା

ଗୋଟିଏ ବସ୍‌ରେ ଏକାଠି ଯାତ୍ରା କଲେ ୩୦ରୁ ଅଧିକ ଏଏସ୍ଆଇ!
ସଟ୍‌ଡାଉନ୍‌ ପରେ ବାଲେଶ୍ବର, ଭଦ୍ରକ, ଯାଜପୁରରୁ ଯିବେ
ସାମାଜିକ ଦୂରତ୍ବ ରକ୍ଷା କରାଯିବ, ହ୍ବାଟ୍‌ସଆପ୍ ଗ୍ରୁପରେ ସୂଚନା ଦିଆଯିବ: ଅଧ୍ୟକ୍ଷ

ଭୁବନେଶ୍ବର : କରୋନା ମୁକାବିଲା ଲାଗି ସବୁଆଡ଼େ ଲକ୍‌ଡାଉନ୍‌। ସାମାଜିକ ଦୂରତ୍ବକୁ ସରକାର ଗୁରୁତ୍ବ ଦେଉଛନ୍ତି। ପୁଲିସ, ପ୍ରଶାସନ ବି ଅହର୍ନିଶ ସଚେତନ କରି ଚାଲିଛନ୍ତି। କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଏସ୍ଆଇରୁ ସବ୍‌-ଇନ୍ସପେକ୍ଟର୍‌ ପଦୋନ୍ନତି ପରୀକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସଟ୍‌ଡାଉନ୍ ଚାଲିଥିବାରୁ ଭଦ୍ରକ, ବାଲେଶ୍ବର, ଯାଜପୁର ଜିଲ୍ଲାର ପ୍ରଶିକ୍ଷଣ ନେଇ ସାରିଥିବା ଏଏସ୍ଆଇଙ୍କୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲା ଓ କମିସନରେଟ୍‌ ଅଧୀନରେ ପ୍ରଶିକ୍ଷଣ ନେଇ ସାରିଥିବା ଏଏସ୍ଆଇମାନଙ୍କୁ ଆଜି ରାତି ସୁଦ୍ଧା ଯୋଗ ଦେବାକୁ କୁହାଯାଇଛି। ୨୬ତାରିଖରେ ୩ ଜିଲ୍ଲାର ସଟ୍‌ଡାଉନ୍ ଶେଷ ହେବା ପରେ ପ୍ରଶିକ୍ଷାର୍ଥୀଙ୍କୁ ଯୋଗଦେବା ପାଇଁ କୁହାଯାଇଛି। ପୂର୍ବରୁ ପ୍ରଶିକ୍ଷଣ ସରିଥିବା ବେଳେ ସବ୍ଇନ୍ସପେକ୍ଟର ପଦୋନ୍ନତି ଲାଗି କେବଳ ଏକ ପରୀକ୍ଷା ବାକି ଅଛି। ପ୍ରଶିକ୍ଷଣ ନେଇ ସାରିଥିବା ୩ ଶହରୁ ଅଧିକ ଏଏସ୍ଆଇ କିପରି ଗୋଟିଏ ସ୍ଥାନରେ ଏକାଠି ରହିବେ, ତାକୁ ନେଇ ଭୟଭୀତ ଅଛନ୍ତି। ଭୁବନେଶ୍ବରରୁ ଗୋଟିଏ ବସ୍‌ରେ ୩୦ରୁ ଅଧିକ ଏଏସ୍ଆଇ ଅନୁଗୁଳ ପୁଲିସ ଟ୍ରେନିଂ କଲେଜକୁ ଯାତ୍ରା କରିଥବା ଜଣେ ପ୍ରଶିକ୍ଷାର୍ଥୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଗୋଟିଏ ବସ୍‌ରେ ଏତେ ସଂଖ୍ୟକ ପ୍ରଶିକ୍ଷାର୍ଥୀ ଯାତ୍ରା କରିବା କେତେ ସୁରକ୍ଷିତ, ତାକୁ ନେଇ ପୁଲିସର ଉଚ୍ଚ ପଦାଧିକାରୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି।

ସୂଚନା ଅନୁସାରେ, ବିଭାଗୀୟ ସବଇନ୍ସପେକ୍ଟର୍‌ ପଦୋନ୍ନତି ଲାଗି ୨୦୧୯ ସେପ୍ଟେମ୍ବରରୁ ଟ୍ରେନିଂ ଆରମ୍ଭ ହୋଇଥିଲା। ୩୫୦ରୁ ଅଧିକ ଏଏସ୍ଆଇ ଏଥିପାଇଁ ତାଲିମ୍‌ ନେଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଏଏସ୍ଆଇ ଚାକିରିରୁ ଅବସର ନେଇ ସାରିଛନ୍ତି। ମାର୍ଚ୍ଚ ୧୭ରେ ତାଲିମ୍‌ ପ୍ରକ୍ରିୟା ଶେଷ ହୋଇଥିଲା। ପଦୋନ୍ନତି ପରୀକ୍ଷା ପୂର୍ବରୁ କରୋନା ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା ହେବାରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଜିଲ୍ଲାକୁ ଡ୍ୟୁଟିକୁ ପଠାଇ ଦିଆଯାଇଥିଲା। ଏବେ ପରୀକ୍ଷା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ପୁଣି ଡକାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଡିଜିପି ଅଭୟ ଜିଲ୍ଲା ଏସପି, ରେଞ୍ଜ ଡିଆଇଜି, ଆଇଜି, ପୁଲିସ କମିସନରଙ୍କ ସହ ଏ ନେଇ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଆଇଜି ତଥା ଅନୁଗୁଳ ପୁଲିସ ଟ୍ରେନିଂ କଲେଜ ଅଧ୍ୟକ୍ଷ ନରସିଂହ ଭୋଳ କହିଛନ୍ତି, ପୂର୍ବରୁ ୭୨୦ କନଷ୍ଟେବଳ ଏକାଠି ଏଠାରୁ ତାଲିମ ନେଇ ପାସ୍ କରିଛନ୍ତି। ଏଏସ୍ଆଇମାନଙ୍କ ସଂଖ୍ୟା ପ୍ରାୟ ଅଧା। ଏବେ କୌଣସି ତାଲିମ ନ ଥିବା ବେଳେ କେବଳ ଗୋଟିଏ ପରୀକ୍ଷା ବାକି ଅଛି। ଗୋଟିଏ ଛାଡ଼ି ଗୋଟିଏ ବାରାକ୍‌ରେ ସେମାନଙ୍କୁ ରଖାଯିବ। କେହି ପ୍ରଶୀକ୍ଷାର୍ଥୀ ରୁମ୍‌ରୁ ଯେଭଳି ବାହାରି‌ବେ ନାହିଁ, ସେଭଳି ଭାବରେ ବ୍ୟବସ୍ଥା କରାଯାଇଛି। ପ୍ରଶିକ୍ଷାର୍ଥୀମାନଙ୍କୁ ଅପଡେଟ୍ ସୂଚନା ଦେବା ଲାଗି ଏକ ହ୍ବାଟସଆପ୍ ଗ୍ରୁପ୍ ତିଆରି କରାଯାଉଛି। ଯାତାୟାତ ବେଳେ ମଧ୍ୟ ସାମାଜିକ ଦୂରତ୍ବ ରକ୍ଷା କରିବା ଲାଗି ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତ୍ବକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର