ଭୁବନେଶ୍ବର: ପୁଲିସ ଏସ୍ଆଇ ପରୀକ୍ଷା ବାତିଲ ପରେ ରାଜ୍ୟ ସରକାର ତନାଘନା ଜୋର୍ଦାର କରିଛନ୍ତି। ୨୦୨୪ ଜୁନ୍ରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ପରୀକ୍ଷାଗୁଡ଼ିକର ରିପୋର୍ଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ନିଯୁକ୍ତି ବୋର୍ଡ ଏବଂ ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତିଲ ହୋଇଥିବା ପରୀକ୍ଷାଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ମେଲ୍ ମାଧ୍ୟମରେ ପଠାଇବାକୁ କୁହାଯାଇଛି। ଯେଉଁଥିରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ସମେତ ଓଡ଼ିଶା ପୁଲିସ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଓପିଏସ୍ଏସ୍ବି), ଓଡ଼ିଶା ପୁଲିସ ମିନିଷ୍ଟେରିଆଲ୍ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ (ଓପିଏମ୍ଏସ୍ଏସ୍ବି), ସିଲେକ୍ସନ୍ ବୋର୍ଡ (ପୁଲିସ)ର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଓ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ (ଓପିଏସ୍ସି), ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସ୍ଏସ୍ସି), ଓଏସ୍ଏସ୍ଏସ୍ସି, ରାଜ୍ୟ ସିଲେକ୍ସନ୍ ବୋର୍ଡ (ଉଚ୍ଚଶିକ୍ଷା) ସଚିବଙ୍କୁ ପତ୍ର ଲେଖାଯାଇଛି। ଆଜି ହିଁ ଏସବୁର ତାଲିକା ପଠାଇବାକୁ କୁହାଯାଇଥିଲା। ତେବେ ରାତି ସୁଦ୍ଧା କେଉଁ କେଉଁ ବୋର୍ଡ ଓ ଆୟୋଗ ରିପୋର୍ଟ ପଠାଇଲେ, ତାହା ସ୍ପଷ୍ଟ ହୋଇ ନାହିଁ।
ତନାଘନା କଲେ ମୁଖ୍ୟ ଶାସନ ସଚିବ
କ୍ରାଇମ୍ବ୍ରାଞ୍ଚ ରିପୋର୍ଟକୁ ଅପେକ୍ଷା କରିଛୁ: ଓପିଆର୍ବି ଅଧ୍ୟକ୍ଷ
କ୍ରାଇମ୍ବ୍ରାଞ୍ଚ ରିପୋର୍ଟକୁ ଅପେକ୍ଷା କରିଛୁ: ଓପିଆର୍ବି ଅଧ୍ୟକ୍ଷ
ସେପଟେ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ରାଜ୍ୟ ସରକାର ଖୋଳତାଡ଼ ଜାରି ରଖିଛନ୍ତି। ଶନିବାର ଏହି ମାମଲାରେ ସମ୍ପୃକ୍ତ ଜଣେ ମଧ୍ୟସ୍ଥକୁ ଗିରଫ କରାଯିବା ପରେ ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ସଚିବ, ପୁଲିସ ଡିଜି ୱାଇ ବି ଖୁରାନିଆ, ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ପରୀକ୍ଷା ବାତିଲ ସମ୍ପର୍କରେ ଓପିଆରବି ଅଧ୍ୟକ୍ଷଙ୍କଠାରୁ ଅବଗତ ହେବା ସହ ଏହି ଦୁର୍ନୀତି ପଛର ମାଷ୍ଟରମାଇଣ୍ଡ କିଏ, ଘଟଣା କିଭଳି ଘଟିଲା, କେଉଁଠି ତ୍ରୁଟି ରହିଲା ତାହା ପଚାରି ବୁଝିଛନ୍ତି।
ବୈଠକ ପରେ ଓପିଆରବି ଅଧ୍ୟକ୍ଷ ଶ୍ରୀ ନାଥ କହିଛନ୍ତି ଯେ ଘଟଣାର ଅଧିକ ତଦନ୍ତ ପାଇଁ ଓପିଆରବି ତରଫରୁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି। ଏବେ ତଦନ୍ତ ଚାଲିଛି ଏବଂ ରିପୋର୍ଟକୁ ଅପେକ୍ଷା କରିଛୁ। ଏହାପରେ କ’ଣ ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ପରୀକ୍ଷାର୍ଥୀଙ୍କୁ ଆଶ୍ବାସନା ଦେଇ ସେ କହିଛନ୍ତି ଯେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ସ୍ବଚ୍ଛତାର ସହ ହିଁ ପରୀକ୍ଷା ହେବ। ଠିକ୍ ସମୟରେ ପରୀକ୍ଷା ତାରିଖ ଘୋଷଣା କରାଯିବ।
ମଧ୍ୟସ୍ଥକୁ ବାନ୍ଧିଲା କ୍ରାଇମ୍ବ୍ରାଞ୍ଚ
କଟକ/ବ୍ରହ୍ମପୁର: ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ସନ୍ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଘଟଣାର ଅନ୍ୟତମ ଅଭିଯୁକ୍ତ କଟକ ବିଦ୍ୟାଧରପୁରର ବାସିନ୍ଦା ବିଶ୍ୱରଞ୍ଜନ ବେହେରା (୨୯)କୁ ଗିରଫ କରିବା ସହ ବ୍ରହ୍ମପୁର କୋର୍ଟଚାଲାଣ କରାଯାଇଛି। ଏଥିସହ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ମାମଲାରେ ୧୧୪ଜଣ ପରୀକ୍ଷାର୍ଥୀଙ୍କ ସହ ୩ଜଣ ଦଲାଲଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ବିଶ୍ବରଞ୍ଜନ ଏହି ଘଟଣାରେ ଜଣେ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରୁଥିଲା। ଏହି ସିଣ୍ଡିକେଟର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଶ୍ୱରଞ୍ଜନର ସକ୍ରିୟ ଭୂମିକା ରହିଥିଲା। ଆଶାୟୀ ପ୍ରାର୍ଥୀଙ୍କ ସହିତ ସେ ନିୟମିତ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରିବା ଭଳି କାର୍ଯ୍ୟ କରୁଥିଲା। ଏହାର ପ୍ରତିବଦଳରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ସେମାନଙ୍କ ଅରିଜିନାଲ୍ ଶିକ୍ଷାଗତ ପ୍ରମାଣପତ୍ର ଏବଂ ଖାଲି ଚେକ୍ ସଂଗ୍ରହ କରୁଥିଲା। ପରବର୍ତ୍ତୀ ସମୟରେ ଏହି କାଗଜପତ୍ରଗୁଡିକୁ ସିଣ୍ଡିକେଟ୍ର ଅନ୍ୟ ଜଣେ ସଦସ୍ୟଙ୍କୁ ହସ୍ତାନ୍ତର କରିବା ଭଳି କାର୍ଯ୍ୟ କରୁଥିଲା। ଏହି ମାମଲାର ମୁଖ୍ୟ ଷଡ୍ଯନ୍ତ୍ରକାରୀକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ଉ ଜାରି ରହିଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଜଣାପଡ଼ିଛି।