ହତ୍ୟା ମାମଲାର ଚାର୍ଜସିଟ୍ ଦେବାରେ ଗୋଟିଏ ଦିନ ବିଳମ୍ବ ହେବାରୁ ସବ୍‌ ଇନସ୍ପେକ୍ଟରଙ୍କୁ ନିଲମ୍ବନ କଲେ ଆରକ୍ଷୀ ଅଧୀକ୍ଷକ

ସମ୍ବଲପୁର: ଏକ ହତ୍ୟା ମାମଲାର ଚାର୍ଜସିଟ୍ ଦେବାରେ ଗୋଟିଏ ଦିନ ବିଳମ୍ବ ହେବାରୁ ସବ୍‌ ଇନସ୍ପେକ୍ଟରଙ୍କୁ ନିଲମ୍ବନ କରାଯିବା ଘଟଣା ଏବେ ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ବଲପୁର ଅଇଁଠାପାଲି ଥାନା ସବ୍‌ ଇନସ୍ପେକ୍ଟର୍‌ ଯୁଗଳ କିଶୋର ସାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ।

୧୨୦ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ ନ କରିବାରୁ ଏହାକୁ ନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଅସନ୍ତୋଷ ପ୍ରକାଶ କରିବା ସହ ସବ୍‌ ଇନସ୍ପେକ୍ଟର୍‌ ଯୁଗଳ କିଶୋର ସାଙ୍କୁ ନିଲମ୍ବିତ କରିଛନ୍ତି । ସୂଚନାଯୋଗ୍ୟ, ସମ୍ବଲପୁର ସହରର ବୁଢ଼ାରଜା ଅଞ୍ଚଳରେ ଭଡ଼ାରେ ରହୁଥିବା ସୌରଭ ନାମକ ଯୁବକ ଜଣେ ଘର ମାଲିକାଣୀଙ୍କୁ ତଣ୍ଟି ଚିପି ଓ ଛୁରି ଭୁସି ହତ୍ୟା କରିଥିଲା । ପୁଲିସ୍‌ ଅଭିଯୁକ୍ତ ସୌରଭକୁ ଗିରଫ କରିଥିଲା। ଏହାପରେ ଏହି ହତ୍ୟାକାଣ୍ଡ ମାମଲାର ତଦନ୍ତ ଭାର ଅଇଁଠାପାଲି ଥାନାର ସବ୍‌ ଇନସ୍ପେକ୍ଟର୍‌ ଯୁଗଳ କିଶୋର ସାଙ୍କୁ ଦିଆଯାଇଥିଲା । ଯୁଗଳ ଏହି ମାମଲାର ତଦନ୍ତ ୧୨୦ ଦିନ ଭିତରେ କରି ଚାର୍ଜସିଟ୍ ଦେବା କଥା। ହେଲେ ସେ ଗୋଟିଏ ଦିନ ବିଳମ୍ବରେ ଅର୍ଥାତ୍‌ ୧୨୧ତମ  ଦିନରେ ଚାର୍ଜସିଟ୍ ଦାଖଲ କରିଥିଲେ ।

ସବ୍‌ ଇନସ୍ପେକ୍ଟରଙ୍କ ଅବହେଳା ଯୋଗୁଁ ଅଭିଯୁକ୍ତ ସୌରଭ କୋର୍ଟରୁ ଜାମିନ୍‌ ପାଇବାରେ ସକ୍ଷମ ହୋଇଥିଲେ । ଏଥିରେ ଯୁଗଳଙ୍କପ୍ରଚ୍ଛନ୍ନ ହାତ ଥିବା  ଆଲୋଚନା ହୋଇଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ସବ୍‌ ଇନସ୍ପେକ୍ଟର ଯୁଗଳ କିଶୋର ସାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ।

ସମ୍ବନ୍ଧିତ ଖବର