ଶିବ ପ୍ରସାଦ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର : ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀ(୭୦ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ବୁଧବାର ଅପରାହ୍‌ଣରେ ସମ୍ବଲପୁର ସମଲେଶ୍ବରୀ ମନ୍ଦିର ପାଖ ନିଜ ବାସଭବନରେ ତାଙ୍କ ପରଲୋକ ଘଟିଛି। କିଛିଦିନ ହେଲା ସେ ମସ୍ତିଷ୍କଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

ଶିବ ପ୍ରସାଦ ୧୯୫୨ ମସିହା ମାର୍ଚ୍ଚ ୧୨ ତାରିଖ ହୀରାକୁଦ ଜଳଭଣ୍ଡାରରେ ଜଳମଗ୍ନ ହୋଇଥିବା ଲର୍ବଙ୍ଗା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ହୀରାଖଣ୍ଡ, ପ୍ରଜାତନ୍ତ୍ର, କୋଶଳ, ଲୋକସ୍ବର, ଦିନଲିପି, ମୁକ୍ତଦିଶା ଭଳି ବିଭିନ୍ନ ସମ୍ବାଦପତ୍ରରେ ସାମ୍ବାଦିକତା କରିବା ସହିତ ‘ବର୍ତ୍ତମାନ ନାମରେ ଏକ ପତ୍ରିକାର ସମ୍ପାଦନା କରିଥିଲେ। ‘ସମ୍ବାଦପତ୍ରର ବିକାଶ ଓ ସାମ୍ବାଦିକତା’ , ‘କାଳଜୟୀ ମହତାବ’ , ‘ମେହେର ସାହିତ୍ୟ ସଂପଦ’ , ‘କରୁଣାମୟୀ ସମଲେଶ୍ବରୀ’ , ‘ସମ୍ବଲପରରେ ଓଡ଼ିଆ ଭାଷାର ଉଚ୍ଛେଦ ଓ ପୁନଃ ପ୍ରଚଳନ’ , ‘ ଭାଷାପ୍ରେମୀ ଶ୍ରୀପତି ମିଶ୍ର’ ସମେତ ବହୁ ପୁସ୍ତକ ରଚନା କରାଯାଇଛନ୍ତି। ସେ ‘ମଂଗଳୁଚରଣ ରଚନାବଳୀ’ ଏବଂ ‘ରାମଚନ୍ଦ୍ର ନାଥ ଗ୍ରନ୍ଥାବଳୀ’ର ସଂକଳକ ଅଟନ୍ତି। ସେ ଭୁବନେଶ୍ବର ଦୟାନନ୍ଦ ସର୍ଭିସ ମିସନ ପକ୍ଷରୁ ଗୁରୁ ପ୍ରଣାମ ସମ୍ମାନ, କଟକରୁ ଜଷ୍ଟିସ ରାଜକିଶୋର ଦାସ ସମ୍ମାନ, କେନ୍ଦ୍ରପଡ଼ାରୁ ସତୀର୍ଥ ସମ୍ମାନ, ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସମେତ ରାଜ୍ୟର ବହୁ ଅନୁଷ୍ଠାନ ଦ୍ବାରା ସେ ସମ୍ମାନିତ ହୋଇଥିଲେ। ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି, ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦାୟିତ୍ବ ନିର୍ବାହ କରିଥିବା ଶିବ ପ୍ରସାଦ ପଞ୍ଚଶାସନୀ ବ୍ରାହ୍ମଣ ସମାଜର ପ୍ରତିଷ୍ଠାତା ସଦସ୍ୟ ବି ଥିଲେ। ସେ ତାଙ୍କ ପଛରେ ପୁଅ ସୁରଜ, ଝିଅ ସୁମନ, ଦୁଇ ଭାଇ ତ୍ରିଲୋଚନ ଓ ପଞ୍ଚାନନଙ୍କ ସହିତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି।

ସମ୍ବନ୍ଧିତ ଖବର