ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତର ବଳରାମପୁର ଗାଁରେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ସୁକାନ୍ତ ସାହାଣୀଙ୍କ ଝିଅ ଅନୁପମା (୧୧) ଓ ପୁଅ ସତ୍ୟରଂଜନ (୮) ନିଆଁରେ ପୋଡି ହୋଇ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି। ସୂଚନା ଅନୁସାରେ, ବଳରାମପୁର ଗାଁର ସୁକାନ୍ତ ସାହାଣୀ ଦୁବାଇରେ ରହି କାମ କରନ୍ତି। ଦେଢ ମାସ ତଳେ ସେ ଦୁବାଇ ଯାଇଥିଲେ। ଘରେ ପତ୍ନୀ ଅନିତା, ଦଶମରେ ପଢୁଥିବା ବଡଝିଅ ସୁପ୍ରିୟା, ୫ମରେ ପଢୁଥିବା ସାନଝିଅ ଅନୁପମା ଓ ତୃତୀୟରେ ପଢୁଥିବା ପୁଅ ସତ୍ୟରଂଜନ ରୁହନ୍ତି। ସ୍ବାଧୀନତା ଦିବସ ପାଳନ ପାଇଁ ଭୋର ୫ଟାରୁ ଉଠି ନିତ୍ୟକର୍ମ ସାରି ସକାଳ ୬ଟାରେ ବିଦ୍ୟାଳୟକୁ ଯାଇଥିଲେ ତିନି ଭାଇଭଉଣୀ। ସୁପ୍ରିୟା କରୁଣ୍ଟି କଞ୍ଚନେଶ୍ବର ବାଳିକା ଉଚ୍ଚବିଦ୍ୟାଳୟକୁ ପତାକା ଉତ୍ତୋଳନ ପାଇଁ ଯାଇଥିବା ବେଳେ ଅନୁପମା ଓ ସତ୍ୟରଂଜନ ଗାଁ ବିଦ୍ୟାଳୟକୁ ଯାଇ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସ୍ବାଧୀନତା ଦିବସ ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଇଭଉଣୀ ଅଂଶଗ୍ରହଣ କରି ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଁଟି ଥିଲେ।
ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ପରେ ୮ଟା ୨୦ରେ ଘରକୁ ଫେରିଥିଲେ। ଘରେ ପହଞ୍ଚି ମା’କୁ ଖାଇବା ମାଗିଥିଲେ। ଏହି ସମୟରେ ଭାଇଭଉଣୀ ମୋବାଇଲ ଦେଖିବା ସହ ନିଜ ନିଜ ଭିତରେ ମାଡ଼ଗୋଳ ଲାଗୁଥିଲେ। ଉଭୟଙ୍କୁ ତାଗିଦା କରି ମା’ ଗ୍ୟାସ୍ରେ କଡ଼େଇ ବସାଇ ବାସନ ଧୋଇ ଆଣି ଖାଇବାକୁ ଦେଉଛି କହି ବାହାରକୁ ଆସିଥିଲେ। ବାସନ ଧୋଇବା ଭିତରେ ଭୟଙ୍କର ଶବ୍ଦ ହୋଇ ଗ୍ୟାସ ଟାଙ୍କି ଫାଟିବା ସହ ମାତ୍ର ୨/୪ ମିନିଟ୍ ଭିତରେ ପୂରା ଘରକୁ ନିଆଁ କବଳିତ କରି ନେଇଥିଲା। ସୁକାନ୍ତଙ୍କ ପରିବାର ନୁଆଁଣିଆ ଗୋଟିଏ ବଖରା ଚାଳଘର ଭିତରେ ରହିବା ସହ ରୋଷେଇବାସ କରିଥାନ୍ତି। ନିଆଁ ଲାଗିଯିବା ପରେ ଘର ଭିତରକୁ ପ୍ରବେଶ ବାଟକୁ ନିଆଁ କବଳିତ କରିନେଇଥିଲା। ନିଆଁ ଘେର ଭିତରେ ଭାଇଭଉଣୀ ବଂଚାଅ, ରକ୍ଷା କର କହି ଚିତ୍କାର କରିଥିଲେ। ନିଆଁ ଏପଟେ ମା’ ପଡୋଶୀଙ୍କୁ ଚିତ୍କାର କରି ଡାକ ପକାଇଥିଲେ ମଧ୍ୟ କେହି ଘର ଭିତରକୁ ପଶି ପାରି ନଥିଲେ। ଚାଷ ସମୟ ହୋଇ ଥିବାରୁ ଗାଁ ଏକ ପ୍ରକାର ପୁରୁଷଶୂନ୍ୟ ଥିଲା। ଖବର ପାଇ ଦମକଳ ଗାଡ଼ି ଆସି ନିଆଁ ଲିଭାଇବା ବେଳକୁ ଘର ସହ ଭାଇଭଉଣୀ ଜୀବନ୍ତଦଗ୍ଧ ହୋଇ ସାରିଥିଲେ। ପୁଅଝିଅଙ୍କୁ ହରାଇ ମା’ କାନ୍ଦି କାନ୍ଦି ବାରମ୍ବାର ଚେତା ହରାଇବା ଓ ବଡଭଉଣୀ ସୁପ୍ରିୟା ଭାଇଭଉଣୀଙ୍କ ନାଁ ଧରି କାନ୍ଦି କାନ୍ଦି ଗଡିଯିବାର ଦୃଶ୍ୟ ହୃଦୟ ବିଦାରକ ଥିଲା।
କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ, ତହସିଲଦାର ଅଜୟ କୁମାର ମହାନ୍ତି, ବିଡିଓ ନିଶାନ ମିଶ୍ର, ଆଇଆଇସି ଅଜୟ କୁମାର ଜେନା, ବ୍ଲକ୍ ଶିକ୍ଷାଧିକାରୀ ମନୋରଂଜନ ସେଠୀ ପ୍ରମୁଖ ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହିତ ଶବ ସତ୍କାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ରେଡକ୍ରସରୁ ୩୦ ହଜାର, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର, ଘର ପୋଡି ସହାୟତା ବାବଦ ୫ ହଜାର, ହରିଶ୍ଚନ୍ଦ୍ର ସହାୟତା ୬ ହଜାର ଓ ବିଡିଓ ୫ ହଜାର ଟଙ୍କା ସରକାରୀ ସହାୟତା ପ୍ରଦାନ କରିଥିଲେ। ପଞ୍ଚାୟତ ପକ୍ଷରୁ ବିପନ୍ନ ପରିବାରକୁ ୪ ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଅଗ୍ନିକାଣ୍ତରେ ସୁକାନ୍ତଙ୍କ ୧ ବଖରା ଘର ସହିତ ତାଙ୍କ ଭାଇ ଶରତ ସାହାଣୀ ଓ ପଡୋଶୀ ପ୍ରଭାକାର ସାହାଣୀଙ୍କ ଗୋଟିଏ ବଖରା ଲେଖାଁଏ ଘର ପୋଡି ପାଉଁଶ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/fire.jpg)