ମୃତ୍ୟୁ ସହ ସଂଗ୍ରାମ କରୁଛି ଅସୁସ୍ଥ ମାଈହାତୀ

ଦେବଗଡ଼ : ଦେବଗଡ଼ ବନଖଣ୍ଡ ଓ ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମ ନିକଟରୁ ଉଦ୍ଧାର ଅସୁସ୍ଥ ବୟସ୍କ ମାଈ ହାତୀ ମୃତ୍ୟୁ ସହିତ ସଂଗ୍ରାମ କରୁଛି। ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାର ଚିକିତ୍ସା ଆରମ୍ଭ କରିଛନ୍ତି। ଆଜି ତିଲେଇବଣି ପ୍ରାଣୀ ଚିକିତ୍ସକଙ୍କ ନେତୃତ୍ବରେ ଏକ ଟିମ ହାତୀର ଅଧିକ ଚିକିତ୍ସା‌ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ବନାଞ୍ଚଳର କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମରେ ଉକ୍ତ ହାତୀ ସହିତ ୪ ଘରିଆ ହାତୀପଲ ଉପଦ୍ରବ ଜାରି ରଖିଥିଲେ। ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା। ସୋମବାର ଦିନ ଉକ୍ତ ବୟସ୍କ ମାଈ ହାତୀଟି ଏକ ପାହାଡ଼ିଆ ନାଳ ଅତିକ୍ରମ କରୁଥିବାବେଳେ ପଥରରେ ବାଜି ଯିବା ହେତୁ ସେଠାରେ ପଡ଼ି ରହିଥିଲା। ହାତୀଟି ଦୁର୍ବଳ ଥିବାରୁ ସେଠାରୁ ଉଠି ପାରି ନଥିଲା। ଖବରପାଇ ବନବିଭାଗର କର୍ମଚାରୀମାନେ ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ଦେବଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିଲେଇବଣୀ ପ୍ରାଣୀ ଚିକିତ୍ସକ ଡା.ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ହାତୀର ଅଧିକ ଚିକିତ୍ସା କରାଯିବା ସହିତ ଆଣ୍ଟିବାୟୋଟିକ୍‌, ଟନିକ ଓ ସାଲାଇନ ଦେଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ପଡିରହିଥିବା ସ୍ଥାନକୁ ଜେସିବି ଦ୍ବାରା ସମତୁଲ କରାଯାଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ରେଂଜର ଦେବଦତ୍ତ ନନ୍ଦ, ତିଲେଇବଣି ଫରେଷ୍ଟର ତଥା କଂସର ଫରେଷ୍ଟର ଦାୟିତ୍ବରେ ଥିବା ସୁଧାଂଶୁ ବେହେରାଙ୍କ ସମତେ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର