ସୁନ୍ଦରଗଡ଼: ରବିବାର ସକାଳୁ ଗୁରୁତର ଅବସ୍ଥାରେ ବୃଦ୍ଧ ଚିକିତ୍ସା ପାଇଁ ଖଟିଆରେ ବୁହା ହୋଇଗଲେ। ଅପରାହ୍ନରେ ଫେରିଲା ବେଳେ ବି ଲୋଡ଼ା ପଡ଼ିଥିଲା ଖଟିଆ। ଫରକ ଥିଲା ଏତିକି, ସକାଳେ ଗଲାବେଳେ ଜୀବନ ଥିଲା; ଆଉ ଅପରାହ୍ନରେ ଫେରିଲା ବେଳେ ଶବ ହୋଇ ଯାଇଥିଲେ। ସରକାରଙ୍କ ଗ୍ରାମାଞ୍ଚଳ ସଡ଼କ
ଯୋଗାଯୋଗର ସମସ୍ତ ଯୋଜନାକୁ ଉପହାସ କରୁଥିବା ଏହି ଅଭାବନୀୟ ଚିତ୍ରଟି ଆସିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ସାନପତ୍ରାପାଲି ପଞ୍ଚାୟତ ପାତକିଯୋର ଗାଁ ଆଠକୋଶିଆ ପାହାଡ଼ ତଳର ଏକ ପଡ଼ା ଆମକୁନିରୁ। ପଡ଼ାର ବୃଦ୍ଧ ବିଛୁ ଦଣ୍ଡସନା (୭୦) ଶନିବାର ରାତିରୁ ଅସୁସ୍ଥ ହୋଇ ପଡ଼ିଥିଲେ।
ସକାଳୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପାତକିଯୋର ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆସିଥିବା ଆମ୍ବୁଲାନ୍ସ ରାସ୍ତା ନଥିବାରୁ ପଡ଼ାକୁ ଯାଇ ନପାରି ୨ କିଲୋମିଟର ଦୂରରେ ଅଟକି ରହିଥିଲା। ଶେଷରେ ପଡ଼ାର କିଛି ଯୁବକ ଗୁରୁତର ବୃଦ୍ଧଙ୍କୁ ବିଲ ମଝି ଦେଇ ଖଟିଆରେ ବୋହି ଆଣିଥିଲେ। ହେଲେ ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପୂର୍ବରୁ ଅଧାବାଟରେ ଆଖି ବୁଜିଦେଲେ ବୃଦ୍ଧ। ତଥାପି ତାଙ୍କୁ ଆମ୍ବୁଲାନ୍ସରେ କିଞ୍ଜିରକେଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସୁନ୍ଦରଗଡ଼ରୁ ଡକାଇଥିଲେ ମହାପ୍ରୟାଣ ଗାଡ଼ି। ଗାଡ଼ିରେ ଶବ ଆସିଥିଲା ପାତକିଯୋର ପର୍ଯ୍ୟନ୍ତ। ସେଠାରୁ ପରିବାର ଓ ପଡ଼ାର କିଛି ଯୁବକ ପୁଣି ଖଟିଆରେ ଶବକୁ ବୋହି ନେଇ ଗାଁରେ ସତ୍କାର କରିଥିଲେ। ଏ ଘଟଣାକୁ ନେଇ ପଡ଼ା ଲୋକଙ୍କ ମନରେ ଗଭୀର କ୍ଷୋଭ। ଆଠକୋଶିଆ ପାହାଡ଼ ତଳେ ୪୦ ପରିବାରକୁ ନେଇ ରହିଥିବା ଅମକୁନିପଡ଼ା ଓ ହାତୀପଡ଼ାକୁ ରାସ୍ତା ନଥିବାରୁ ଲୋକେ ଯାତାୟାତକୁ ନେଇ ବର୍ଷ ବର୍ଷ ଧରି କଷ୍ଟ ଭୋଗୁଛନ୍ତି। ବିଧାୟକ, ସାଂସଦଙ୍କଠାରୁ ପ୍ରଶାସନ ଯାଏ ଗୁହାରି କରି ଥକିଗଲେଣି ଲୋକେ। ନିର୍ବାଚନ ପରେ ନିର୍ବାଚନ ଆସୁଛି, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି; ହେଲେ ରାସ୍ତା ସେମାନଙ୍କ ପାଇଁ ଆଜି ବି ସ୍ବପ୍ନ ହୋଇ ରହିଛି।
(ବକ୍ସ) ୧୨୦ ଗାଁ’କୁ ନାହିଁ ସବୁଦିନିଆ ସଡ଼କ
ଖଣି ଅର୍ଥରେ ସହରୀ ସୌନ୍ଦର୍ଯ୍ୟୀକରଣ ହେଉଛି, ଅଥଚ ଗାଁକୁ ରାସ୍ତା ନାହିଁ। ଖଣିଜ ସମ୍ପଦଭରା ସୁନ୍ଦରଗଡ଼ ଜିଲ୍ଲାରେ ଅର୍ଥର ଅଭାବ ନାହିଁ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଓ ଓଡ଼ିଶା ଖଣିଜ ଧାରକ କ୍ଷେତ୍ର ବିକାଶ ନିଗମ (ଓମ୍ବାଡସି) ପାଣ୍ଠିରେ ରହିଛି ହଜାର ହଜାର କୋଟି ଟଙ୍କା। କିନ୍ତୁ ବିଡ଼ମ୍ବନା, ଆଜି ବି ଅମକୁନିପଡ଼ା ଭଳି ଜିଲ୍ଲାର ଅପହଞ୍ଚ ଇଲାକାରେ ଆମ୍ବୁଲାନ୍ସ ପହଞ୍ଚିପାରେ ନାହିଁ। ଖଟିଆରେ ବୁହା ହୁଅନ୍ତି ରୋଗୀ, ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ। ଖଟିଆରେ ଆସୁଥିବା ବେଳେ ଯାହାର ଭାଗ୍ୟ ଟାଣ ଥାଏ ସେ ପହଞ୍ଚେ ଡାକ୍ତରଖାନା। ଅନେକ ଅଧାବାଟରେ ହିଁ ଆଖି ବୁଜି ଦିଅନ୍ତି। ତଥ୍ୟ ଅନୁସାରେ, ଆଜି ବି ଜିଲ୍ଲାର ୧୨୦ ଗାଁକୁ ସବୁଦିନିଆ ସଡ଼କ ଯୋଗାଯୋଗ ନାହିଁ। ହେଲେ ଏପଟେ ଡିଏମ୍ଏଫ୍ର କୋଟି କୋଟି ଟଙ୍କାକୁ ଅବିଚାରିତ ଭାବେ ସହରୀ ସୌନ୍ଦର୍ଯ୍ୟୀକରଣ, ପୁଲିସ ପାଇଁ ଗାଡ଼ି କିଣା, ଜିଲ୍ଲାପାଳଙ୍କ ସରକାରୀ ବାସଭବନ ନବୀକରଣ ଆଦି କାର୍ଯ୍ୟରେ ଅପବ୍ୟୟ କରାଯାଉଛି।