ସ୍ୱାସ୍ଥ୍ୟ ସେବାର ଦୟନୀୟ ସ୍ଥିତି : ରୋଗୀଣା ସ୍ତ୍ରୀକୁ ଧରି ଚିକିତ୍ସା ପାଇଁ ଟ୍ରଲିରେ ଆସିଲେ ପୁରୀରୁ କଟକ

କଟକ : ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଦୟନୀୟ ସ୍ଥିତି ଆଉ ସାଧାରଣ ଲୋକର କରୁଣ କାହାଣୀ କଟକ ରାସ୍ତାରେ ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଚିକିତ୍ସା ପାଇଁ ପୁରୀରୁ କଟକ ଆସିବାକୁ ପାଖରେ ଅଟୋ ଭଡ଼ା ନଥିଲାବେଳେ ସରକାରୀ ଆମ୍ବୁଲାନ୍ସ ମଧ୍ୟ ମିଳିଲାନି। ସେଥିପାଇଁ ବାଧ୍ୟ ହୋଇ ରୋଗୀଣା ସ୍ତ୍ରୀକୁ ଟ୍ରଲିରେ ବସାଇ କଟକ ଆଣିଛନ୍ତି ସାକ୍ଷୀଗୋପାଳର କବିର ଭୋଇ। କଟକରେ ତାଙ୍କ ଦୁଃଖ କଥା ଶୁଣିବା ପରେ ସମାଜସେବୀ ଅଭିମନ୍ୟୁ ଦାସଙ୍କ ସହାୟତାରେ ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Sambad

କବିରଙ୍କ ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ସୁକାନ୍ତି ଦୀର୍ଘ ଦିନଧରି ଅସୁସ୍ଥତା ଅନୁଭବ କରୁଥିଲେ। ଘରେ ଥିବାବେଳେ ପେଟ ଫୁଲିଯାଇଥିଲା ଓ ଦେହହାତ ଥରୁଥିଲା। ତେଣୁ ତାଙ୍କୁ ସେ ସାକ୍ଷୀଗୋପାଳସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଦେଖାଇଥିଲେ। ଦେହରେ ରକ୍ତ ନଥିବାରୁ ତାଙ୍କୁ ସେଠାରେ ପ୍ରଥମେ ୫ଦିନ ଚିକିତ୍ସା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପୁଣି ଥରେ ଆଉ ୫ଦିନ ତାଙ୍କୁ ମେଡିକାଲ୍‌ରେ ରଖାଯାଇଥିଲା। ଏଥିମଧ୍ୟରେ ତାଙ୍କୁ ଦୁଇଟି ୟୁନିଟ୍‌ ରକ୍ତ ଦିଆଯାଇଥିଲାବେଳେ ଅଧିକ ଚିକିତ୍ସା ପାଇଁ ବଡ଼ ମେଡିକାଲକୁ ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ଏତେବାଟକୁ ଯିବାକୁ ଥିବାରୁ ଆମ୍ବୁଲାନ୍ସ ବୁଝିବାକୁ ଯାଇଥିଲେ। ହେଲେ କେହି ନେବାକୁ ରାଜି ହୋଇନଥିଲେ। ପରେ ସେ ଅଟୋ ବୁଝିବାକୁ ଯାଇଥିଲେ। କିନ୍ତୁ ଅଟୋବାଲା କେବଳ କଟକରେ ଛାଡ଼ିବା ପାଇଁ ୧୨୦୦ ଟଙ୍କା ଭଡ଼ା ମାଗିଥିଲା। ହେଲେ ଏତେଟଙ୍କା ଦେବାକୁ ସେ ଅକ୍ଷମତା ପ୍ରକାଶ କରିବାରୁ ୫୦ଟଙ୍କାରେ ଟ୍ରଲି ଭଡ଼ାରେ ଆଣି ସୁକାନ୍ତିଙ୍କୁ କଟକ ଆଣିଥିଲେ।

ଶୁକ୍ରବାର ସନ୍ଧ୍ୟାବେଳେ ତେଲେଙ୍ଗାପେଣ୍ଠ ପାଖରେ ସ୍ଥାନୀୟ ଯୁବକ ଘଟଣା ବିଷୟରେ ଜାଣିବାରୁ ତାଙ୍କୁ ସେଠାରେ ରାତିରେ ରହିବା ପାଇଁ ସ୍ଥାନ ଦେଇଥିଲେ ଓ ଖାଦ୍ୟର ବ୍ୟବସ୍ଥା କରିଥିଲେ। ଏ ବିଷୟରେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେମାନଙ୍କୁ ଅଟୋରେ ବଡ଼ ମେଡିକାଲ୍‌କୁ ପଠାଯାଇଥିଲା। ଅଭିମନ୍ୟୁଙ୍କ ସହ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ପରେ ଏସ୍‌ସିବି ମେଡିକାଲ୍‌ କାଜୁଆଲିଟିରେ ତାଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇଛି। ଏବେ ତାଙ୍କୁ ସର୍ଜରୀ ଵାର୍ଡରେ ରଖାଯାଇଛି। ସୁକାନ୍ତିଙ୍କ ଲିଭରରେ କିଛି ସମସ୍ୟା ଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ତଥାପି ଅନ୍ୟାନ୍ୟ ରିପୋର୍ଟ ଆସିବା ପରେ ତାଙ୍କୁ ଉଚ୍ଚତର ଚିକିତ୍ସା ଦିଆଯିବ ବୋଲି ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର