୩ କିଲୋମିଟର ବୁହାହେଲେ ଅସୁସ୍ଥ ମହିଳା

ହରିଚନ୍ଦନପୁର: ଗାଁକୁ ରାସ୍ତା ନଥିବାରୁ ୩ କିମି ଦୂରରେ ଅଟକି ଗଲା ୧୦୮ ଆମ୍ବୁଲାନ୍ସ। ଶେଷରେ ପରିବାର ଲୋକେ ଓ ଆଶାକର୍ମୀ ମିଶି ଏକ ଭାରରେ ବୋହି ଜଣେ ଗୁରୁତର ‌ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖଣିଜ ସମ୍ପଦରେ ଭରା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁଚ ବ୍ଲକ୍‌ ଭଅଁରପୁର ପଞ୍ଚାୟତ ରୋହି ଗ୍ରାମର ଦୁର୍ଗମ ଚଡ଼କମରା ସାହିରେ। ଜିଲ୍ଲାରେ ଗମନାଗମନର ବିକାଶ ପାଇଁ ଡିଏମ୍‌ଏଫ୍‌, ଓମ୍‌ବାଡ୍‌ସି ଅନୁଦାନରେ ରାସ୍ତାଘାଟ ନିର୍ମାଣ କରାଯାଉଥିବା ବେଳେ ଚଡ଼କମରା ସାହିବାସୀ ଏଥିରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ଜିଉଁଛନ୍ତି।

ରୋହି ଗ୍ରାମରୁ ଚଡ଼କମରା ସାହିର ଦୂରତ‌ା ହେଉଛି ୩ କିଲୋମିଟର। ସାହିରେ ୩୦ରୁ ଅଧିକ ଜୁଆଙ୍ଗ ଜନଜାତି ପରିବାର ବାସ କରୁଛନ୍ତି। ସାହିଟି ଦୀର୍ଘଦିନ ହେବ ଅବହେଳିତ ଅବସ୍ଥାରେ ରହିଛି। ରାସ୍ତା ନଥିବାରୁ ଲୋକେ ପାହାଡ଼ିଆ ପାଦଚଲା ରାସ୍ତାରେ ଯାତାୟାତ କରୁଛନ୍ତି। ଆଜି ଗ୍ରାମର ଶ୍ୟାମ ଜୁଆଙ୍ଗଙ୍କ ପତ୍ନୀ ଯମୁନା (୪୫) ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ହାତଗୋଡ଼ ଫୁଲିଯିବା ସହ ଝଡ଼ାପରିସ୍ରା ବନ୍ଦ ହୋଇଯାଇଥିଲା। ଏ ସମ୍ପର୍କରେ ରୋହି ଗ୍ରାମରେ ରହୁଥିବା ଆଶାକର୍ମୀ ଜ୍ୟୋତ୍ସ୍ନାରାଣୀ ମହାନ୍ତଙ୍କୁ ପରିବାର ଲୋକେ ଖବର ଦେଇଥିଲେ। ଯମୁନାଙ୍କୁ ଡାକ୍ତରଖାନା ନେବାପାଇଁ ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଡକାଇବା ସହ ରୋଗୀକୁ ଆଣିବାପାଇଁ ତୁରନ୍ତ ଚଡ଼କମରା ସାହିକୁ ଯାଇଥିଲେ। ଆମ୍ବୁଲାନ୍ସ ରୋହି ଗ୍ରାମ ପର୍ଯ୍ୟନ୍ତ ଆସିଥିଲା। ରାସ୍ତା ନଥିବାରୁ ଚଡ଼କମରା ସାହି ପର୍ଯ୍ୟନ୍ତ ଯାଇପାରି ନଥିଲା। ସ୍ବାମୀ ଶ୍ୟାମ ଏବଂ ତାଙ୍କ ସମୁଦି ବୈଷ୍ଣବ ଏକ ଭାରରେ ଅସୁସ୍ଥ ଯମୁନାଙ୍କୁ ୩ କିମି ପାହାଡ଼ିଆ ପାଦଚଲା ରାସ୍ତାରେ ବୋହି ଚଡ଼କମରା ସାହିରୁ ରୋହି ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ। ମଝିରେ ମଝିରେ ଆଶାକର୍ମୀ ମଧ୍ୟ ଭାର ବୋହୁଥିବା ଦେଖିବାକୁ ମିଳିଥିଲା।

ଜଙ୍ଗଲ ମଧ୍ୟରେ ୩ଟି ନାଳ ଅତିକ୍ରମ କରି ଶେଷରେ ଅସୁସ୍ଥ ଯମୁନାଙ୍କୁ ରୋହି ଗ୍ରାମ ପର୍ଯ୍ୟନ୍ତ ଅଣାଯିବା ପରେ ୧୦୮ ଆମ୍ବୁଲାନ୍ସରେ ହରିଚନ୍ଦନପୁର ଡାକ୍ତରଖାନା ଅଣାଯାଇଥିଲା।  ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ୩ ବର୍ଷ ତଳେ ରୋହି ଗ୍ରାମରୁ ଚଡ଼କମରା ସାହିକୁ ରାସ୍ତା ନିର୍ମାଣ ପାଇଁ ଡିଏମ୍‌ଏଫ୍‌ରୁ ଅନୁଦାନ ଯୋଗାଇ ଦିଆଯାଇଥିଲା। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରୋହି ଗ୍ରାମରୁ ଚଡ଼କମରା ସାହି ପରିବର୍ତ୍ତେ ଭଅଁରପୁର ଗ୍ରାମରୁ ରୋହି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଥିଲା। ଫଳରେ ଚଡ଼କମରା ସାହି ପୁଣି ଅପହଞ୍ଚ ହୋଇ ରହିଗଲା। ତୁରନ୍ତ ଏହି ସାହିକୁ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର