ଝାରସୁଗୁଡ଼ାଠାରେ ପ୍ରତିଷ୍ଠା ହେବ ରକ୍ତଶିକୁଳି ଗବେଷଣା କେନ୍ଦ୍ର ଓ ଟ୍ରମା କେୟାର ସେଣ୍ଟର : ମନ୍ତ୍ରୀ ଶ୍ରୀ ଦାସ

ଭୁବନେଶ୍ୱର : କର୍ପୋରେଟ୍ ସାମାଜିକ ଦାୟିତ୍ୱରେ କମ୍ପାନୀଗୁଡ଼ିକ ନିଜ ଲାଭାଂଶରୁ କିଛି ଅଂଶ ବିଭିନ୍ନ ଲୋକହିତକର କାର୍ଯ୍ୟରେ ବିନିଯୋଗ କରିଥାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାରିପାଶ୍ୱର୍କ ଉନ୍ନତି ପରି କାର୍ଯ୍ୟରେ ଏହି ଅର୍ଥ ମୁଖ୍ୟତଃ ଖର୍ଚ୍ଚ ହେଉଥିବାବେଳେ ମହାନଦୀ କୋଲ୍ ଫିଲଡ୍ ଭଳି ମହାରତ୍ନ କମ୍ପାନୀ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ପାଣ୍ଠି ଉପରେ ଆଲୋଚନା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଉପସ୍ଥିତ ରହି ମହାନଦୀ କୋଲଡ୍ ଫିଲଡ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବି.ଏନ୍. ଶୁକ୍ଳା ଏ ସଂପର୍କରେ ବିଶଦ ତଥ୍ୟ ପ୍ରଦାନ କରିଥିଲ। ତା’ମଧ୍ୟରୁ ମୁଖ୍ୟତଃ ତାଳଚେରଠାରେ ୪୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ମେଡିକାଲ୍ କଲେଜର ନିର୍ମାଣ କାର୍ଯ୍ୟ ସରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ। ସେହିପରି ଝାରସୁଗୁଡ଼ାଠାରେ କମ୍ପାନୀ ପକ୍ଷରୁ ୭୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କାର୍ଡିଆକ୍ କେୟାର ସେଣ୍ଟର, ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟାବିଶିଷ୍ଟ ଓ୍ୱାର୍ଡ ଓ ଆଇସିୟୁ, ବୁର୍ଲାଠାରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଗର୍ଭବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ କମ୍ପ୍ଲେକ୍ସ ଓ ଆଲିମ୍କୋ ସଂସ୍ଥା ଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ୫ କୋଟି ଟଙ୍କାର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରଦାନ କରାଯାଇଛିା ସେହିପରି ଝାରସୁଗୁଡ଼ା ଜିଲ୍ଲାର ଲଖନପୁରଠାରେ ୫୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ ଶେଷ ହେବା ପରେ ଏଠାରେ ରୋଗୀସେବା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ ବହୁତଗୁଡ଼ିଏ ଯୋଜନା ହାତକୁ ନିଆଯାଇଛି ବୋଲି ଶ୍ରୀ ଶୁକ୍ଳା ପ୍ରକାଶ କରିଥିଲ।

ଏହି ଅବସରରେ ତାଳଚେର ମେଡିକାଲ୍ କଲେଜ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଶଦ ଆଲୋଚନା ହେବା ସହ ଝାରସୁଗୁଡ଼ାଠାରେ ସିକିଲ୍ସେଲ୍ ରିସର୍ଚ୍ଚ ସେଣ୍ଟର ଓ ଟ୍ରମା କେୟାର କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଯୁଗ୍ମ ସଚିବ ଗୁହାପୁନମ ତାପସ କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଓ ମହାନଦୀ କୋଲଡ୍ ଫିଲଡ୍‌ର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର