ପୁରୀ : ବହୁ ପ୍ରତୀକ୍ଷିତ ସିଦ୍ଧ ମହାବୀର(ମାଟିଆପଡ଼ା) ରେଳ ଓଭରବ୍ରିଜ୍ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ପୁଣିଥରେ ଟେଣ୍ଡର ଆହ୍ବାନ କରାଯାଇଛି। ଜାତୀୟ ରାଜପଥ ବିଭାଗ ପୂର୍ବ ଟେଣ୍ଡରକୁ ବାତିଲ୍ କରି ପୁଣିଥରେ ନୂଆ ଟେଣ୍ଡର ପାଇଁ ବିଜ୍ଞପ୍ତି ଜାରି କରିଛି। ଇତିମଧ୍ୟରେ ଟେଣ୍ଡର ପକାଇବା ତାରିଖ ବି ଶେଷ ହୋଇଛି। କେବଳ ଟେଣ୍ଡର ପେପର ଖୋଲିବା ବାକି ରହିଛି। ଜାତୀୟ ରାଜପଥ ବିଭାଗ ରେଳ ଓଭରବ୍ରିଜ୍ ପାଇଁ ପୂର୍ବରୁ ଯେଉଁ ବଜେଟ୍ ରଖିଥିଲା, ସେଥିରେ ପରିବର୍ତ୍ତନ କରି ଏହାକୁ ୫୫.୭୪ କୋଟିକୁ ବୃଦ୍ଧି କରିଛି। କିନ୍ତୁ ଡିଜାଇନ୍ ଅପରିବର୍ତ୍ତିତ ରହିଛି। ଚୂଡ଼ାନ୍ତ ନକ୍ସା ଅନୁଯାୟୀ, ସିଦ୍ଧ ମହାବୀର ରେଳ ଓଭରବ୍ରିଜର ଲମ୍ବ ୬୩.୮୪ ମିଟର ଓ ଚଉଡ଼ା ୨୪ ମିଟର ରହିବ। ଯେଉଁଥିରେ ଦୁଇ ଲେନ୍ ରାସ୍ତା ସହ ଡ୍ରେନେଜ୍, ସର୍ଭିସ ରୋଡ୍ ଆଦିର ବ୍ୟବସ୍ଥା କରାଯିବ। ଏହାବାଦ୍ ଓଭରବ୍ରିଜ୍ର ଦୁଇପାର୍ଶ୍ବକୁ ମିଶାଇଲେ ପ୍ରାୟ ୮୯୫ ମିଟରର ସଂଯୋଗ ରାସ୍ତା ତିଆରି ହେବ। ଓଭରବ୍ରିଜ୍ରୁ ମାଟିଆପଡ଼ା ଆଡ଼କୁ ପ୍ରାୟ ୩୫୦ ମିଟରର ସଂଯୋଗ ରାସ୍ତା ନିର୍ମାଣ ହେବ। ସେହିଭଳି କୋଣାର୍କ ଆଡ଼କୁ ପ୍ରାୟ ୪୫୦ ମିଟରର ସଂଯୋଗ ରାସ୍ତା ନିର୍ମାଣ ହେବ। ସେହି ଅନୁଯାୟୀ ଜମି ଅଧିଗ୍ରହଣ ହେବ।
/sambad/media/post_attachments/wp-content/uploads/2022/09/sidhi-mihabir1-750x424.jpg)
ରାଜପଥ ମନ୍ତ୍ରାଳୟ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଓଭରବ୍ରିଜ୍ ପାଇଁ ୧୩୦.୩୬ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା। ଯେଉଁଥିରେ ଉଭୟ ବ୍ରିଜ୍ ନିର୍ମାଣ ଓ ଜମି ଅଧିଗ୍ରହଣ ଖର୍ଚ୍ଚ ରହିଥିଲା। ସେହି ଅନୁଯାୟୀ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ଟେଣ୍ଡର ଡକାଯାଇଥିଲା। ଓଭରବ୍ରିଜ ନିର୍ମାଣ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ଟେଣ୍ଡର କରାଯାଇଥିଲା। ଟେଣ୍ଡର ବି ଚୂଡ଼ାନ୍ତ ହୋଇ ସାରିଥିଲା। ଜାତୀୟ ରାଜପଥ ବିଭାଗ ଯନ୍ତ୍ରୀ ଇଂ. ହିମାଂଶୁ ପରିଡ଼ା କହିଛନ୍ତି, ନିୟମ ଅନୁଯାୟୀ ଏକ ଟେଣ୍ଡରର ଅବଧି ୬ ମାସ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଟେଣ୍ଡରର ବର୍ଷେ ପରେ ବି ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ପୂର୍ବ ଟେଣ୍ଡରକୁ ବାତିଲ୍ କରାଯାଇ ନୂଆ ଟେଣ୍ଡର ଆହ୍ବାନ କରାଯାଇଥିଲା। ଗତ ଅଗଷ୍ଟ ୩୦ ତାରିଖ ଟେଣ୍ଡର ପକାଇବାର ଶେଷ ତାରିଖ ରଖାଯାଇଥିଲା। ଟେଣ୍ଡର ପକାଇବା ଶେଷ ହୋଇଥିବାବେଳେ ଚଳିତ ମାସରେ ଟେଣ୍ଡର ପେପର ଖୋଲାଯିବ ବୋଲି ଇଂ. ପରିଡ଼ା କହିଛନ୍ତି। ସୂଚନାଯୋଗ୍ୟ, ରେଳ ଓଭରବ୍ରିଜ୍ ପାଇଁ ପୁରୀ ତହସିଲ ଅଧୀନ ତିନି ମୌଜାର ୧୫୬ଟି ପ୍ଲଟ୍ରୁ ୧୩୦ ପ୍ଲଟ୍ ଅଧିଗ୍ରହଣ ହୋଇସାରିଛି। ସମୁଦାୟ ୨୪୮ଟି ଘର ଭଙ୍ଗା ହେବାକୁ ଥିବାବେଳେ ଏଥିରେ ୨୦୩ଟି ଦୋକାନ ଘର ରହିଛି। ୨.୪୭ ଏକର ଜମି ଅଧିଗ୍ରହଣ ପାଇଁ ୫୩ କୋଟି ଟଙ୍କା କ୍ଷତିପୂରଣ ଟଙ୍କା ପ୍ରଦାନ ହେବାର ଥିବାବେଳେ କ୍ଷତିଗ୍ରସ୍ତଙ୍କୁ ପ୍ରାୟ ୪୦ କୋଟି ଟଙ୍କା ପ୍ରଦାନ ସରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/sidhimihabir-2.jpg)