ପୁରୀ: ସିଦ୍ଧମହାବୀର ରେଳ ଓଭରବ୍ରିଜ ପାଇଁ ଜମି ଅଧିଗ୍ରହଣକୁ ନେଇ ବିବାଦ ମୁଣ୍ଡ ଟେକିଛି। ମହାପ୍ରଭୁଙ୍କ ଅମୃତ ମଣୋହୀ ଜମିକୁ ବ୍ୟକ୍ତିଗତ ଜମି ଦର୍ଶାଇ କ୍ଷତିପୂରଣ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ଦେବା ବଦଳରେ ବ୍ୟକ୍ତିଗତ ଦଖଲକାରୀଙ୍କ ଖାତାକୁ ଟେକିଦେବାକୁ ଷଡ଼୍ଯନ୍ତ୍ର ଚାଲିଛି। ମହାପ୍ରଭୁଙ୍କ ଅମୃତ ମଣୋହୀ ଜମିକୁ ଦଖଲରେ ଥିବା ବ୍ୟକ୍ତିମାନେ ପୁରୀ ତହସିଲର ଅଧିକାରୀ, ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କୁ ହାତକରି ନକଲି କାଗଜପତ୍ର ଜରିଆରେ ଏଭଳି ବଡ଼ କେଳେଙ୍କାରୀର ଜାଲ ବିଛାଇଛନ୍ତି। ଏଭଳି ନକଲି କାଗଜପତ୍ର ଜମା ଦେଇଥିବା କିଛି ବ୍ୟକ୍ତିଙ୍କୁ ମହାପ୍ରଭୁଙ୍କ ଏହି ଅମୃତ ମଣୋହୀ ଜମି ବାବଦ କ୍ଷତିପୂରଣ ରାଶି ବି ପ୍ରଦାନ ସରିଥିବା ସାଂଘାତିକ ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ୭୮ଟି ପ୍ଲଟ୍ରୁ ୪୫ଟି ପ୍ଲଟ୍ରେ ଏଭଳି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଜାଲିଆତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଚିଠି କରି ଅବଗତ କରିଛି। ମହାପ୍ରଭୁଙ୍କ ନାଁରେ ଯାହା ବି ଜାଗା ରହିଛି, ସେ ବାବଦ କ୍ଷତିପୂରଣ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବାକୁ ଚିଠି ଲେଖିଛି। କିନ୍ତୁ ଏହି ଚିଠିର କୌଣସି ପ୍ରତିଉତ୍ତର ମିଳିନଥିବା ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।
ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ପାଇଁ ପୁରୀ ତହସିଲ ଅଧୀନ ତିନି ମୌଜାର ୨.୪୭ ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ୧.୫୯ ଏକର ଜମି ଅଧିଗ୍ରହଣ ଶେଷ ହୋଇଛି। ଆବଶ୍ୟକ ୨.୪୭ ଏକର ଜମି ମୋଟ୍ ୧୫୬ଟି ପ୍ଲଟ୍ରୁ ଅଧିଗ୍ରହଣ ହେବ। ଇତିମଧ୍ୟରେ ୧୩୦ଟି ପ୍ଲଟ୍ରୁ ଜମି ଅଧିଗ୍ରହଣ ପ୍ରାୟ ଶେଷ ହୋଇଛି। ସମୁଦାୟ ୨୪୮ଟି ଘର ଭଙ୍ଗା ହେବାକୁ ଥିବାବେଳେ ଏଥିରେ ୨୦୩ଟି ଦୋକାନ ଘର ରହିଛି। ୨.୪୭ ଏକର ଜମି ଅଧିଗ୍ରହଣ ପାଇଁ ପ୍ରାୟ ୫୩ କୋଟି ଟଙ୍କା କ୍ଷତିପୂରଣ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ପ୍ରାୟ ୪୦ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ ସରିଥିବା ଜଣାପଡ଼ିଛି। ଯେଉଁଥିରୁ କେବଳ ଦେବୋତ୍ତର ବିଭାଗ ଖାତାକୁ ୫.୬୮ କୋଟି ଟଙ୍କା ଯାଇଛି। କିନ୍ତୁ ଓଭରବ୍ରିଜ ପାଇଁ ଅଧିକୃତ ହେବାକୁ ଥିବା ୧୫୬ ପ୍ଲଟ୍ରୁ ୭୮ଟି ପ୍ଲଟ୍ ମହାପ୍ରଭୁଙ୍କର ହୋଇଥିବା ବେଳେ ଏଥିରେ କେଁ ଦେଖାଦେଇଛି। ମହାପ୍ରଭୁଙ୍କର ଏହି ପ୍ଲଟ୍ରୁ ପ୍ରାୟ ୮୮ ଡେସିମିଲ୍ ଜାଗା ଓଭରବ୍ରିଜ ପାଇଁ ଅଧିଗ୍ରହଣ ହେବାର ରହିଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ଜେନା କହିଛନ୍ତି, ସିଦ୍ଧ ମହାବୀର ଓଭରବ୍ରିଜ ପାଇଁ ଅଧିକୃତ ହେବାକୁ ଥିବା ମହାପ୍ରଭୁଙ୍କ ଜମି ଅମୃତ ମଣୋହୀ-୧ କିସମର। ଏହା ବିକ୍ରି ଯୋଗ୍ୟ ନୁହେଁ। ତଥାପି ଆମେ ଯେଉଁମାନେ ଏହି ଜାଗାରେ ଘର କରିଥିଲେ, ସେମାନଙ୍କୁ ଘର ନିର୍ମାଣ ବାବଦ କ୍ଷତିପୂରଣ ଦେବାକୁ ସହମତି ଜଣାଇଛୁ। କିନ୍ତୁ ଜମି ବାବଦ କ୍ଷତିପୂରଣ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବାକୁ କୁହାଯାଇଛି। ଏପରିକି ୭୮ ପ୍ଲଟ୍ରୁ ୪୫ଟି ପ୍ଲଟ୍ ବ୍ୟକ୍ତିଗତ ଜାଗା ଦର୍ଶାଇ କ୍ଷତିପୂରଣ ପ୍ରଦାନ କରାଯାଇଥିବା ଅଭି ଯୋଗ ବି ଆମ ପାଖରେ ପହଞ୍ଚିଛି। ଏ ବାବଦରେ ବି ଆମେ ସ୍ପଷ୍ଟୀକରଣ ମାଗିଛୁ। ଓଭରବ୍ରିଜ ନିର୍ମାଣ ପାଇଁ ମହାପ୍ରଭୁଙ୍କ ନାମରେ ଥିବା କେତେ ଜମି ଅଧିଗ୍ରହଣ ହେବ, ତାର ବି ବିସ୍ତୃତ ରିପୋର୍ଟ ମାଗିଛୁ। କିନ୍ତୁ ଆମକୁ କୌଣସି ଜବାବ ମିଳିନି। କେତେ ଜମି ଅଧିଗ୍ରହଣ ହେଉଛି, ତାହା ସ୍ପଷ୍ଟ କରାଯାଇନି। ଯଦି ମହାପ୍ରଭୁଙ୍କ ଜମିରେ କିଛି ଏପଟସେପଟ ହୁଏ, ତେବେ ଆମେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବୁ ବୋଲି ଶ୍ରୀ ଜେନା କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ତଥା କାଲାର ମୁଖ୍ୟ ପ୍ରଶାନ୍ତ ଜେନା କହିଛନ୍ତି, ସେଭଳି କିଛି ଜମି ଜାଲିଆତିର ପ୍ରଶ୍ନ ଉଠୁନି। ମହାପ୍ରଭୁଙ୍କ ଜମି ବାବଦ କ୍ଷତିପୂରଣ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ହିଁ ଯିବ। ଅନ୍ୟପଟେ ଯେଉଁମାନେ କ୍ଷତିପୂରଣ ରାଶିରେ ସନ୍ତୁଷ୍ଟ ନୁହଁନ୍ତି, ସେମାନେ ଜିଲ୍ଲାପାଳଙ୍କ ଆର୍ବିଟ୍ରେସନ୍ କୋର୍ଟ(ମଧ୍ୟସ୍ଥତା)ରେ ଅପିଲ୍ କରିପାରିବେ। ଜିଲ୍ଲାପାଳ ଏହି କୋର୍ଟର ମୁଖ୍ୟ(ଆର୍ବିଟ୍ରେଟର) ଭାବେ ଅଭିଯୋଗର ବିଚାର କରିବେ ବୋଲି ଶ୍ରୀ ଜେନା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/fh465sfh4sf6h4h65h465fsh.jpg)