ଉଚ୍ଛେଦ ଆରମ୍ଭ, ଭଙ୍ଗାହେଲା ୧୮ ଘର: ୨୦ ବର୍ଷ ପରେ ସିଦ୍ଧ ମହାବୀର ଓଭରବ୍ରିଜ୍‌ ବାଟ ଖୋଲିଲା

ଅଧିଗ୍ରହଣ ହେବ ୨.୪୭ ଏକର ଜମି
୮୮ ଡେସିମାଲ୍‌ ଜାଗାରେ ଅଛି କେଁ
୫୩ କୋଟିରୁ ୩୫.୬୮ କୋଟି କ୍ଷତିପୂରଣ ପ୍ରଦାନ

ପୁରୀ :‌ ପ୍ରାୟ ୨୦ ବର୍ଷ ପରେ ସିଦ୍ଧ ମହାବୀର ରେଳ ଓଭରବ୍ରିଜ୍‌(ମାଟିଆପଡ଼ା) ସ୍ବପ୍ନ ସାକାର ହେବାକୁ ଯାଉଛି। ଆବଶ୍ୟକ ଜମିରୁ ସିଂହଭାଗ ଜମି ଅଧିଗ୍ରହଣ ଶେଷ ପରେ ଆଜିଠାରୁ ଉଚ୍ଛେଦ କାମ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲିଘାଟ ଛକରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ୨୪୮ କୋଠାରୁ ପ୍ରଥମ ଦିନରେ ୧୮ଟି କୋଠାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଅନ୍ୟପଟେ ରେଳ ଓଭରବ୍ରିଜ୍‌ ପ୍ରକଳ୍ପ ପାଇଁ ମୋଟ ୨.୪୭ ଏକର ଜମି ଆବଶ୍ୟକ ଥିବାବେଳେ ୧.୫୯ ଏକର ଜମି ଅଧିଗ୍ରହଣ ଶେଷ ହୋଇଛି। ବାକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୮୮ ଡେସିମାଲ୍‌ ଜମି ବିବାଦୀୟ ଥିବାରୁ ଏହା ଅଧିଗ୍ରହଣ ହୋଇପାରିନି। ଶ୍ରୀମନ୍ଦିର ପ୍ରଶାସନକୁ ଏହି ଟଙ୍କା ଯିବ କି ଦଖଲକାରୀଙ୍କୁ ଦିଆଯିବ, ତାହା ଚୂଡ଼ାନ୍ତ ହୋଇପାରିନି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଭିତରେ ଆଲୋଚନା ପରେ ଖୁବଶୀଘ୍ର ଏହା ଅଧିଗ୍ରହଣ ହେବ ବୋଲି ଜଣାପଡ଼ିଛି।

ରେଳ ଓଭରବ୍ରିଜ ପାଇଁ ଜମି ଅଧିଗ୍ରହଣ ପରେ ଆଜି ସକାଳୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ପ୍ରମୁଖ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ଜରିଆରେ ଆଜି ବାଲିଘାଟ ଛକରୁ ଘର ଭଙ୍ଗା ଆରମ୍ଭ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ ପ୍ଲାଟୁନ୍‌ ଫୋର୍ସ ସହ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତଥିଲେ। ବାଲିଘାଟ, ସିଦ୍ଧ ମହାବୀର ଓ ମାଟିଆପଡ଼ା ଛକରେ ରାସ୍ତା ସିଲ୍‌ ପରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ବହୁତଳ କୋଠା ସବୁଭାଙ୍ଗି ଦିଆଯାଇଥିବା ବେଳେ କିଛି ଦୋକାନୀ, ଘର ମାଲିକ ବି ନିଜ ତରଫରୁ ଘର ଭାଙ୍ଗି ଆସବାବପତ୍ର ଖାଲି କରୁଥିବା ଦେଖିବାକୁ ମିଳିଥିଲା।

ଜମି ଅଧିଗ୍ରହଣ ସମ୍ପର୍କରେ ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ଶ୍ରୀ ଜେନା କହିଛନ୍ତି, ରେଳ ଓଭରବ୍ରିଜ୍‌ ପାଇଁ ପୁରୀ ତହସିଲ ଅଧୀନ ତିନି ମୌଜାର ୧୫୬ଟି ପ୍ଲଟ୍‌ରୁ ୧୩୦ ପ୍ଲଟ୍‌ ଅଧିଗ୍ରହଣ ହୋଇସାରିଛି। ସମୁଦାୟ ୨୪୮ଟି ଘର ଭଙ୍ଗା ହେବାକୁ ଥିବା ବେଳେ ଏଥିରେ ୨୦୩ଟି ଦୋକାନ ଘର ରହିଛି। ୨.୪୭ ଏକର ଜମି ଅଧିଗ୍ରହଣ ପାଇଁ ୫୩ କୋଟି ଟଙ୍କା କ୍ଷତିପୂରଣ ଟଙ୍କା ପ୍ରଦାନ କରାଯିବ। କ୍ଷତିଗ୍ରସ୍ତଙ୍କୁ ଆଜି ସୁଦ୍ଧା ୩୫.୬୮ କୋଟି ଟଙ୍କା ପ୍ରଦାନ ସରିଛି। ଯେଉଁଥିରୁ କେବଳ ଦେବୋତ୍ତର ବିଭାଗ ଖାତାକୁ ୫.୬୮ କୋଟି ଟଙ୍କା ଯାଇଛି। ଅନ୍ୟପଟେ ଦୋକାନ ଘର ଭାଙ୍ଗିବା ପୂର୍ବରୁ ୧୦୦ ବର୍ଗ ଫୁଟ ଅବା ଏହାଠାରୁ ଅଧିକ ଜାଗାରେ ଥିବା ଦୋକାନୀଙ୍କୁ ୨.୨୫ ଲକ୍ଷ ଟଙ୍କା ଓ ୧୦୦ ବର୍ଗଫୁଟ ତଳକୁ ଦୋକାନ ଘର ମାଲିକଙ୍କୁ ୧.୨୫ ଲକ୍ଷ ଟଙ୍କା ଦେବାକୁ ଚୂଡ଼ାନ୍ତ ହୋଇଥିଲା। ସେହିକ୍ରମରେ ଦୋକାନୀଙ୍କୁ କ୍ଷତିପୂରଣ ପ୍ରଦାନ ସରିଛି ବୋଲି ଶ୍ରୀ ଜେନା କହିଛନ୍ତି।

ରେଳ ଓଭରବ୍ରିଜ୍‌ ପ୍ରକଳ୍ପର ରୂପରେଖ
ପୁରୀ : ଚୂଡ଼ାନ୍ତ ନକ୍ସା ଅନୁଯାୟୀ ସିଦ୍ଧ ମହାବୀର ରେଳ ଓଭରବ୍ରିଜର ଲମ୍ବ ୬୩.୮୪ ମିଟର ଓ ଚଉଡ଼ା ୨୪ ମିଟର ରହିବ। ଯେଉଁଥିରେ ଦୁଇ ଲେନ୍‌ ରାସ୍ତା ସହ ‌ଡ୍ରେନେଜ୍, ସର୍ଭିସ ରୋଡ୍ ଆଦିର ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଓଭରବ୍ରିଜ୍‌ର ଦୁଇପାର୍ଶ୍ବକୁ ମିଶାଇଲେ ପ୍ରାୟ ୮୯୫ ମିଟରର ଆପ୍ରୋଚ୍‌ ରୋଡ୍ ତିଆରି ହେବ। ଓଭରବ୍ରିଜ୍‌ରୁ ମାଟିଆପଡ଼ା ଆଡ଼କୁ ପ୍ରାୟ ୩୫୦ ମିଟରର ଅପ୍ରୋଚ ରୋଡ୍ ନିର୍ମାଣ ହେବ। ସେହିଭଳି କୋଣାର୍କ ଆଡ଼କୁ ପ୍ରାୟ ୪୫୦ ମିଟରର ଆପ୍ରୋଚ ରୋଡ୍ ନିର୍ମାଣ ହେବ। ସେହି ଅନୁଯାୟୀ ଜମି ଅଧିଗ୍ରହଣ ହେବ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୧୩୦.୩୬ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା। ଯେଉଁଥିରେ ଉଭୟ ବ୍ରିଜ ନିର୍ମାଣ ଓ ଜମି ଅଧିଗ୍ରହଣ ଖର୍ଚ୍ଚ ରହିଥିଲା।

ସମ୍ବନ୍ଧିତ ଖବର