ଓଡ଼ିଶାର ପ୍ରଥମ ଅଲଟ୍ରାମ୍ୟାନ୍‌ ଗୌରବ ପାଇଲେ ସିଦ୍ଧାର୍ଥ

ଭୁବନେଶ୍ବର, (ସୁରେଶ ସ୍ବାଇଁ): ଓଡ଼ିଆ ପାଇକପୁଅ ତଥା ୫ ଥର ଆଇରନ୍‌ମ୍ୟାନ୍‌ ମୁକୁଟ ବିଜେତା ସିଦ୍ଧାର୍ଥ ରାଉତରାୟ ନିଜ ନାମରେ ଆଉ ଏକ ବିରଳ ଗୌରବ ଯୋଡ଼ିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଅଲଟ୍ରାମ୍ୟାନ୍‌ ଟାଇଟଲ୍‌ ଅର୍ଜନ କରିଛନ୍ତି ଏହି ୪୮ ବର୍ଷୀୟ ଦୁଃସାହସୀ କ୍ରୀଡ଼ାବିତ୍‌। ଆମେରିକାର ଫ୍ଲୋରିଡ଼ାରେ ବୁଧବାର ଶେଷ ହୋଇଥିବା ଏହି ୩ ଦିନିଆ ୫୧୫ କିଲୋମିଟର୍‌ ବ୍ୟାପ୍ତ ଆହ୍ବାନଭରା ପ୍ରତିଯୋଗିତାକୁ ୩୧ ଘଣ୍ଟା ୫୫ ମିନିଟରେ ଶେଷ କରିଛନ୍ତି। ୧୦ କିଲୋମିଟର୍‌ ବିଶିଷ୍ଟ ସନ୍ତରଣକୁ ୪ ଘଣ୍ଟା ୫୯ ମିନିଟ୍‌, ପ୍ରଥମ ଦିନର ୧୪୫ କିଲୋମିଟର୍‌ ବିଶିଷ୍ଟ ସାଇକେଲ ଚାଳନାକୁ ୫ ଘଣ୍ଟା ୩୮ ମିନିଟ୍‌, ଦ୍ବିତୀୟ ଦିନର ସାଇକେଲ୍ ଚାଳନାରେ ୨୭୩ କିଲୋମିଟର୍‌କୁ ୧୦ ଘଣ୍ଟା ୪୨ ମିନିଟ୍‌ରେ ଶେଷ କରିଥିଲେ। ତୃତୀୟ ତଥା ଶେଷ ଦିନରେ ୮୪ କିଲୋମିଟର୍‌ ଦୌଡ଼କୁ ୧୦ ଘଣ୍ଟା ୩୫ ମିନିଟ୍‌ ‌ନେଇ ତ୍ରିରଙ୍ଗା ସହ ଫିନିସ୍‌ ଲାଇନ୍ ଅତିକ୍ରମ କରିଥିଲେ। ନିଜର ସମସ୍ତ ଶ୍ରେୟ ‌ସିଦ୍ଧାର୍ଥ ତାଙ୍କ ଦୁଇପ୍ରଶିକ୍ଷକ ରିକ୍‌ ଭାନ୍‌ ଟୁଲି ଓ ମନ୍ମଧ ରିବାଙ୍କୁ ଦେଇଛନ୍ତି। ଏହି ଦୁଇ ଜଣ ୩ ଥର ଲେଖାଏଁ ଅଲଟ୍ରାମ୍ୟାନ୍‌ ବିଜେତାର ଅଭିଜ୍ଞତା ରଖିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତଥା ବିଧାୟକ ସୁରେଶ ରାଉତରାୟଙ୍କ ସୁପୁତ୍ର ୨୦୧୬ରେ ପ୍ରଥମ ଥର ଆଇରନ୍‌ମ୍ୟାନ୍‌ ବିବେଚିତ ହେବା ପରେ ଏହି ସଫଳତାକୁ ମୋଟ ୫ ଥର ହାସଲ କରିଥିଲେ।

ଅଲ୍‌ଟ୍ରାମ୍ୟାନ୍‌ ମୁକୁଟ ଜିତିବାକୁ ୨୦୧୯ରେ ସିଦ୍ଧାର୍ଥ ପଞ୍ଜିକରଣ କରିଥିଲେ ମଧ୍ୟ କୋଭିଡ୍‌ କାରଣରୁ ଏହା ସ୍ଥଗିତ ରହିଥିଲା। ଏଥି ପାଇଁ ଟ୍ରାଏଥଲନ୍‌ ଅଭ୍ୟାସ ସ୍ଥଗିତ ରଖିଥିଲେ। ଗତ ଡିସେମ୍ବର-ଜାନୁଆରିରେ ସେ ୪ ସପ୍ତାହ ପାଇଁ ଆକାନଗୁଆ ଅଭିଯାନରେ ଯାଇଥିବାବେଳେ ଫ୍ଲୋରିଡ଼ା ଅଲଟ୍ରାମ୍ୟାନ୍‌ ପ୍ରତ‌ିଯୋଗିତା ଲାଗି ଡାକରା ପାଇଥିଲେ। ଜାନୁଆରି ୧୮ରେ ନିଶ୍ଚିତ ହେବା ପରେ ଏଥି ଲାଗି ମାତ୍ର ୩ ସପ୍ତାହ‌ର ପ୍ରସ୍ତୁତି କରି ସଫଳତା ପାଇଥିବାରୁ ଖୁସି ହୋଇଛନ୍ତି। ଏଥି ପାଇଁ ଦୈନିକ ୩ରୁ ୫ ଘଣ୍ଟା ଅଭ୍ୟାସ କରୁଥିଲେ। ଫଳରେ ୧୦ ଘଣ୍ଟାରୁ ଊର୍ଧ୍ବ ସମୟ ଧରି ସାଇକ୍ଲିଂ ଓ ରିନିଂ କରିବାରେ ସେ ସଫଳ ହୋଇଛନ୍ତି ବୋଲି ‘ସମ୍ବାଦ’କୁ କହିଛନ୍ତି।

ଈଶ୍ବର ବିଶ୍ବାସ ଓ ‘ମାଡ଼ିଚାଲ’ର ପ୍ରଭାବ
ସିଦ୍ଧାର୍ଥଙ୍କ ଏହ‌ି ଅପୂର୍ବ ଗୌରବ ପଛରେ ନିଷ୍ଠା ଓ କଠିନ ପରିଶ୍ରମ ଯେତିକି ଦାୟୀ ସଙ୍କଳ୍ପ ଓ ଦୃଢ଼ମନା ଚରିତ୍ର ସେତିକି ଶ୍ରେୟର ହକ୍‌ଦାର ହୁଅନ୍ତି। ଅତ୍ୟନ୍ତ କଠୋର ଓ ବିପଜ୍ଜନକ ଅଞ୍ଚଳରେ ଅଭ୍ୟାସ କରିଥିବା ସିଦ୍ଧାର୍ଥ ସ୍ବୀକାର କରିଛନ୍ତି ଧର୍ମୀୟ ବିଶ୍ବାସ, ପର୍ବତାରୋହଣ ଓ ଆର୍ମି ପୃଷ୍ଠଭୂମିର ଅଭିଜ୍ଞତା ଢେର ସହାୟକ ହୋଇଛି। ପିତା ସୁରେଶ ରାଉତରାୟଙ୍କ ଲୋକପ୍ରିୟ ସ୍ଲୋଗାନ ‘ମାଡ଼ିଚାଲ’ କିଭଳି ନିର୍ଭୟ, ସଚ୍ଚୋଟ ଓ କଠିନ ପରିଶ୍ରମର ସମାହାର ତାହାକୁ ଦର୍ଶାଇଥିଲେ। ପୂର୍ବରୁ ଭାରତରେ ନ୍ୟାସନାଲ୍ ଡିଫେନ୍ସ ଏକା‌ଡେମିରେ ହଣ୍ଟର୍‌ ସ୍କ୍ବାର୍ଡନ ଭାବେ କାର୍ଯ୍ୟ କରିଥିବାରୁ ସେଠାରୁ ପାଇଥିବା ଅଭିଜ୍ଞତା ମଧ୍ୟ ତାଙ୍କୁ ଦୁଇଟି ସ୍ବାସ୍ଥ୍ୟ ସମସ୍ୟାକୁ ପଛରେ ପକାଇ ସଫଳତାର ଶୀର୍ଷରେ ପହଞ୍ଚାଇଛି ବୋଲି ‌ସିଦ୍ଧାର୍ଥ କହିଛନ୍ତି। ନଛୋଡ଼ବଦ୍ଧା, କର ବା ମର, ନିଜ ସହ ଅହରହ କଥା, ଆଭ୍ୟନ୍ତରୀଣ ସାମର୍ଥ୍ୟର ସନ୍ଧାନ ତାଙ୍କୁ ବଳ ଦେଇଥିବାରୁ ଏହାକୁ ୫୦ ପ୍ରତିଶତ ଅବଦାନ ମିଳିବ। ଏହା ଛଡ଼ା ମୁଁ ଜୟ ମାତା ଦୀ, ଜୟ ଜଗନ୍ନାଥ, ମା’ ଦୁର୍ଗା, ମା ଝା‌ଡ଼େଶ୍ବରୀଙ୍କୁ ପ୍ରାର୍ଥନା କରିବା ସହ ଶରଣ ପଶିଥାଏ। ଏହି ସଫଳତାର ଅନ୍ୟ ଯେଉଁମାନଙ୍କ ସମର୍ଥନ ଓ ‌ସହଯୋଗ ରହିଥିଲା ସେମାନଙ୍କୁ ଶ୍ରେୟ ମିଳିବ ବୋଲି ସିଦ୍ଧାର୍ଥ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର