ସିଦ୍ଧି ପ୍ରିୟଦର୍ଶିନୀଙ୍କୁ ୩ଟି ଫିଲ୍ମର ଅଫର୍

ସମ୍ବଲପୁର: ସମ୍ବଲପୁର ମାଟିର ଝିଅ ସିଦ୍ଧି ପ୍ରିୟଦର୍ଶନୀଙ୍କୁ ଏକ ସଂଗରେ ମିଳିଛି ୩ଟି ଫିଲ୍ମର ଅଫର୍। ଏଥିରୁ ୨ଟି ବଙ୍ଗଳା ସିନେମା ଓ ଗୋଟିଏ ହିନ୍ଦୀ ସିନେମା ରହିଛନ୍ତି। ବଂଗଳା ସିନେମା ‘ଇନ୍ତେଜାର୍‌’ରେ ଅଭିନୟ ସହିତ କଣ୍ଠଦାନ କରି ନିଜ ସିନେ କ୍ୟାରିୟର୍‌ର ଡେବ୍ୟୁ କରିବାକୁ ଯାଉଛନ୍ତି ସେ। ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି ସିନେମାର ପ୍ରୟୋଜକ ତଥା ସଂଗୀତ ନିର୍ଦ୍ଦେଶକ ପ୍ରସନ୍ନଜିତ ବି. ମିଶ୍ର। ଆଜି ସମ୍ବଲପୁର ପବ୍ଲିକ ଲାଇବ୍ରେରିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ, ସେ ସଂପୃକ୍ତ ଥିବା ମୁମ୍ବାଇସ୍ଥିତ ବ୍ଲାକ୍ ସ୍କ୍ରିନ ଷ୍ଟୁଡିଓ ବହୁ ସିନେମା ଓ ଧାରାବାହିକ ନିର୍ମାଣ କରିଛି। ଏବେ ବିଭିନ୍ନ ଆଂଚଳିକ ଭାଷାରେ ସିନେମା ନିର୍ମାଣ କରିବାକୁ ପଦକ୍ଷେପ ନେଇଛି।

ଏଣୁ, ପ୍ରଥମକରି ବଂଗଳା ଭାଷାରେ ଏକ ସିନେମା ‘ଇନ୍ତେଜାର’ ନିର୍ମାଣ କରାଯାଉଛି। ବଂଗଳା ଭାଷାରେ ନିର୍ମିତ ଏହି ସିନେମା ପରବର୍ତ୍ତୀ ସମୟରେ ଆସାମୀ, ତେଲଗୁ, ତାମିଲ, ମାଲାୟଲମ୍‌ ଆଦି ଭାଷାରେ ଡବିଂ ହେବ। ପ୍ରେମ ଓ ରୋମାଂଚଭରା ଏହି ହରର୍‌ ସିନେମା ‘ଇନ୍ତେଜାର’ରେ ସିଦ୍ଧି ପ୍ରିୟଦର୍ଶନୀଙ୍କୁ ପ୍ରଚ୍ଛଦପଟ ଗାୟିକା ଭାବେ ସୁଯୋଗ ଦିଆଯାଇଥିଲା। ସିନେମାରେ ସର୍ବମୋଟ ୪ଟି ଗୀତ ରହିଥିବା ବେଳେ ସିଦ୍ଧ ପ୍ରିୟଦର୍ଶନୀଙ୍କର ୨ଟି ଗୀତ ରେକର୍ଡିଂ ସରିଛି। ଦୁଇଟି ଯାକ ଗୀତ ବହୁତ ସୁନ୍ଦର ହୋଇଛି। ଗୀତ ରେକର୍ଡିଂ ସମୟରେ ସିନେମାର ନି‌ର୍ଦ୍ଦେଶକ ପ୍ରଶାନ୍ତ ରାୟ ମାଇକେଲ ଏହି ସିନେମାର ନାୟିକା ଭାବେ ଅଭିନୟ କରିବାକୁ ଅଫର୍ ଦେଇଥିଲେ।

ତେବେ, ସିଦ୍ଧି ପ୍ରିୟଦର୍ଶନୀଙ୍କ ସହିତ ଏହି ସିନେମା ସହିତ ଆହୁରି ୨ଟି ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଆଉ ଏକ ବଂଗଳା ସିନେମା ‘ଭାଲୋ ବାସା ଜନ୍ନ’ ସହିତ ଏକ ହିନ୍ଦୀ ଫିଲ୍ମରେ ପ୍ରଚ୍ଛଦପଟ ଗାୟିକା ଭାବେ ସେ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ‘ଇନ୍ତେଜାର’ ସିନେମାରେ କଷ୍ଟ୍ୟୁମ୍‌ ଡିଜାଇନ୍ କରିବେ ‘ସମ୍ବଲପୁରୀ ବୁଟିକ୍‌’, ସମ୍ବଲପୁରର ସଂପ୍ରିତା ପଣ୍ଡା ଏବଂ ତାଙ୍କ ସହଯୋଗୀ ଶ୍ରେୟା ପୂଜାରୀ। କେବଳ ଏତିକି ନୁହେଁ, ଆଗାମୀ ସିନେମାରେ ସମ୍ବଲପୁର ଅଂଚଳର ଆହୁରି ୩/୪ ଜଣଙ୍କୁ ସୁଯୋଗ ଦେବାର ଯୋଜନା ରହିଛି। ସେଥିରୁ ଜଣେ ଗାୟକଙ୍କୁ ବି ସୁଯୋଗ ଦିଆଯିବ। ଏହା ସହିତ ଓଡ଼ିଶାରେ ବ୍ଲାକ୍ ସ୍କ୍ରିନ୍ ଷ୍ଟୁଡିଓର ଏକ ପ୍ରଶିକ୍ଷଣ ସଂସ୍ଥାନ ଖୋଲାଯିବ। ସଫଳତାର ସହିତ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ସିନେମାଗୁଡ଼ିକରେ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।

ଅପରପକ୍ଷ‌େରେ ତାଙ୍କୁ ଏଭଳି ସୁଯୋଗ ଦେଇଥିବାରୁ ସିଦ୍ଧି ପ୍ରିୟଦର୍ଶିନୀ ନିର୍ଦ୍ଦେଶକ ପ୍ରଶାନ୍ତ ରାୟ ମାଇକେଲ, ସଂଗୀତ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ସହିତ ତାଙ୍କ ପୂରା ଟିମ୍‌କୁ କୃତଜ୍ଞତା ଜଣେଇଥିଲେ। ଏହି ଅବସରରେ ସମ୍ବଲପୁରର ଜଣାଶୁଣା ବ୍ୟକ୍ତି ପ୍ରଫୁଲ୍ଲ ହୋତାଙ୍କ ତାଙ୍କ ନାତୁଣୀ ସିଦ୍ଧି ପ୍ରିୟଦର୍ଶନୀଙ୍କୁ ସୁଯୋଗ ଦେଇଥିବାରୁ ପ୍ରସନ୍ନଜିତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶ୍ରୀ ହୋତା କହିଥିଲେ, ପ୍ରସନ୍ନଜିତଙ୍କ ପିତା ବୁର୍ଲା ଇଂଜିନିୟରିଂ କଲେଜ(ବର୍ତ୍ତମାନର ଭିସୁଟ‌)ରେ ଅଧ୍ୟୟନ କରୁଥିବା ସମୟରେ ଜଣେ ଗାୟକ ଭାବେ ସମ୍ବଲପୁର ବିଭିନ୍ନ ମେଲୋଡ଼ି ସଂସ୍ଥା ସହିତ ମିଶି ମଂଚ କାର୍ଯ୍ୟକ୍ରମ କରୁଥିଲେ। ପ୍ରସନ୍ନଜିତଙ୍କ ହାଇସ୍କୁଲ ଶିକ୍ଷା ବେଲପାହାଡ଼ ଏବଂ ଯୁକ୍ତ ଦୁଇ ଶିକ୍ଷା ଜିଏମ୍‌ କଲେଜରେ ଶେଷ ହୋଇଛି। ପରବର୍ତ୍ତୀ ସମୟରେ ଇଂଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେହେଁ ସେ ସିନେମା ଶିଳ୍ପ ସହିତ ଯୋଡ଼ି ହୋଇଥିଲେ। ମୁଖ୍ୟତଃ ସିନେମା ଡିଷ୍ଟ୍ରିବ୍ୟୁସନ କ୍ଷେତ୍ର ସହିତ ସଂଗୀତ ନିର୍ଦେଶନା ଦେଉଥିବା ପ୍ରସନ୍ନଜିତଙ୍କ ବ୍ଲାକ ସ୍କ୍ରିନ୍ ଷ୍ଟୁଡିଓ ସହିତ ଦୀର୍ଘ ୨୦ ବର୍ଷ ହେଲା ସଂପୃକ୍ତ ରହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସିଦ୍ଧି ପ୍ରିୟଦର୍ଶିନୀଙ୍କ ମା’ ସୁପ୍ରଭା ହୋତା ଏବଂ ପିତା ସମୀର ବହିଦାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର